ବାଇକ୍‌ ସହ ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

ମନମୁଣ୍ଡା/ବିଳାସପୁର: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗମ୍ଭାରିପଦର ଛକଠାରେ ପୁଲିସ ତନଖି ବେଳେ ଗୁରୁବାର ସକାଳେ ବାଇକ ସହ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ମନମୁଣ୍ଡା ଥାନା ବିଳାସପୁର ଗାଁର ଜୟନ୍ତ ସାହୁ (୪୨)ଙ୍କୁ ଗିରଫ କରାଯାଇଛି।
ଗଞ୍ଜେଇ ଚାଲାଣ ନେଇ କୌଣସି ସୂତ୍ରରୁ ଖବର ପାଇ ଏନମୁଣ୍ଡା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ଏସ୍‌ଆଇ ବାଲେଶ୍ୱର କହଁର ଓ ଏଏସ୍‌ଆଇ ଚାପଧାରୀ ପ୍ରଧାନଙ୍କୁ ତଦନ୍ତ କରିବାକୁ ଆଜି ପଠାଇଥିଲେ। ଅଭିଯୁକ୍ତ ଶ୍ରୀ ସାହୁ ଏକ ବାଇକ (ଓଡ଼ି୧୫ବି-୫୭୨୩) ଯୋଗେ ବସ୍ତାରେ ଗଞ୍ଜେଇ ନେଉଥିବା ବେଳେ ଗମ୍ଭାରିପଦର ଛକଠାରେ ପୁଲିସ ତାଙ୍କୁ ଅଟକାଇବାରେ ସଫଳ ହୋଇଥିଲା। ପରେ ମାଜିଷ୍ଟ୍ରେଟ ଦାୟିତ୍ୱରେ କଣ୍ଟାମାଳ ଅତିରିକ୍ତ ତହସିଲଦାର ନୀଳକଣ୍ଠ ବେହେରାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିଲା। ଉକ୍ତ ଗଞ୍ଜେଇ ଓଜନ ୮ କେଜି ୭ ଶହ ଗ୍ରାମ ଥିବା ଜଣାଯାଇଛି। ଏନେଇ ଥାନାରେ ଏକ ମାମଲା କେସ ନଂ ୪୯ରେ କରାଯାଇଛି। ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର