୫ଟି କ୍ରସର ଯୋଗୁଁ ମରୁଭୂମି ପାଲଟିବ ଗୋଚ୍ଛାପଡ଼ା

ବାଉଁଶୁଣି: ବୌଦ୍ଧ ଜିଲ୍ଲା ଗୋଚ୍ଛାପଡ଼ା ପଞ୍ଚାୟତ ଅଞ୍ଚଳରେ ୫ଟି କ୍ରସର ସ୍ଥାପନ ହୋଇଥିବାରୁ ଏହା ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ୨୦୧୧ ମସିହାରେ ମହାରାଷ୍ଟ୍ରର ଆରକନ କଂପାନିକୁ ମେଟାଲ ଓ ଚିପ୍‌ସ ଯୋଗାଇବା ପାଇଁ ବିଜାପଦରଠାରେ ଏକ କ୍ରସର ସ୍ଥାପନ କରାଯାଇଥିଲା। ଏହି କ୍ରସର ସ୍ଥାପନ ପାଇଁ ଅନୁମତି ମିଳିବା ପରେ ଗୋଟିଏ ପରେ ଗୋଟିଏ ଏପରି ୫ଟି କ୍ରସର ସ୍ଥାପନ କରାଯାଇଛି। ସେଥିମଧ୍ୟରୁ ବିଜାପଦରରେ ୩ଟି, ଖମ୍ବେଶ୍ୱରୀ ଝୁଲିରେ ଓ ଝାରମୁଣ୍ଡାରେ ଗୋଟିଏ ଗୋଟିଏ କ୍ରସର ସ୍ଥାପନ କରାଯାଇଛି। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ, କ୍ରସର ଗୁଣ୍ଡ ଅଞ୍ଚଳର ଚାଷ ଜମି ଉପରେ ପଡୁଥିବାରୁ ଜମିର ଉର୍ବରତା କମିବା ସହ ଫସଲ ଅମଳ କମୁଛି। ଏଥିଯୋଗୁଁ ୨୦୧୫ ମସିହାରେ ଚାଷୀମାନେ ଫସଲ ଅମଳ କରିପାରି ନଥିଲେ। ଅନ୍ୟପକ୍ଷେ ଅଞ୍ଚଳବାସୀଙ୍କ ମହୁଲ ଫୁଲ ପ୍ରମୁଖ ରୋଜଗାର ଯୋଗାଉ ଥିବା ବେଳେ ୩ ବର୍ଷ ହେଲା ଗଛରେ ଫୁଲ ଆସୁ ନାହିଁ। ପଥର ଗୁଣ୍ଡ ଯୋଗୁଁ ଏପରି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହାଛଡ଼ା ଗାଈଗୋରୁ ମଧ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି।

ପଥର ଗୁଣ୍ଡ ଘାସ ଉପରେ ଜମା ହୋଇ ରହୁଥିବାରୁ ଏବଂ ଏହାକୁ ଗାଈମାନେ ଖାଉଥିବାରୁ ଏପରି ହେଉଥିବା କୁହାଯାଉଛି। ସାଧାରଣ ଲୋକଙ୍କ ନିଶ୍ୱାସ ପ୍ରଶ୍ୱାସରେ ଧୂଳି ପଶୁଥିବାରୁ ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଥିଯୋଗୁଁ ମଧ୍ୟ ଚର୍ମ ରୋଗ ହେଉଛି। ୨୦୦୫ ମସିହାରେ ବୌଦ୍ଧର ପୂର୍ବ ଜିଲ୍ଲାପାଳ ସଂଗ୍ରାମ କେଶରୀ ମିଶ୍ରଙ୍କ ସମୟରେ ମାଳିସାହି, ବିଜାପଦର, ମଲ୍ଲିକପଡ଼ା ଆଦି ଅଞ୍ଚଳରେ ରେଶମ ଚାଷ ପାଇଁ ଉଦ୍ଦିଷ୍ଟ ଅର୍ଜୁନ, ଅସନ ଗଛ ରୋପଣ କରାଯାଇଥିଲା। ଯାହାକି ୧୦୫ ହେକ୍ଟର ଜମିରେ ପରିବ୍ୟାପ୍ତ ଥିଲା। ଟସର ଚାଷ କରି ୧୧୫ ଜଣ ପରିବାର ପ୍ରତିପୋଷଣ କରୁଥିଲେ। ବର୍ଷକୁ ଜଣେ ଚାଷୀ ୨୫ରୁ ୫୦ ହଜାର ଟଙ୍କା ରୋଜଗାର କରୁଥିଲେ। ପରେ କ୍ରସର ଶିଳ୍ପ ବଢ଼ି ଚାଲିଲା। ପଥର ଗୁଣ୍ଡ ଯୋଗୁଁ ଟସର ଚାଷ ପାଇଁ ଉଦ୍ଦିଷ୍ଟ ଗଛ ସବୁ ମରିଗଲା। ଫଳରେ ଟସର ଅମଳ କମିବା ସହ ଚାଷୀ କ୍ଷତିଗ୍ରସ୍ତ ହେଲେ, ଶେଷରେ ଚାଷୀମାନେ ଏହି ଚାଷ କରିବାକୁ ଆଗ୍ରହ ପ୍ରକାଶ କଲେ ନାହିଁ। ସେମାନେ ରୋଜଗାର ହରାଇଲେ ଓ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲିଗଲେ। ବର୍ତ୍ତମାନ ଏହିସବୁ କ୍ରସରକୁ ଯିବା ପାଇଁ ନର୍ସରି ମଝିରେ ଗଛ କାଟି ରାସ୍ତା କରାଗଲା। ଏଥିଯୋଗୁଁ ଜଙ୍ଗଲ ହ୍ରାସ ପାଇଲା ଓ ପରିବେଶ ଦୂଷିତ ହେଲା।
ଏହାର ପ୍ରଭାବ ଅଞ୍ଚଳ ଉପରେ ପଡୁଥିବାରୁ ବହୁ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ଓ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବାରେ ଲାଗିଛି। ପ୍ରତିଦିନ ଶହ ଶହ ଭାରୀଯାନ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବାରୁ ରାସ୍ତା ମଧ୍ୟ ଖରାପ ହୋଇଯାଉଛି। ଧୂଳି ଗୁଣ୍ଡ ଘର ଭିତରେ ପଶି ଯାଉଥିବାରୁ ଲୋକେ ଅଣନିଶ୍ୱାସୀ ହୋଇ ପଡ଼ୁଛନ୍ତି। କ୍ରସର ମାଲିକ ସଂପୃକ୍ତ ଅଞ୍ଚଳରେ ବନୀକରଣ କରିବା, ପ୍ରତ୍ୟେକ ଦିନ ପାଣି ପକାଇବା, ସୁଉଚ୍ଚ ପାଚେରି ନିର୍ମାଣ କରିବା ପାଇଁ ସରକାରୀ ନିୟମ ଥିଲେ ମଧ୍ୟ ତାହା ପାଳନ କରାଯାଉ ନାହିଁ। ଏନେଇ ବିଭିନ୍ନ ସମୟରେ ପ୍ରଶାସନଠାରେ ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଗୋଚ୍ଛାପଡ଼ା ପଞ୍ଚାୟତ ମରୁଭୂଇଁ ପାଲଟିବ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର