ଏହି ଗାଁରେ ବଢ଼ି ବଢ଼ି ଚାଲିଛି ବିଧବା ସଂଖ୍ୟା, ମଦ୍ୟପାନ ପୋଛୁଛି ମଥାରୁ ସିନ୍ଦୂର !

ବୌଦ୍ଧ: ଯିଏ ଅଧିକ ମଦ ବିକ୍ରିି କରିବ ତାକୁ ମିଳିବ ପୁରସ୍କାର। ଏକଥା ଆମେ କହୁନୁ ବରଂ ଖୋଦ୍ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଯାହାକୁ ନେଇ ଏବେ ମଦ ଦୋକାନୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଚାଲିଥିବା ବେଳେ ସେପଟେ ମଦ ନେଉଛି ଜୀବନ । ପୂରା ଗାଁ ଏବେ ପୁରୁଷ ଶୂନ୍ୟ ହେବାକୁ ଳାଗିଥିବା ବେଳେ ବଢିବାରେ ଲାଗିଛି ବିଧବାଙ୍କ ସଂଖ୍ୟା । ଏଭଳି ଏକ ଚିତ୍ର ସାମାନାକୁ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣୀଗଡ଼ ପଞ୍ଚାୟତର ମାଧପୁର ଗାଁରୁ ।

ବୌଦ୍ଧ, ନୟାଗଡ ଏବଂ ଫୁଲବାଣୀ ଜିଲ୍ଲା ସୀମାନ୍ତରେ ଥିବା ଏ ହେଉଛି ମାଧପୁର ଗାଁ । ଏଠାରେ ବାସ କରନ୍ତି ୧୦୦୦ରୁ ଅଧିକ ଲୋକେ । ଦେଶୀ ମଦ ଭାଟି ସହିତ ଦେଶୀ ରନ୍ଧା ମଦ ମାତ୍ରାଧିକ ବୃଦ୍ଧିପାଇଛି । ଫଳରେ ଏହି ଅଞ୍ଚଳରେ ମଦ୍ୟପଙ୍କ ସଂଖ୍ୟା ଏପରି ଭାବେ ବୃଦ୍ଧିପାଇଛି ଯାହାକି ବିଭିନ୍ନ ସମୟରେ ଅନେକଙ୍କ ଲୋକଙ୍କ ଜୀବନ ଯାଇଛି । ଫଳରେ ଗାଁ ଏବେ ପୁରୁଷ ଶୂନ୍ୟ ହେବାକୁ ବସିଥିବା ବେଳେ ବିଧବାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗାଁରେ ଯୁଆଡେ ଦେଖିବେ କେହି ନା କେହି ବିଧବା । ଘରର ମୁରବୀ ସାଜିଥିବା ବିଧବା ମହିଳା ନିଜେ ହୋଟେଲ କିମ୍ବା ପାନ ଦୋକାନ କରି ନିଜ ପରିବାର ଚଳାଉଥିବା ଦେଖିବାକୁ ମିଳିଛି । ମୋଟାମୋଟି ମାଧପୁର ଏକ ବିଧବା ଗାଁ ନାମରେ ଏବେ ପରିଚିତ ହୋଇଛି ।

ସେପଟେ ସରକାର ଅଧିକ ରେଭିନ୍ୟୁ ପାଇଁ ଛତୁ ଫୁଟିଲା ଭଳି ମଦ ଦୋକାନଗୁଡିକ ଖୋଲି ଚାଲିଛନ୍ତି। ଏପରିକି ମଦ ଦୋକାନୀକୁ ପୁରସ୍କାର ରାଶି ଘୋଷଣା କରି ପ୍ରୋତ୍ସାହନ ଯୋଗାଉଛନ୍ତି । ଫଳରେ ବିଭିନ୍ନ ପାନ ଦୋକାନ, ହୋଟେଲ, ଭଳି ବିଭିନ୍ନ ସ୍ଥାନରେ ବିକ୍ରି କରାଯାଉଛି ମଦ । ଯାହାକି ମଦ୍ୟପମାନଙ୍କୁ ବେଶ୍ ସୁହାଉଛି । ସବୁ ଦେଖିବି ଚୁପ୍ ବସିଛି ଅବକାରୀ ବିଭାଗ । ଯାହାକି ବିଭିନ୍ନ ହିଂସାତ୍ମକ କାଣ୍ଡ ଘଟିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧିପାଇବାରେ ଲାଗିଛି । ଫଳରେ ସରକାରଙ୍କ ଏହି ମଣିଷମାରଣା ନୀତିକୁ ବୁଦ୍ଧିଜୀବି ମହଲରେ ତୀବ୍ର ନିନ୍ଦା କରାଯାଇଛି ।

ଜିଲ୍ଲାରେ ବାରମ୍ବାର ମହିଳାଙ୍କ ମଦ ବିରୋଧୀ ଅଭିଯାନ ପରେ ବି ଚେତୁନି ପ୍ରଶାସନ । ଖୁଲମ ଖୁଲ୍ଲା ଚାଲିଛି ମଦର ଆସର ଯାହାକି ଧନ ଜୀବନ ନଷ୍ଟ ହେବାରେ ଲାଗିଛି । ତେବେ ସରକାର ବେଳ ଥାଉଁ ଥାଉଁ ଏଥିପ୍ରତି ସଜାଗ ହେବା ଜରୁରୀ ହୋଇପଡିଛି ।

ସମ୍ବନ୍ଧିତ ଖବର