ବୌଦ୍ଧ : ଗଞ୍ଜେଇ ଚାଲାଣକାରୀକୁ ୧୦ ବର୍ଷ ସଶ୍ରମ ଜେଲ, ଲକ୍ଷେ ଜରିମାନା

ବୌଦ୍ଧ : ବୌଦ୍ଧ ଏଡିଜେ ତଥା ସ୍ପେସାଲ ଜଜ ସତ୍ୟନାରାୟଣ ଷଡଙ୍ଗୀ ଆଜି ଏକ ଗଞ୍ଜେଇ ଚାଲାଣ ମାମଲାର ବିଚାର କରି ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ଏକ ଲକ୍ଷ ଟଙ୍କା ଜରିମାନା ଆଦେଶ ପ୍ରଦାନ କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ଏକ ବର୍ଷ କାରାଦଣ୍ଡାଦେଶ ବୋଲି ତାଙ୍କ ରାୟରେ ଶୁଣାଇଛନ୍ତି । ଅଭିଯୁକ୍ତ ଜଣକ ବାଉଁଶୁଣୀ ଥାନା ପୁରୁଣାବହିରା ଗ୍ରାମର କିଶୋର ପାତ୍ର ।

ମିଳିଥିବା ସୂଚନା ଅନୁସାରେ, ଗତ ୨୦୧୫ ଫେବୃଆରୀ ୩ ତାରିଖରେ ବୌଦ୍ଧ ଥାନା ଅନ୍ତର୍ଗତ କନାଗୁନ ଗ୍ରାମ ନିକଟରେ ଥିବା ଜଙ୍ଗଲରେ କିଛି ଲୋକ ଗଞ୍ଜେଇ ଚାଲାଣ କରିବା ପାଇଁ ଯୋଜନା କରୁଥିବା ବେଳେ ପୁଲିସ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଜଙ୍ଗଲ ଉପରେ ଚଢାଉ କରିଥିଲେ । ପୁଲିସକୁ ଦେଖି ଘଟଣା ସ୍ଥଳରୁ ଦୁଇଜଣ ଫେରାର ହୋଇଯାଇଥିବା ବେଳେ ବାଉଁଶୁଣୀ ଥାନା ପୁରୁଣାବହିରା ଗ୍ରାମର କିଶୋର ପାତ୍ର ଧରାପଡିଥିଲେ। ସେହି ସ୍ଥାନରୁ ଦୁଇଟି ବସ୍ତାରେ ଭର୍ତ୍ତି ଥିବା ୯୩ କିଲୋ ୧୭୦ ଗ୍ରାମ ଗଞ୍ଜେଇ, ୱାଟର ପମ୍ପ, ଛୁରୀ, ସ୍ପ୍ରେ ମେସିନ ସହିତ ଗଞ୍ଜେଇ ଚାଷ ପାଇଁ ବ୍ୟବହାର ଉପକରଣକୁ ଜବତ କରିଥିଲା। କିଶୋରକୁ ପଚରା ଉଚରା କରିବାରୁ ବୌଦ୍ଧ ଥାନା ଅନ୍ତର୍ଗତ କରଡାପୋଡା ଗ୍ରାମର ବସୁ ଦନ୍ତା ଓ କନାଗୁନ ଗ୍ରାମର ଦୁର୍ଯ୍ୟଧନ ନାଏକ ଫେରାର ଥିବା ଜଣାପଡିଥିଲା। ଉଭୟ ଗଞ୍ଜେଇକୁ ଚାଲାଣ କରିବା ପାଇଁ ଜଙ୍ଗଲ ମଧ୍ୟରେ ବସ୍ତାରେ ପେକିଙ୍ଗ କାର୍ଯ୍ୟ କରିଥିଲେ।

ପୁଲିସ କିଶୋରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପରବର୍ତ୍ତି ସମୟରେ ଦୁର୍ଯ୍ୟଧନକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲା ହେଲେ ବସୁ ଦନ୍ତା ଏପର୍ଯ୍ୟନ୍ତ ଫେରାର ଅଛି । ଏହି ମକଦ୍ଦମାର ବିଚାର କରି ମାନ୍ୟବର କୋର୍ଟ ୧୩ ଜଣ ସାକ୍ଷୀଙ୍କ ବୟାନ ଓ ତଥ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ କିଶୋରକୁ ୧୦ ବର୍ଷ କାରାଦଣ୍ଡାଦେଶ ଶୁଣାଇବା ସହିତ ଜରିମାନା ଆଦେଶ ପ୍ରଦାନ କରିଛନ୍ତି । ଉପଯୁକ୍ତ ପ୍ରମାଣ ଅଭାବରୁ ଦୁର୍ଯ୍ୟଧନକୁ ଖଲାସ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ପେସାଲ ପିପି ଯୋଗେଶ ନାୟକ ଏହି ମକଦ୍ଦମାକୁ ପରିଚାଳନା କରୁଥିଲେ ।

ସମ୍ବନ୍ଧିତ ଖବର