ମାଡ଼ ମାରି ଲୁଟି ନେଲେ ମୋବାଇଲ ଓ ଜିନିଷପତ୍ର

ମନମୁଣ୍ଡା: ଦୋକାନୀକୁ ମାଡ଼ ମାରି ଦୋକାନରୁ ମୋବାଇଲ ଓ ଜିନିଷପତ୍ର ଜୋରଜବରଦସ୍ତ ଲୁଟି ନେବା ଘଟଣା ମନମୁଣ୍ଡା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଜାଲପାଲି ଛକରେ ବିଭୀଷଣ ନାଏକ ଏକ ତେଜରାତି ଦୋକାନ କରିଛନ୍ତି। ଗତ ରାତିରେ ଜାଲପାଲି ଗ୍ରାମର ବସନ୍ତ, ତ୍ରିପୁରାରୀ, ଦେବାନନ୍ଦ, ପରମା, କୃଷ୍ଣ, ଶାନ୍ତି, ଶ୍ରୀବନ୍ତ ପ୍ରମୁଖ ୮ ଜଣ ଏହି ଦୋକାନ ସାମ୍ନାରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଠେଙ୍ଗାରେ ମାରିବାକୁ ଉଦ୍ୟମ କରିବା ସମୟରେ ବିଭୀଷଣଙ୍କ ଭାଇ ରାଜେନ୍ଦ୍ର ନାଏକ, ସୁରେଶ ମଲ୍ଲିକ ଓ ଅଭିଯୋଗକାରୀ ଭୋକଲ ମହାକୁଡ଼ (୩୫) ସେମାନଙ୍କୁ ଏଥିରୁ ନିବୃତ୍ତ ରହିବାକୁ ଅନୁରୋଧ କରିଥିଲେ।

ଏମାନେ ସଂଘବଦ୍ଧ ହୋଇ ଭୋକଲଙ୍କ ମୁଣ୍ଡରେ ଠେଙ୍ଗାରେ ଏବଂ ସୁରେଶଙ୍କ ଅଣ୍ଟା ଓ ପିଠିରେ ବାରମ୍ବାର ପିଟିବାରୁ ଏମାନେ ଗୁରୁତର ଆହତ ହୋଇଥିଲେ। ଏମାନଙ୍କୁ ମାଡ଼ ମାରି ଦୁର୍ବୃତ୍ତମାନେ ଦୋକାନୀଙ୍କୁ ଭୟଭୀତ କରି ଦୋକାନରେ ଥିବା ଗୋଟିଏ ମୋବାଇଲ ଓ ଜିନିଷପତ୍ର ଲୁଟି ନେଇଥିବା ବେଳେ ଅନେକ ଜିନିଷପତ୍ର ଫିଙ୍ଗାଫୋପଡ଼ା କରିଥିଲେ। ଗତକାଲି ରାତିରେ ଏ ବିଷୟରେ ଭୋକଲ ମହାକୁଡ଼ ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ମନମୁଣ୍ଡା ଥାନାରେ ଏକ ମାମଲା ରୁଜୁ ହେବା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଲୁଟ ଘଟଣାରେ ସଂଶ୍ଲିଷ୍ଟ ୮ ଜଣଙ୍କୁ ଆଜି ମନମୁଣ୍ଡା ପୁଲିସ ଗିରଫ କରିଛି ବୋଲି ମନମୁଣ୍ଡା ଆଇଆଇସି ଉମାକାନ୍ତ ପ୍ରଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର