ପ୍ରତାପ ରଣା ହତ୍ୟା ମାମଲା:୪ ମାସ ପରେ ଅଭିଯୁକ୍ତ ଗିରଫ

ମନମୁଣ୍ଡା: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କିରାଶିରା ଗାଁର ପ୍ରତାପ ରଣା (୬୫) ହତ୍ୟା ମାମଲାର ଅଭିଯୁକ୍ତ ହାଲୁ ଓରଫ ରମେଶ ଡାଙ୍ଗକୁ ପୁଲିସ ୪ ମାସ ପରେ ଗୁରୁବାର ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ଜୁଲାଇ ୯ ତାରିଖ ଦିନ ପ୍ରତାପ ଓ ତାଙ୍କ ପୁଅ ସୁରୁବାବୁ ରଣା (୩୫) ମହେଶ୍ୱରପିଣ୍ଡା ନିକଟ ଡିମିରମୁଣ୍ଡା ବନ୍ଧକୁ ମାଛ ମାରି ଯାଇଥିଲେ। ଏହି ବନ୍ଧରେ ହାଲୁ ମାଛ ଛାଡ଼ିଥିଲା। ଖବର ପାଇ ହାଲୁ ବନ୍ଧରେ ପହଞ୍ଚି ମାଛ ମାରୁଥିବା ଦେଖିଥିଲା। ଏଥିରେ ରାଗିଯାଇ ହାଲୁ ଟାଙ୍ଗିରେ ପ୍ରତାପଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା। ଏହି ଘଟଣା ସୁରୁବାବୁ ନିଜ ଆଖିରେ ଦେଖିଥିଲେ ମଧ୍ୟ ଭୟରେ କାହାରି ସମ୍ମୁଖରେ ପ୍ରକାଶ କରିନଥିଲେ। ମାତ୍ର ଗତ ୮ ତାରିଖ ଦିନ ସୁରୁବାବୁ ସାହସ ଜୁଟାଇ ତାଙ୍କ ଭାଇ ସୁବଳ ସହ ମନମୁଣ୍ଡା ଥାନାକୁ ଆସି ସବୁ ଘଟଣା ପୁଲିସ ଆଗରେ ବର୍ଣ୍ଣନା କରିଥିଲେ। ପୁଲିସ ଚଢ଼ଉ କରି ସେହିଦିନ ରାତିରେ ହାଲୁକୁ ଶଗଡ଼ା ହାଟପଦାରୁ ଗିରଫ କରି ଜେରା କରିଥିଲା। ହାଲୁକୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିଲା। ହେଲେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ବୋଲି ତଦନ୍ତକାରୀ ଅଫିସର ବିଷ୍ଣୁପ୍ରସାଦ ଗୌଡ଼ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ହାଲୁ ନାଁରେ ମନମୁଣ୍ଡା ଥାନାରେ ୬ଟି ଓ ବାଉଁଶୁଣି ଥାନାରେ ୨ଟି ମାମଲା ରହିଛି।

ସମ୍ବନ୍ଧିତ ଖବର