ସୁବର୍ଣ୍ଣପୁର ଓ ବୌଦ୍ଧର ପ୍ରଦର୍ଶନ ନୈରାଶ୍ୟଜନକ:ଆବାସ ଯୋଜନା କାର୍ଯ୍ୟକାରିତା

ଗ୍ରାମୀଣ ଆବାସ, ମନରେଗାର ସମୀକ୍ଷା କଲେ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ

ସୁବର୍ଣ୍ଣପୁର :୨୩ ପ୍ରତିଶତ
ବୌଦ୍ଧ ଜିଲ୍ଲା: ୨୬ ପ୍ରତିଶତ
ସୋନପୁର: ସ୍ୱତନ୍ତ୍ର ପ୍ରକଳ୍ପ ପଞ୍ଚାୟତିରାଜ ଓ ପାନୀୟ ଜଳ ପ୍ରକଳ୍ପର ନିର୍ଦ୍ଦେଶକ ଏସ୍‌. ଏନ୍‌. ଗିରିଶ ବୁଧବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉଭୟ ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲ୍ଲାର ଗ୍ରାମୀଣ ଆବାସ ଯୋଜନା ଏବଂ ମନରେଗାର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କ ଘର ନିର୍ମାଣରେ ସୁବର୍ଣ୍ଣପୁର ଜିଲ୍ଲାର ତରଭା ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକକୁ କିଛି ସଫଲତା ମିଳିଛି । ତେବେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର, ଡୁଙ୍ଗୁରିପାଲି, ବିନିକା, ଉଲୁଣ୍ଡା, ସୋନପୁର ଓ ବୌଦ୍ଧ ଜିଲ୍ଲାର ହରଭଙ୍ଗା ଏବଂ ବୌଦ୍ଧ ବ୍ଲକ ଏ କ୍ଷେତ୍ରରେ ବହୁ ପଛରେ ପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲାରେ ସମୁଦାୟ ୨୧ ହଜାରେ ୪ଶହଟି ଗ୍ରାମୀଣ ଆବାସ ମଧ୍ୟରୁ ୪୯୨୭ଟି ସମ୍ପୂର୍ଣ୍ଣ ହୋଇଛି। ସେହିପରି ବୌଦ୍ଧି ଜିଲ୍ଲାରେ ୧୮ ହଜାର ୧୯୦ଟି ମଧ୍ୟରୁ ୪ ୭୨୦ଟି ସମ୍ପୂର୍ଣ୍ଣ ହୋଇଛି। ଏହାକୁ ଦେଖିଲେ ୨୦୧୯ ପୂର୍ବରୁ ସବୁ ଗରିବଙ୍କୁ ପକ୍କା ଘର ଯୋଗାଇବା ସରକାରଙ୍କ ଲକ୍ଷ ପୂରଣ ହେବା ସନ୍ଦେହ ଦେଖାଦେଇଛି। ଆବାସ ଯୋଜନାରେ କାର୍ଯ୍ୟକାରିତା ଦିଗରେ ସୁବର୍ଣ୍ଣପୁର ଜିଲ୍ଲା ୨୩ ପ୍ରତିଶତ ଏବଂ ବୌଦ୍ଧ ଜିଲ୍ଲା ୨୬ ପ୍ରତିଶତ ହାସଲ କରିଛନ୍ତି।

ତେଣୁ ଧାର୍ଯ୍ୟ ଲକ୍ଷ ପୂରଣ ଦିଗରେ ସମ୍ପୃକ୍ତ ବିଡିଓ ଏବଂ ଯନ୍ତ୍ରୀମାନେ ଯତ୍ନବାନ ହେବାକୁ ନିର୍ଦ୍ଦେଶକ ଶ୍ରୀ ଗିରିଶ ତାଗିଦ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାରେ ଗତ ଡିସେମ୍ବର ମାସରେ ୨୫୫୬ଟି ଘର ନିର୍ମାଣ ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟ ଥିବା ବେଳେ ମାତ୍ର ୬୬୨ଟି ସମ୍ପୂର୍ଣ୍ଣ ହୋଇଛି। ଏଥିରେ ସୁଧାର ଆଣିବାକୁ ବୀରମହାରାଜପୁର, ଡୁଙ୍ଗୁରିପାଲି ଏବଂ ବିନିକା ବ୍ଲକରେ ୭ ଦିନ ଭିତରେ ସୁଧାର ଆଣିବାକୁ କୁହାଯାଇଛି। ନଚେତ ସମ୍ପୃକ୍ତ ବିଡିଓଙ୍କ ବିରୋଧରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ହିତଧିକାରୀଙ୍କ ଆକାଉଣ୍ଟରେ ଅର୍ଥ ପ୍ରଦାନ କ୍ଷେତ୍ରରେ ବିଳମ୍ବ ହେଉଥିବା ଜଣାପଡ଼ିଥିଲା। ଆକାଉଣ୍ଟ ତନଖିର ୨୪ ଘଣ୍ଟା ମଧ୍ୟରେ ଅର୍ଥ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ମନରେଗା ଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲାରେ ୮, ୮୪, ୯୦୯ କର୍ମ ଦିବସ ସୃଷ୍ଟି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୭, ୦୬, ୦୦୦ କର୍ମ ଦିବସ ସୃଷ୍ଟି କରାଯାଇ ପାରିଛି। ଏନେଇ ଶତ ପ୍ରତିଶତ ସଫଳତା ଦିଗରେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ଜଳାଶୟ, ରାସ୍ତାଘାଟ ନିର୍ମାଣ କରାଯାଇ ଲକ୍ଷ୍ୟଧାର୍ଯ୍ୟ ପୂରଣ କରାଯିବ ବୋଲି ଜିଲ୍ଲାପାଳ ଦାଶରଥି ଶତପଥୀ ସୂଚନା ଦେଇଥିଲେ। ୨୦୧୩-୧୪ ଆର୍ଥିକ ବର୍ଷରୁ ଏପର୍ଯ୍ୟନ୍ତ ୧ କୋଟି ୩୧ ଲକ୍ଷ ଟଙ୍କା ହିତାଧିକାରୀଙ୍କ ପାସବୁକକୁ ଯାଇନଥିବାରୁ ଏହାକୁ ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ଓ ଖେଳ ପଡିଆ ନିର୍ମାଣ ଉପରେ ଆଲୋଚନା ହୋଇଥିଲା। ପ୍ରତି ପଞ୍ଚାୟତରେ ଅନ୍ତତଃ ଗୋଟିଏ ଖେଳ ପଡ଼ିଆ ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ। ସମୀକ୍ଷା ବୈଠକରେ ଏ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଉପ ଶାସନ ସଚିବ କୁଳମଣି ମିଶ୍ର, ସରୋଜକାନ୍ତ ସାମଲ, ବୌଦ୍ଧ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ସୁବର୍ଣ୍ଣପୁର ପିଡି ଡିଆର୍‌ଡିଏ ବିଶ୍ୱନାଥ ସାହୁ, ବୌଦ୍ଧ ପିଡି ଡିଆର୍‌ଡିଏ ରାଜେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର