ବିଶେଷଜ୍ଞ, କର୍ମଚାରୀ ଅଭାବ: ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

କଣ୍ଟାମାଳ ସିଏଚ୍‌ସି

ବୌଦ୍ଧ: ‌କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଏବେ ଅଞ୍ଚଳବାସୀ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ ବିଶେଷଜ୍ଞ ଡାକ୍ତର ଏବଂ କର୍ମଚାରୀ ଅଭାବରୁ ସ୍ଥିତି ଏଭଳି ହୋଇଛି ବୋଲି ଅଭିଯୋଗ ହେଉଛି। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ, ଦୂରଦୂରାନ୍ତରୁ ରୋଗୀ ଏଠାକୁ ଆସୁଥିଲେ ମଧ୍ୟ ନିରାଶ ହୋଇ ଫେରୁଛନ୍ତି। ବିଶେଷ କରି ପ୍ରସୂତି ଓ ସ୍ତ୍ରୀ ରୋ‌ଗ ବିଶେଷଜ୍ଞ ଅଭାବ ଯୋଗୁଁ ପ୍ରସବଜନିତ ସମସ୍ୟା ସୃଷ୍ଟି ହେଉଛି। ବାରମ୍ବାର ଦାବି ପରେ ଅସ୍ଥାୟୀ ଭାବରେ କଣ୍ଟାମାଳ ଠାରେ ଜଣେ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ବର୍ଷକ ମଧ୍ୟରେ ତାଙ୍କୁ ଏଠାରୁ ବଦଳି କରାଯାଇଥିଲା। ଏଠାରେ ୫ ଜଣ ବିଶେଷଜ୍ଞ ଡାକ୍ତର ରହିବା ବ୍ୟବସ୍ଥା ଥିବା ବେଳେ ଜଣେ ବି ନାହାନ୍ତି। ସେହିପରି ମୋଟ ୮ଜଣ ସେବିକା ସ୍ଥାନରେ ମାତ୍ର ଚାରିଜଣ କାର୍ଯ୍ୟରତ ଅଛନ୍ତି। ୨ଜଣ ପୁରୁଷ ଆଟେଣ୍ତାଣ୍ଟଙ୍କ ଅବସର ଗ୍ରହଣ ପରେ ଉକ୍ତ ପଦ ଖାଲି ପଡ଼ିଛି। ସୁଇପର ନାହାନ୍ତି। ଏକ୍ସରେର ବ୍ୟବସ୍ଥା ଥିଲେମଧ୍ୟ ଅପରେଟର ନଥିବାରୁ ତାହା କାମରେ ଲାଗୁ ନାହିଁ। ଫଳରେ ପଡାଡ଼ଶୀ ଜିଲ୍ଲା ସୋନପୁରକୁ ଯିବାକୁ ପଡୁଛି। ମହିଳାଙ୍କ ପ୍ରସବକାଳୀନ ସେବା ପାଇଁ ୧୦୨ର ବ୍ୟବସ୍ଥା ନାହିଁ। ଚତୁର୍ଥରେ ଷ୍ଟାଫ୍ କ୍ବାର୍ଟର୍ସ ସମସ୍ୟା ରହିଛି। ବହୁ ଦିନରୁ ନିର୍ମିତ ହୋଇଥିବା କ୍ବାର୍ଟର୍ସ ଗୁଡିକ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ତେଣୁ ଏସବୁ ସମସ୍ୟାର ତୁରନ୍ତ ସମାଧାନ କରିବାକୁ କଣ୍ଟାମାଳ ଅଞ୍ଚଳର ବୁଦ୍ଧିଜୀବୀ, ବ୍ୟବସାୟୀ ସ˚ଘ ଏବ˚ ସଚେତନମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର