ଜିଲ୍ଲାରେ ଫେଲ ମାରିଛି ସ୍ୱଛ ଭାରତ ମିସନ ଯୋଜନା:ଗୋଟିଏ ବି ପଞ୍ଚାୟତ ହୋଇପାରିଲାନି ବାହ୍ୟ ମଳମୁକ୍ତ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ସ୍ୱଚ୍ଛ ଭାରତ ମିସନ ଯୋଜନା ଫେଲ ମାରିଛି। ବହୁ ଆଡମ୍ବର ସହକାରେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ କାମ ଆରମ୍ଭ କରାଯାଇଥିଲା। ମାତ୍ର ଏହି ଯୋଜନା ଆରମ୍ଭ ରୁ ହିଁ ବାଟ ବଣା ହୋଇ ଏବେ ପୁରାପୁରି ଫେଲ ମାରିଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ବୌଦ୍ଧ, କଣ୍ଟାମାଳ ଓ ହରଭଙ୍ଗା ବ୍ଲକରେ ଏକ ଲକ୍ଷ ପାଇଖାନା ନିର୍ମାଣ କରି ଲୋକଙ୍କୁ ସଚେତନ କରାଇ ଜିଲ୍ଲାକୁ ବାହ୍ୟ ମଳ ମୁକ୍ତ କରିବା ପାଇଁ ଯୋଜନା କରାଯାଇଥିଲା। ଏଥିପାଇଁ ପ୍ରତି ପଞ୍ଚାୟତରେ ସଚେତନତା ସୃଷ୍ଟି କରିବା ପାଇଁ ବାରମ୍ବାର ତାଲିମ ଦିଆଯାଇ ମୋଟିଭେଟର ନିଯୁକ୍ତି କରାଗଲା। ମାଷ୍ଟର ଟ୍ରେନର ମଧ୍ୟ ନିଯୁକ୍ତି କରାଗଲା। ମାତ୍ର ଏସବୁ କାମ କେବଳ କାଗଜ କଲମରେ କରାଯାଉଥିବା ସେତେବେଳେ ଅଭିଯୋଗ ହୋଇ ଆସିଥିଲା। ଜିଲ୍ଲାରେ ସ୍ୱଚ୍ଛ ଭାରତ ମିସନକୁ ସଫଳ କରିବା ପାଇଁ ୟୁନିସେଫରୁ ଜଣେ କୋର୍ଡିନେଟର୍‌ଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିଲା।

ସୁବାସ ବେଉରା ବୌଦ୍ଧ ଜିଲ୍ଲା ପାଇଁ ନିଯୁକ୍ତି ପାଇଥିଲେ। ମାତ୍ର ଶ୍ରୀ ବେଉରାଙ୍କ କାମରେ ବିଭାଗୀୟ ଅଧିକାରୀମାନେ ଅତିଷ୍ଠ ହେବା ଯୋଗୁଁ ଓ ଶ୍ରୀ ବେଉରା ଜିଲ୍ଲାରେ ସ୍ୱଚ୍ଛ ଭାରତ ମିସନ କାମରେ ବିଫଳ ହେବାରୁ ତାଙ୍କୁ ଏବେ ଅବ୍ୟାହତି ଦିଆଯାଇଥିବା ଜଣାପଡ଼ିଛି। ଶ୍ରୀ ବେଉରା ନିଜ ପଦବିରୁ ଇସ୍ତଫା ଦେଇଥିବା ସେ ନିଜେ କହିଛନ୍ତି। ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଏକ ଲକ୍ଷ ପାଇଖାନା ନିର୍ମାଣ କରିବା ପାଇଁ ଳକ୍ଷ୍ୟ ଧର୍ଯ୍ୟ କରାଯାଇଥିବା ବେଳେ ଏବେ ତାହା ୬୦ ହଜାରକୁ ଖସି ଆସିଲାଣି। ଜିଲ୍ଲାର ଟାର୍ଗେଟ ୬୦ ହଜାର ହୋଇଥିବା ବେଳେ ଏବେ ସୁଦ୍ଧା ମାତ୍ର ୮ ହଜାର ପାଇଖାନ ନିର୍ମର୍ାଣ ହୋଇଥିବା ଜଳ ପରିମଳ ନିର୍ବାହୀ ଯନ୍ତ୍ରୀ ଭଞ୍ଜ କିଶୋର ମନହରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଯେଉଁ ୮ ହଜାର ପାଇଖାନା ନିର୍ମାଣ ହୋଇଛି ସେଥିମଧ୍ୟରୁ ହରଭଙ୍ଗା ବ୍ଳକ ଆଗରେ ରହିଛି। ବୌଦ୍ଧ ଓ କଣ୍ଟାମାଳ ବ୍ଳକରେ ପାଇଖାନା ନିର୍ମାଣ ଆହୁରି ପଛେଇ ଯାଇଛି। ଟାର୍ଗେଟ ସଂଖ୍ୟାରୁ ଅତି କମ୍‌ ପରିମାଣର ପାଇଖାନା ହୋଇଥିଲେ ମଧ୍ୟ ସେଥିରେ ମଧ୍ୟ ଦୁର୍ନୀତି କିଛି କମ୍‌ ନୁହେଁ।

ପାଇଖାନା ନିର୍ମାଣ କରିଥିବା ହିତାଧିକାରୀ ମାନଙ୍କୁ ଟଙ୍କା ମିଳି ନାହିଁ। ଅନ୍ୟପକ୍ଷରେ ପାଇଖାନା ହୋଇ ନଥିବା ଲୋକ ନାଁରେ ବିଲ କରାଯାଇ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି। ହରଭଙ୍ଗା ବ୍ଳକର ମଥୁରା ପଞ୍ଚାୟତର ବଡ ସୁବୁଳିଆ ଗ୍ରାମର ଭଗବାନ ଗିରିଙ୍କ ନାମରେ ପାଇଖାନା ହୋଇ ବିଲ କରାଯାଇ ଟଙ୍କା ଉଠାଯାଇଛି। ମାତ୍ର ଭଗବାନ ଗିରିଙ୍କ ଘରେ ପାଇଖାନା ହୋଇ ନାହିଁ କିମ୍ବା ସେ ଏବିଷୟରେ କିଛି ଜାଣି ନାହାନ୍ତି। ଏହା କେବଳ ଗୋଟିଏ ଘଟଣା ନୁହେଁ। ନାଏକପଡ଼ାପଡା, ଦାମୋଦରପୁର, କରଡି, ପରଗଳପୁରୁ, ଶ୍ୟାମସୁନ୍ଦରପୁର, କଣ୍ଟାମାଳ ବ୍ଲକର ଫାସେଡ, କଲତାଜୋର ଆଦି ଗ୍ରାମରେ ପାଇଖାନା କେବଳ କାଗଜ କଲମରେ ହୋଇଛି ଓ ଟଙ୍କା ଉଠାଯାଇଛି। ମାତ୍ର ଅଧିକାଂଶ ହିତାଧିକାରୀଙ୍କ ପାଖରେ ପାଇଖାନା ନାହିଁ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ଅକ୍ଟୋବର ୨ ତାରିଖ ସୁଦ୍ଧା ଜିଲ୍ଲାକୁ ମଳମୁକ୍ତ କରିବା ପାଇଁ ଦୃଢ଼ୋକ୍ତି ପ୍ରକାଶ କରାଯାଇଥିଲ। ମାତ୍ର ଜିଲ୍ଲା ତ ଦୂରର କଥା ଗୋଟିଏ ପଞ୍ଚାୟତ ମଧ୍ୟ ବାହ୍ୟମଳମୁକ୍ତ ହୋଇ ପାରିଲା ନାହିଁ। ଜିଲ୍ଲାରେ ଯେଉଁ ଟାର୍ଗେଟ ଦିଆଯାଇଛି ତାହା କେବେ ସମାପ୍ତ ହେବ ତାହାର ମଧ୍ୟ ଉତର କାହା ପାଖରେ ନାହିଁ। ଏ ବିଷୟରେ ବିଭଗୀୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମନହରୀଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ, ଆହୁରି ପାଖାପାଖି ୫୦ ହଜାର ପାଇଖାନା ନିର୍ମାଣ କରାଯିବ। ମାତ୍ର କେବେ ସୁଦ୍ଧା ଏହା ସରିବ ସେକଥା କହି ହେବ ନାହିଁ ବୋଲି ଶ୍ରୀ ମନହରୀ କହିଥିଲେ। ଟଙ୍କା ଉଠାଯାଇ ପାଇଖାନା ହୋଇନଥିବା ଅଭିଯୋଗ ସଂପର୍କରେ ସେ କହିଥିଲେ ଯେ ଏପରି ଅଭିଯୋଗ ଆସିଛି ଏହାକୁ ତର୍ଜମା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର