ଭିଏସ୍‌ଏସ୍‌ ସଭାପତିଙ୍କୁ ହାତୀ କଚାଡ଼ି ମାରିଲା:ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ଆସୁଥିଲେ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ପୁଟାଖେତା(ଫଲସାପଦର) ଗ୍ରାମ ବନ ସୁରକ୍ଷା ସମିତି ସଭାପତି ଭରତ ବଗର୍ତ୍ତି(୩୫)ଙ୍କୁ ହାତୀ କଚାଡ଼ି ମାରି ଦେଇଛି। ସେ ତାଙ୍କ ବଡ଼ଭାଇ ସହ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମକୁ ଯାଉଥିବା ସମୟରେ ଏହି ଅଘଟଣ ଘଟିଛି। ବଡ଼ଭାଇ ହାତୀ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି।
ମଙ୍ଗଳବାର କଣ୍ଟାମାଳରେ ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ସ୍ଥାନୀୟ ଜଙ୍ଗଲ ଭିଏସଏସ ସଭାପତି ଥିବା ଶ୍ରୀ ବଗର୍ତ୍ତିଙ୍କୁ ଡକା ହୋଇଥିଲା। ଭୋର୍‌ରୁ ସେ ନିଜ ବଡ଼ଭାଇ ଡିଙ୍ଗରଙ୍କ ସହିତ ସାଇକଲରେ ଆସୁଥିଲେ। ବରଗାଁ- କଣ୍ଟାମାଳ ରାସ୍ତାର ଘୁଚାଙ୍ଗି ଛକ ଠାରେ ଏକ ହାତୀପଲ ଦେଖି ସେମାନେ ଦୌଡ଼ି ପଲାଇବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଅନ୍ଧାରୁଆ ସ୍ଥାନରେ ଥିବା ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ହାତୀଟି ଶୁଣ୍ଢରେ ତାଙ୍କୁ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ବଡ଼ଭାଇ ଡିଙ୍ଗର ପ୍ରାଣ ବିକଳରେ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିଲେ। ଖବର ପାଇ କଣ୍ଟାମାଳ ରେଞ୍ଜର ବନ ବିଭାଗର ସମସ୍ତ କର୍ମଚାରୀ ଏବଂ ଭାରପ୍ରାପ୍ତ ରେଞ୍ଜର ଘଟଣାସ୍ଥଳରେ ପହଞ୍ଚି ମୃତ ପରିବାରକୁ ଆଶ୍ୱାସନା ଦେଇଥିଲେ। ପରେ କଣ୍ଟାମାଳ ପୁଲିସ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବହୁ ଦିନରୁ ଏକ ହାତୀପଲ ଏହି ଅଞ୍ଚଳରେ ଉପଦ୍ରବ କରି ଚାଲୁଥିଲେ ବି ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ମୃତକଙ୍କ ସ୍ତ୍ରୀ ଓ ଏକ ୨ ବର୍ଷର ଶିଶୁ କନ୍ୟା ରହିଛନ୍ତି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର