ଏବେଠୁ ପାଣି ପାଇଁ ବିକଳ ସୌରିପାଲି ଗ୍ରାମବାସୀ:୨ଟି ନଳକୂଅରେ ଚଳୁଛନ୍ତି ୨୦୦ ପରିବାର

କଣ୍ଟାମାଳ: କଣ୍ଟାମାଳ ବ୍ଲକ ଖଟଖଟିଆ ପଞ୍ଚାୟତ ସୌରିପାଲି ଗାଁର ଜନସଂଖ୍ୟା ୭୦୦ ହେବ। ୧୯୯୬ ମସିହାରେ ଗ୍ରାମ ବିକାଶ ଯୋଜନାରେ ୧୦୦୦ ଲିଟର କ୍ଷମତା ବିଶିଷ୍ଟ ଏକ ଟାଙ୍କି ତିଆରି କରି ଜଳ ଯୋଗାଣ କରାଯାଉଥିଲା। ହେଲେ ତାହା ୪ ବର୍ଷ ପରେ ଅଚଳ ହୋଇଗଲା। ଗାଁରେ ଥିବା ୬ଟି ନଳକୂଅ ମଧ୍ୟରୁ ୪ଟି ଅଚଳ ହୋଇପଡ଼ିଥିବା ବେଳେ ୨ଟି ନଳକୂଅ ଫ୍ଲୋରାଇଡ ଯୁକ୍ତ ପାଣି ବାହାରୁଥିବା ଅଭିଯୋଗ ହେଉଛି। ତଥାପି ଗାଁ ଲୋକେ ବାଧ୍ୟ ହୋଇ ଏହି ୨ ନଳକୂଅ ଉପରେ ନିର୍ଭର କରୁଛନ୍ତି। ଏହି ପାଣି ବ୍ୟବହାର କରି ଏବେ ଗାଁର ପ୍ରାୟ ୧୦ ଜଣ ଲୋକ କିଡନି ରୋଗରେ ଆକ୍ରାନ୍ତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି। ଗ୍ରାମରେ ଥିବା ହରିଜନ ପଡ଼ାର ୪/୫ ଜଣ ଲୋକ ଏବେ କଟକ ବଡ଼ ମେଡିକାଲରୁ ଔଷଧ ଖାଉଛନ୍ତି।

ହରିଜନ ପଡ଼ାର ଏକମାତ୍ର ନଳକୂଅଟି ଅଚଳ ହୋଇଯିବାରୁ ଗାଁ ଭିତରକୁ ପ୍ରାୟ ୧ କିମି ରାସ୍ତା ପାଣି ନେଇ ଆସିବାକୁ ପଡୁଛି। ଏହି ଗ୍ରାମବାସୀଙ୍କ ପାଇଁ ଖରାଦିନ ଏକ ଅଭିଶାପ ସଦୃଶ। ଗାଧୋଇବା ତ ଦୂରର କଥା ଖାଇବା ପାଣି ଟିକିଏ ପାଇଁ କେତେ କଷ୍ଟ ଭୋଗିବାକୁ ପଡ଼େ। ଗ୍ରାମବାସୀଙ୍କ ଦାବି ଅନୁସାରେ ଗାଁରେ ଏକ ବୋରେଓ୍ଵଲ ଖୋଳି ପାଇପ ବିଛା ଯାଇ ଥିଲେ ଡେ ୨ ବର୍ଷ ହେବ ସେହିଭଳି ଅବସ୍ଥାରେ ପଡି ରହିଛି। ଷ୍ଟାଣ୍ଡପୋଷ୍ଟଗୁଡ଼ିକ ଭାଙ୍ଗି ଗଲାଣି। ଜଳ ଯୋଗାଣ ହୋଇ ପାରି ନାହିଁ। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରଦୀପ ଜେନାଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ବର୍ତ୍ତମାନ ଗ୍ରାମବାସୀ ବିଦ୍ୟୁତ ଦେୟର ସମସ୍ୟା ଲାଗି ରହିଥିବାରୁ ଏହାର ସମାଧାନ ହୋଇ ପାରୁ ନାହିଁ। ବିଦ୍ୟୁତ ବିଭାଗ ଓ ଗ୍ରାମବାସୀଙ୍କ ମଧ୍ୟରେ ବୁଝାମଣା ହେଲେ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର