ବୌଦ୍ଧ/ଶଗଡ଼ା: କଣ୍ଟାମାଳ ବ୍ଲକ ମନମୁଣ୍ଡା ପଞ୍ଚାୟତର ନୂର୍ପା ଗ୍ରାମରେ ଦେଖା ଦେଲାଣି ପାନୀୟ ସଂକଟ। ନୂର୍ପା ଗ୍ରାମବାସୀଙ୍କ ପାଇଁ ପାନୀୟ ପ୍ରକଳ୍ପ ନିର୍ମାଣ କରାଯାଇ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଥିଲା। ମାତ୍ର ପାନୀୟ ଜଳ ଯୋଗାଣ ପାଇଁ ନିର୍ମାଣ ହୋଇଥିବା ଓଭର ହେଡ୍ ଟ୍ୟାଙ୍କଟି ଫାଟି ଯାଇଥିବାରୁ ସେଥିରୁ ପାଣି ଗଳୁଛି। ଓଭର ହେଡ ଟ୍ୟାଙ୍କରେ ପାଣି ରହୁନଥିବାରୁ ଜଳ ଯୋଗାଣ ସମ୍ଭବ ହେଉ ନାହିଁ। ଟାଙ୍କିରେ ପାଣି ରହୁନଥିବାରୁ ମୋଟର ଚାଲିଲେ ମଧ୍ୟ ଲୋକଙ୍କ କାମରେ ପ୍ରକଳ୍ପ ଆସୁ ନାହିଁ। ଓଭର ହେଡ ଟ୍ୟାଙ୍କ ନିର୍ମାଣ ସମୟରେ ଅତି ନିମ୍ନମାନର କାମ ହୋଇଥିବାରୁ ଏବେ ଟାଙ୍କି ଫାଟି ଆଁ କଲାଣି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଲୋକେ ଜଳ ପାଇଁ ଡହଳ ବିକଳ ହେଉଛନ୍ତି। ଗାଁରେ ଚାରୋଟି ନଳକୂଅ ଥିଲେ ମଧ୍ୟ ଲୋକଙ୍କ ପାନୀୟ ସମସ୍ୟା ଦୂର ହେଉ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ବେଳେ ବେଳେ ନଳକୂଅରୁ ମଧ୍ୟ ପାଣି ବାହାରୁ ନାହିଁ। ନଳକୂଅର ପାଣି କ୍ଷାରୀୟ ହୋଇଥିବା ଯୋଗୁଁ ଏହା ପିଇବା ଯୋଗ୍ୟ ମଧ୍ୟ ହେଉ ନାହିଁ। ନୂର୍ପା ଗ୍ରାମର ବିଭିନ୍ନ ପ୍ରକଳ୍ପ ପାଇଁ ସରକାରୀ ଅନୁଦାନ ଆସୁଥିଲେ ମଧ୍ୟ ଏହାକୁ ଲୁଟ୍ କରାଯାଉଥିବାରୁ କୌଣସି ପ୍ରକଳ୍ପ କାର୍ଯ୍ୟକାରୀ ହେଉ ନାହିଁ କି ଲୋକଙ୍କ ସମସ୍ୟା ମଧ୍ୟ ସମାଧାନ ହୋଇ ପାରୁ ନାହିଁ। ପଞ୍ଚାୟତରୁ ଅନତି ଦୂରରେ ଥିବା ନୂର୍ପା କିନ୍ତୁ ସବୁବେଳେ ଆଢ଼ୁଆଳରେ ରହି ଯାଇଛି। ଏବେ ପାନୀୟ ଜଳ ପ୍ରକଳ୍ପ ଗୁଡିକର ମରାମତି କାମ ପଞ୍ଚାୟତ ସ୍ତରରେ କରାଯାଉଥିବାରୁ ପଞ୍ଚାୟତ ମଧ୍ୟ ଏଦିଗରେ ଦୃଷ୍ଟି ଦେଉ ନାହିଁ। ପାନୀୟ ପ୍ରକଳ୍ପ ଅଚଳ ପ୍ରସଙ୍ଗରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଏହା ଯେହେତୁ ପୂର୍ବରୁ ଟେଣ୍ଡର ହୋଇ କାମ ହୋଇଥଲା ଓ ଏବେ ପୁଣି ଟାଙ୍କିରୁ ପାଣି ଗଳୁଛି। ତେଣୁ ଏହାର ମରାମତି କାମ ପଞ୍ଚାୟତ ସ୍ତରରେ କରାଯିବ ବୋଲି ବିଭାଗୀୟ ଯନ୍ତ୍ରୀ କହିଥିଲେ।