ରାଉରକେଲାରେ ୫ ଫୁଟ ଗଭୀର ସେଫ୍ଟି ଟାଙ୍କିରେ ପଡ଼ି ଅଢ଼େଇ ବର୍ଷର ଶିଶୁ ମୃତ

ରାଉରକେଲା: ସେକ୍ଟର-୩ ଥାନା ଅନ୍ତର୍ଗତ ଅଟୋ କଲୋନିରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଅଢ଼େଇ ବର୍ଷର ଶିଶୁପୁତ୍ର ପ୍ରାୟ ୫ ଫୁଟ ଗଭୀର ଏକ ସେଫ୍ଟି ଟାଙ୍କିରେ ପଡ଼ି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଶିଶୁର ନାମ ହିମାଂଶୁ ସାହୁ। ସେ ସ୍ଥାନୀୟ ଅଞ୍ଚଳର କଳାକାର ସାହୁଙ୍କ ପୁଅ। ଶିଶୁପୁତ୍ରର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ସୂଚନା ଅନୁସାରେ ସେକ୍ଟର-୩ ଅଞ୍ଚଳରରେ କଳାକାର ସାହୁ ଏକ ଭଡ଼ା ଘରେ ରହୁଛନ୍ତି। ତାଙ୍କର ପୁଅ ହିମାଂଶୁ ଆଜି ଘର ବାହାରେ ଖେଳୁଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ହିଂମାଶୁକୁ ଘର ପଛପଟ ସେଫ୍ଟି ଟାଙ୍କିରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାକୁ ଗୁରୁତର ଅବସ୍ଥାରେ ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ହିମାଂଶୁକୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପୋଷ୍ଟମର୍ଟମ କରିବା ପରେ ଶିଶୁପୁତ୍ରର ମୃତହେଦ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ତେବେ କଳାକାଳ ସାହୁ ପୂର୍ବରୁ ସେକ୍ଟର-୫ ଗୋଲଘରରେ ରହୁଥିଲେ। ମାତ୍ର ସେକ୍ଟର-୩ ଅଞ୍ଚଳରେ ଭଡ଼ା ଘର ମିଳିବା ପରେ ଏଠାରେ ରହି ଆସୁଛନ୍ତି। ସେ ଏକ ଘରୋଇ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି। କଳାକାର ଯେଉଁ ଭଡ଼ା ଘରେ ରହୁଛନ୍ତି, ଏହାର ମାଲିକ ହେଉଛନ୍ତି ଆରଏସ୍‌ପିର ଜଣେ ଠିକାଦାର। ସଂପୃକ୍ତ ଠିକାଦାର ବେଆଇନ ଭାବେ ୪ଟି କ୍ୱାର୍ଟର ନିଜ ଅଧିନରେ ରଖି ଭଡ଼ା ଦେଉଛନ୍ତି। ଏଥି ପାଇଁ ସେ ଘର ପ୍ରତି ମାସିକ ୩ ହଜାର ଟଙ୍କା ନେଉଛନ୍ତି। ତେଣୁ ଏହି ଭଡ଼ା ଘର ସଂପର୍କରେ ତଦନ୍ତ ହେବାର ଆବଶ୍ୟକତା ଅଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର