କୁକୁର ଛୁଆକୁ ଗାଡ଼ି ତଳେ ଚାପି ଦେବା ଚାଳକଙ୍କୁ ମହଙ୍ଗା ପଡ଼ିଲା; ପୁଲିସ କଲା ଗିରଫ

ଭୁବନେଶ୍ୱର: କୁକୁର ଛୁଆକୁ ଗାଡ଼ି ତଳେ ଚାପି ମାରି ଦେଇଥିବା ହେତୁ ଜଣେ ଓଲା ଚାଳକଙ୍କୁ ଚନ୍ଦ୍ରଶେଖର ପୁଲିସ ସୋମବାର ଗିରଫ କରିଛି। ଗିରଫ ଓଲା ଚାଳକଙ୍କ ନାମ କାହ୍ନୁଚରଣ ଗିରି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି (ରବିବାର) ଶୈଳଶ୍ରୀବିହାର ଅଞ୍ଚଳରେ ରାସ୍ତା କଡ଼ରେ ୪ଟି କୁକୁର ଛୁଆ ଖେଳୁଥିଲେ। ଏହି ସମୟରେ ଓଲା ଚାଳକ କାହ୍ନୁ ଚରଣ ଗିରି ସେହି ରାସ୍ତାରେ ଏକ ଓଲା କ୍ୟାବ ଚଳାଇ ଯାଉଥିଲେ। କାହ୍ନୁଙ୍କ ଗାଡ଼ିର ବେଗ ଅଧିକ ଥିବା ସହିତ ଅସାବଧାନତା ହେତୁ ୪ଟି କୁକୁର ଛୁଆକୁ ସେ ଗାଡ଼ି ଚଢ଼ାଇ ଚାଲି ଯାଇଥିଲେ। ଫଳରେ ୪ଟି କୁୁକୁର ଛୁଆଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।

୪ଟି କୁକୁର ଛୁଆଙ୍କୁ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ଦେଖି ମା’ କୁକୁର କାହାକୁ କିଛି ନକହି ସେମିତି ଆଖିରୁ ଲୁହ ଝରାଇ ଚାଲିଥାଏ। କାଳେ ତାର ଛୁଆ ପୁଣି ଉଠି ରାସ୍ତାରେ ଖେଳିବେ, ବୁଲିବେ ସେ ଆଶା ନେଇ ରାସ୍ତାରେ ଜଗି ବସିଥାଏ ମା’ କୁକୁର।

କୁକୁର ଛୁଆକୁ କ୍ୟାବ୍‌ ଚାଳକ ମାରି ଚାଲିଯିବା ଘଟଣା ବିଷୟରେ ଜାଣିବା ପରେ ପଶୁପକ୍ଷୀଙ୍କ କଲ୍ୟାଣ ପାଇଁ କାମ କରୁଥିବା ପ୍ରାଣୀମଙ୍ଗଳ-ସଙ୍ଗଠନର ସଦସ୍ୟ (ପିପୁଲ ଫର୍‌ ଆନିମଲ୍‌)ମାନେ ସ୍ଥାନୀୟପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ମୁତାବକ ଚନ୍ଦ୍ରଶେଖର ପୁଲିସ ଉକ୍ତ ଓଲା ଚାଳକଙ୍କୁ ଆଜି ଗିରଫ କରିଛି।

ସମ୍ବନ୍ଧିତ ଖବର