ଘଷିପୁରା ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ବିବରଣୀ: ଝିଅ କହିଲା ଘରୁ ଡାକି ନେଇ ବାପାଙ୍କ ହାତଗୋଡ ହାଣି ମାରିଦେଲେ

କେନ୍ଦୁଝର: ଘଷିପୁରାରେ ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ଘରୁ ଡାକି ନେଇ କିଛି ଦୁବୃର୍ତ୍ତ ହାତଗୋଡ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ରାମଚନ୍ଦ୍ରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଘଷିପୁରା ଥାନା ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ପୁଲିସ ଗିରଫ କରିଛି। ରାମଚନ୍ଦ୍ର ୨୦୧୪ରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ । ରାମଚନ୍ଦ୍ର ୧୫, ୮୪୯ ଖଣ୍ଡ ଭୋଟ୍‌ ପାଇଁ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିଲେ ।

ସୂଚନାଯୋଗ୍ୟ, ଆଜି ବିଜେଡିରେ ସାମିଲ ହୋଇଥାନ୍ତେ ହତ୍ୟାକାଣ୍ଡର ଶିକାର ହୋଇଥିବା ରାମଚନ୍ଦ୍ର ବେହେରା। ଏ ନେଇ ସମସ୍ତ କଥାବାର୍ତ୍ତା ସରିଥିବାବେଳେ ମନ୍ତ୍ରୀ ବଦ୍ରୀ ପାତ୍ରଙ୍କ ଉପସ୍ଥିତିରେ ଆଜି ବିଜେଡିରେ ବିଧିବଦ୍ଧ ସାମିଲ ହୋଇଥାନ୍ତେ । ଶୁଣିବାକୁ ମିଳୁଛି ବିଜେଡିରେ ରାମଚନ୍ଦ୍ର ସାମିଲ ହେବାକୁ ନେଇ ଆଉ ଏକ ଗୋଷ୍ଠୀ ସହଜରେ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ ।

ଯାହାକୁ ନେଇ ଗତ କିଛି ଦିନ ଧରି ଛକାପଞ୍ଜା ଲାଗି ରହିଥିବା ଅନୁମାନ କରାଯାଉଛି । ହତ୍ୟାକାଣ୍ଡର ଶିକାର ହୋଇଥିବା ରାମଚନ୍ଦ୍ରଙ୍କ ଝିଅ ନିଜର ପ୍ରତିକ୍ରିୟାରେ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିବିଶେଷଙ୍କର ନାମ ମଧ୍ୟ ନେଉଛନ୍ତି । ଯେଉଁମାନେ ହେଉଛନ୍ତି କେନ୍ଦୁଝର ରାଜନୀତିରେ ବିଜେଡିର ଏକ ଗୋଷ୍ଠି । ରାମଚନ୍ଦ୍ର ବିଜେଡିରେ ସାମିଲ ହେବା ପରେ କାଳେ ଏମାନଙ୍କର ପତିଆରା ଓ ପ୍ରଭାବ କମିବ ତାକୁ ଆଖି ଆଗରେ ରଖି ଏହି ସୁସଂଗଠିତ ହତ୍ୟାକାଣ୍ଡ ଭିଆଇ ଯାଇଥିବା ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର