ଅନୁଗୁଳ: ଦୋକାନ, ଅଟୋ ଉପରକୁ ଚଢ଼ିଗଲା ଟ୍ରକ୍‌, ଜଣେ ମୃତ, ୩ ଆହତ

ଅନୁଗୁଳ: ଗତକାଲି ରାତିରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁଇଟି ଦୋକାନ ଓ ଏକ ଅଟୋ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହିତ ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଲୋକେ ବଇଣ୍ଡା-ଆଠମଲ୍ଲିକ ପୁର୍ତ୍ତବିଭାଗ ରାସ୍ତା ଅବରୋଧ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ବେଳେ ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ସାନଉଲ୍ଲା କ୍ରସର ଛକ ନିକଟରେ ଥିବା ଏକ ଜଳଖିଆ ଦୋକାନରେ କେତେଜଣ ବ୍ୟବସାୟୀ ଭୋଜି କରୁଥିଲେ। ଏହି ସମୟରେ ଓଆର୦୫ ଏଏନ ୯୮୬୬ ନମ୍ବର ବିଶିଷ୍ଟ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ରାଜଗାଙ୍ଗପୁରରୁ କେନ୍ଦ୍ରାପଡ଼ା ଯାଉଥିବା ବେଳେ ଭାରେସାମ୍ୟ ହରାଇ ଦୋକାନ ଆଡକୁ ମାଡ଼ି ଯାଇଥିଲା। ଟ୍ରକ୍‌ଟିି ପ୍ରଥମେ ସେଠାରେ ଥିବା ଏକ ଅଟୋ ଉପରେ ଚଢ଼ିଯିବାରୁ ଅଟୋ ମାଲିକ ଶ୍ରୀକାନ୍ତ ବେହେରାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଟ୍ରକଟିି ଜଳଖିଆ ଦୋକାନ ଭିତରକୁ ମାଡ଼ିଯିବାରୁ ଜଳଖିଆ ଦୋକାନୀ ରାଜନ ନାୟକ, ତେଜରାତି ଦୋକାନୀ ସଞ୍ଜୟ ମାଝି, ଧୀରେନ ସେଠୀ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହର ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇଛି। ଅପରପକ୍ଷେ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ଦାବିରେ ସ୍ଥାନୀୟ ଲୋକେ ବଇଣ୍ଡା- ଆଠମଲ୍ଲିକ ପୂର୍ତ୍ତବିଭାଗ ରାସ୍ତାକୁ ଅବରୋଧ କରିଛନ୍ତି।

ସମ୍ବନ୍ଧିତ ଖବର