କ୍ଷତିଗ୍ରସ୍ତ ଜମି ବୁଲିଲେ, କେନ୍ଦ୍ରକୁ ଦେବେ ରିପୋର୍ଟ

ବରଗଡ଼ ଜିଲ୍ଲାରେ ବିଜେପିର କେନ୍ଦ୍ରୀୟ ଟିମ୍‌

ବରଗଡ଼/ସୋହେଲା/କଳାପାଣି/ବିଜେପୁର/ ଅତାବିର: ଶୁକ୍ରବାର ବିଜେପି କେନ୍ଦ୍ରୀୟ ଟିମ୍‌ ଲୁହୁରାଚଟୀ ଦେଇ ଓଡ଼ିଶା ସୀମାକୁ ପହଂଚିବା ପରେ ସେଠାରେ ବିଧାୟକ କନକବର୍ଦ୍ଧନ ସିଂ ଦେଓ, ବିଧାୟକ ପ୍ରଦୀପ ପୁରୋହିତ, ବରିଷ୍ଠ ନେତା ସୁବାସ ଚୋହାନ, ପୂର୍ବ ବିଧାୟକ ମହମ୍ମଦ ରଫିକ, ବିଜେପି ଜିଲ୍ଲା ସଭାପତି ନାରାୟଣ ସାହୁ, ଶିବାଜୀ ମହାନ୍ତି, ଗିରିଜେଶ ଖାଡ଼ାଙ୍ଗା, ଅଶ୍ୱିନୀ ଷଡ଼ଙ୍ଗୀ, ସମୀର ପାତ୍ର, ସୋରୀ ଚରଣ ବାରିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ରବି ନାରାୟଣ ଦାଶ, ସୁଶାନ୍ତ ମିଶ୍ର, ଅଶୋକ ପାଣିଗ୍ରାହୀ, ଇରାଶିଷ ଆଚାଯ୍ୟର୍, ଗଣେଶ ସେଠ, ଦିବ୍ୟ କିଶୋର ଭୋଇ, ଗୋବିନ୍ଦ ରାମ ଅଗ୍ରଓ୍ଵାଲ, ହରିହର ସାହୁ, ସୁବ୍ରତ ସାହୁଙ୍କ ସମେତ ଦଳୀୟ କର୍ମୀମାନେ ସ୍ୱାଗତ ଜଣାଇଥିଲେ। ଏହାପରେ ଟିମ୍‌ ଅଗଷ୍ଟ ୨୪ ତାରିଖରେ ବିଷପାନ କରି ଆତ୍ମହତ୍ୟା କରିଥିବା ଚାଷୀ ଖଗେଶ୍ୱର ମେହେର(୨୮)ଙ୍କ ପରିବାରକୁ ଭେଟିଥିଲେ । ମୃତ ଚାଷୀଙ୍କ ପତ୍ନୀ ଶକୁନ୍ତଳାଙ୍କୁ ଭେଟି ମୃତ୍ୟୁର କାରଣ ଏବଂ ରାଜ୍ୟ ସରକାର ସେମାନଙ୍କୁ କିଭଳି ସାହାୟତା କରିଛନ୍ତି ପଚାରି ବୁଝିଥିଲେ। ଶକୁନ୍ତଳା ଏହି ଦଳ ଆଗରେ ସ୍ୱାମୀଙ୍କ ମୃତ୍ୟୁର କାରଣ ଓ ପରବର୍ତ୍ତୀ ପରିବାରର ଅବସ୍ଥା ସଂପର୍କରେ କାନ୍ଦି କାନ୍ଦି ପ୍ରକାଶ କରିଥିଲେ। ଚାଷୀଙ୍କୁ ତାର ଉତ୍ପାଦିତ ଫସଲର ଉଚିତ ମୂଲ୍ୟ ମିଳୁ ନାହିଁ। ରାଜ୍ୟ ସରକାର ଚାଷୀଙ୍କ ଧ୍ୟାନ ଦେଉ ନାହାନ୍ତି। ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ମିଳୁନାହିଁ। ତେଣୁ ସୀମାନ୍ତ ଅଂଚର ଚାଷୀମାନେ ପଡ଼ୋଶୀ ଛତିଶଗଡ଼ ରାଜ୍ୟକୁ ପଳାଉଛନ୍ତି।

ବିଜେପି ଶାସିତ ଛତିଶଗଡ଼, ମଧ୍ୟପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ଚାଷୀଙ୍କୁ ଟ୍ରାକ୍ଟର ବାବଦକୁ କୌଣସି ଟିକସ ଦେବାକୁ ପଡ଼ୁନଥିବାବେଳେ ଓଡ଼ିଶାରେ ଏଥିପାଇଁ ୨୫ହଜାର ଟଙ୍କା ଟିକସ ନିଆଯାଉଥିବା ଜାଣି ଟିମ୍‌ ଏକ ସାମ୍ବାଦିକ ସମ୍ମିଳନୀରେ ବିରକ୍ତି ପ୍ରକାଶ କରିଥିଲା। ସୋହେଲାରୁ ଏହି ଦଳ ବିଜେପୁର ବ୍ଲକର ଜାରିଂ ଓ ବରପାଲି ବ୍ଲକର ଧଉଁରାଖନ୍ଦା, କୁଶନପୁରୀ ଏବଂ ହଳଦୀପାଲି ଗ୍ରାମକୁ ଯାଇ ସେଠାରେ ଉଜୁଡ଼ା ଫସଲର ସ୍ଥିତି ନିରୀକ୍ଷଣ କରିଥିଲେ। ବିଜେପୁର ଜାରିଂ ଛକରେ ଏହି ଦଳକୁ ବିଜେପି ନେତା ଜିଲ୍ଲା ସାଧାରଣ ସଂପାଦକ ଡା.ଅରୂପା ସାହୁ, ହଳପାଣି ମାଝୀ, ଅଚ୍ୟୁତା ଦାଶ, ଶକୁନ୍ତଳା ମହାପାତ୍ର, ସବିତା ସାହୁ, ବିଶ୍ୱକାନ୍ତି ଭୋଇ, ଭୀଷ୍ମଦେବ ସରାଫ, କୃପାସିନ୍ଧୁ ସାହୁ, ଅଜିତ ସାହୁ, ସୁନାଫୁଲ ସେଠ, ଡା.ସୁଦାମ ସାହୁ, ଯୋଗୀନ୍ଦ୍ର ପଧାନ, କୈଲାସ ଗଡ଼ତିଆ, ଡୋଳାମଣି ସାହୁ, ନେହେରୁ ଦାଶ, ମହେଶ ଦେବତା ପ୍ରମୁଖ ସ୍ୱାଗତ କରିଥିଲେ । ସେଠାରେ ଚାଷୀମାନଙ୍କ ସହିତ ବିସ୍ତତ ଆଲୋଚନା କରିବା ପରେ କଳାପାଣି ପହଂଚି ମୃତ ଚାଷୀ ବୃନ୍ଦା ସାହୁଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ। କେଉଁ ପରିସ୍ଥିତିରେ ବୃନ୍ଦା ଆତ୍ମହତ୍ୟା କଲେ ସେନେଇ ପରିବାରଲୋକଙ୍କୁ ପଚାରି ବୁଝିଥିଲେ। କେନ୍ଦ୍ର ସରକାରଙ୍କୁ ଜଣାଇବା ପରେ ଆବଶ୍ୟକୀୟ ସହାୟତା ଦିଆଯିବ ବୋଲି ଟିମ୍‌ ସଦସ୍ୟମାନେ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ସୁକୁଟାପାଲି ଯାଇ ସେଠାରେ ଚକଡ଼ା ପୋକ ଲାଗିଥିବା ଚାଷଜମି ପରିଦର୍ଶନ କରିଥିଲେ। ସେଠାରୁ ଅତାବିରା ସରଣ୍ଡା ପଞ୍ଚାୟତ ଯାଇ ଚକଡ଼ା ପୋକ ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଥିଲେ। ସରଣ୍ଡା ଗୌନ୍ତିଆ ରମେଶ ମିଶ୍ରଙ୍କ ସାଢ଼େ ୭ ଏକର ଫସଲ ସମେତ କୈଳାସ ଚନ୍ଦ୍ର ପ୍ରଧାନଙ୍କ ୪ ଏକର ଧାନ ଫସଲ ନଷ୍ଟ ହୋଇଥିବା ଚାଷ ଜମି ଦେଖିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମିଳନ ସେଠ, ଚିତ୍ତରଂଜନ ଭୋଇ, କେ. ସରସ୍ୱତୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର