କୋରାପୁଟରେ କରୋନା ଛନକା: ଆତଙ୍କ ନୁହେଁ ସତର୍କତା ଉପରେ ଗୁରୁତ୍ବ, ବନ୍ଦ ହେଲା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ

ଆଗନ୍ତୁକଙ୍କ ଉପରେ ନଜର ରଖିବାକୁ ନିର୍ଦେଶ, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

କୋରାପୁଟ: କରୋନା ଭୁତାଣୁ ସାରା ବିଶ୍ବରେ ଆତଙ୍କ ଖେଳାଇଥିଲା ବେଳେ ଭାରତରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଓଡ଼ିଶାରେ କରୋନା ଆକ୍ରାନ୍ତ ନେଇ ରାଜ୍ୟରେ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ରାଜ୍ୟ ସରକାର ବିପର୍ଯ୍ୟୟ ଘୋଷଣା କରିଛନ୍ତି। ଆଉ ଏହାର ପ୍ରଭାବ କୋରାପୁଟ‌ରେ ପଡିଛି। କରୋନାକୁ ନେଇ ସାଧାରଣଲୋକଙ୍କ ଭିତରେ ଛନକା ପଶି ଯାଇଥିଲାବେଳେ ଶିକ୍ଷାନୁଷ୍ଠାନ ସବୁ ବନ୍ଦ କରାଯାଇଛି। କୋରାପୁଟରେ ସିନେମା ହଲ, ମୀନା ବଜାର ଆଦି ବନ୍ଦ ହୋଇ ଯାଇଛି। ବଡ ଧରଣର ସଭା ସମିତି ପାଇଁ ଅନୁମତି ଦେଉନି ପ୍ରଶାସନ। ଅପରପକ୍ଷରେ ସୁନାବେଡାରେ ଥିବା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ବନ୍ଦ ରହିବାକୁ ଘୋଷଣା କରାଯାଇଛି। ୪୮ ଘଣ୍ଟା ଭିତରେ ଛାତ୍ରାବାସ ଛାଡିବାକୁ ନିର୍ଦେଶ ଦେଇଛନ୍ତି କର୍ତ୍ତୃପକ୍ଷ।

ଓଡ଼ିଶା ସୀମାନ୍ତରେ କୋରାପୁଟ  ଜିଲ୍ଲା ଥିବାରୁ ଏଠାରେ କରୋନା ସଂକ୍ରମଣର ଯଥେଷ୍ଟ ଆଶଙ୍କା ରହିଛି। ଜିଲ୍ଲାରେ ଏହି ଭୂତାଣୁ ଜନିତ ସଂକ୍ରମଣର ପ୍ରମାଣ ମିଳି ନ ଥିଲେ ମଧ୍ୟ ସଂକ୍ରମଣ ଆଶଙ୍କାରେ ଲୋକେ ଭୟଭୀତ ଅଛନ୍ତି। ପୁଣି ସରକାର ଏଥିନେଇ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ପଦ‌କ୍ଷେପ ନେଉଥିବାରୁ ‌ଲୋକଙ୍କ ଭିତରେ ଛନକା ପଶି ଯାଇଛି। ଏହାର ପ୍ରଭାବ ସିଧାସଳଖ କୋରାପୁଟ ଉପରେ ପଡିଛି। ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ କରି ଦିଆଯାଇଛି। କେବଳ ପରୀକ୍ଷା ଥିବା ଶିକ୍ଷାନୁଷ୍ଠାନ ଖୋଲିଛି। କୋରାପୁଟରେ ଲାଗିଥିବା ମୀନାବଜାରକୁ ସିଲ କରି ଦିଆଯାଇଛି। ଏପଟେ ସିନେମା ହଲ ସବୁ ବନ୍ଦ ରହିଛି। ଏଥିନେଇ ଆଜି କୋରାପୁଟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବି ଅନୁଷ୍ଠିତ ହୋଇଛି। ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋରାପୁଟ ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି। ଜିଲ୍ଳାରେ ଆଜି ପର୍ଯ୍ୟନ୍ତ ଜଣେ ହେଲେ ବି କରୋନାରେ ଆକ୍ରାନ୍ତ ହୋଇ ନ ଥିଲାବେଳେ କେହି ସନ୍ଦିଗ୍ଧ ମଧ୍ୟ ଆସି ନ ଥିବା ବୈଠକରୁ ଜଣା ପଡିଛି। ଆଜି ପର୍ଯ୍ୟନ୍ତ ଜଣଙ୍କର ମଧ୍ୟ ରକ୍ତ ନମୁନା ସଂଗ୍ରହ କରାଯାଇନାହିଁ। ଏଠାରେ ସ୍ଥିତି ସ୍ବାଭାବିକ ରହିଛି। କରୋନାକୁ ଦୃ‌ଷ୍ଟିରେ ରଖି ନିୟନ୍ତ୍ରଣ କକ୍ଷ ମଧ୍ୟ ଖୋଲା ଯାଇଛି।  କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଏକ ‌କରୋନା ୱାର୍ଡ ଖୋଲାଯାଇଛି। ଡାକ୍ତରଖାନା ବାହାରେ ଏହି ୱାର୍ଡ ରହିଥିଲାବେଳେ ସନ୍ଧିଗ୍ଧ ସଂକ୍ରମିତଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରୀ ଟିମ ପ୍ରସ୍ତୁତ ହୋଇ ରହିଛି। ଏଠାରେ ୬ଟି ଶଯ୍ୟା ରଖା ଯାଇଛି। ସେହିପରି ଜୟପୁରରେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର କରୋନା ୱାର୍ଡ ଖୋଲିଛି।

ଜିଲ୍ଳାରେ ଜଣେ ହେଲେ ବି କରୋନା ଆକ୍ରାନ୍ତ ନ ଥିଲାବେଳେ ଏଥି‌ନେଇ ବିଭିନ୍ନ ଗୁଜବ ପ୍ରଶାସନର ମୁଣ୍ଡବ୍ୟଥା ବଢାଇ ଦେଇଛି। ତେଣୁ ଗୁଜବ ପ୍ରଚାର ନ କରିବାକୁ ପ୍ରଶାସନ ଅନୁରୋଧ କରିଛି। ଏପରିକି ଗୁଜବ ପ୍ରଚାର କରାଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଛି। କରୋନାର ମୁକାବିଲା ପାଇଁ ସତର୍କତା ଉପରେ ଗୁରୁତ୍ବ ଦିଆଯାଇଥିଲାବେଳେ ଅଯଥା ଆତଙ୍କ ସୃ‌ଷ୍ଟି ନ କରିବାକୁ କହିଛି ଜିଲ୍ଲା ପ୍ରଶାସନ। ଏପଟେ ବାହାରୁ ଆସୁଥିବା ଆଗନ୍ତୁକଙ୍କ ଉପରେ ନଜର ରଖିବାକୁ କୁହାଯାଇଛି। ପଞ୍ଚାୟତ ପ୍ରତିନିଧି, ପଞ୍ଚାୟତ ଅଧିକାରୀ, ସହରାଞ୍ଚଳର ଲୋକ ପ୍ରତିନିଧି ଓ ଅଧିକାରୀମାନେ ବାହାର ଲୋକମା‌ନଙ୍କ ଉପରେ ନଜର ରଖିବେ। ଏଥିନେଇ ପ୍ରଶାସନକୁ ଜଣାଇବା ସହ କେଉଁଠି କିଛି ସନ୍ଦେହ ରହିଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଏପଟେ କୋରାପୁଟ ଜିଲ୍ଲା ପ୍ରଶାସନ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛି। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କେହି ମୁଖ୍ୟାଳୟ ନ ଛାଡିବାକୁ କୁହାଯାଇଛି। ଏପରିକି ଛୁଟି ଦିନରେ ସେମାନେ ସହର ମହକୁମାରେ ରହିବେ।

କରୋନା ସଂକ୍ରମଣ ଆଶଙ୍କାରେ ସତକର୍ତା ମୂଳକ ପଦକ୍ଷେପ ଭାବେ ସୁନାବେଡାରେ ଥିବା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ୪୮ ଘଣ୍ଟା ଭିତରେ ହଷ୍ଟେଲ ଛାଡିବାକୁ ଛାତ୍ରାବାସମାନଙ୍କୁ ନିର୍ଦେଶ ଦିଆଯାଇଛି। ମିଡ ସେମିଷ୍ଟାର ପରିକ୍ଷାକୁ ସ୍ଥଗିତ ରଖାଯାଇଥିଲା ବେଳେ ସମସ୍ତ କର୍ମଶାଳା, ଆଲୋଚନାଚକ୍ର ଆଦିକୁ ବାତିଲ କରି ଦିଆଯାଇଛି। ବିଶ୍ବବିଦ୍ୟାଳୟର କୁଳସଚିବଙ୍କ ପକ୍ଷରୁ ଏଥିନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଏପଟେ ପରୀକ୍ଷା ନ ଥିବା ଜିଲ୍ଲାର ବିଭିନ୍ନ ହଷ୍ଟେଲଗୁଡିକ ଖାଲି କରିବାକୁ ନିର୍ଦେଶ ଦିଆଯାଇଛି। କେବଳ ଯେଉଁଠି ପରୀକ୍ଷା ଚାଲିଥିବା ସେଠାରେ ଛାତ୍ରଛାତ୍ରୀ ରହି ପାରିବେ।

କରୋନା ଭୟରେ ସାନିଟାଇଜର ଓ ମାକ୍ସର ଚାହିଦା ଢେର ବଢି ଯ‌ାଇଛି। ବଜାରରେ ଏହାର କୃତ୍ରିମ ଅଭାବ ଦେଖା ଦେଇଛି। କିଛି ସ୍ଥାନରେ ଏହା ଚଢା ଦରରେ ବିକ୍ରି ହେଉଛି। ତେବେ ଧାର୍ଯ୍ୟ ଦରରୁ ଅଧିକ ଦରରେ ଏହି ସବୁ ସାମଗ୍ରୀ ବିକିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପ୍ରଶାସନ। ଅପରପକ୍ଷରେ କରୋନା ନେଇ ପ୍ରଚାର ବଢିବା ପରେ ଆମିଷ ବଜାର ଥଣ୍ଡା ପଡି ଯାଇଛି।

ସମ୍ବନ୍ଧିତ ଖବର