ଚକଡ଼ା ଚଡ଼କ: ୫୬୫୮ ହେକ୍ଟର ଫସଲ ନଷ୍ଟ:ପୁଣି ଲଗାଇଲେ ନିଆଁ

ଫସଲ ନପୋଡ଼ିବାକୁ ଜିଲ୍ଲାପାଳଙ୍କ ନିବେଦନ
ସମ୍ବଲପୁର/ହୀରାକୁଦ/ଧମା: ଜିଲ୍ଲାରେ ଚକଡ଼ା ପୋକ ଯୋଗୁଁ ୫୩୪ ଗାଁର ୫୬୫୮ ହେକ୍ଟର ଫସଲ ନଷ୍ଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଧନକଉଡ଼ା ବ୍ଲକ ସର୍ବାଧିକ୍‌ ପ୍ରଭାବିତ ହୋଇଛି। ୧୯ଟି ପଞ୍ଚାୟତ ୮୩ ଗାଁର ୩୪୬୮ ଜମି ଏଥିରେ ଆକ୍ରାନ୍ତ ହୋଇଛି। ଅପରପକ୍ଷରେ ଚକଡ଼ା ଚଡ଼କ ଯୋଗୁଁ କ୍ଷତିଗ୍ରସ୍ତ ଚାଷୀମାନେ ଧାନ କ୍ଷେତରେ ନିଆଁ ଲଗାଇବା ଘଟଣା ବଢ଼ିବାରେ ଲାଗିଛି। ବରଗଡ଼ ପରେ ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ କର୍ଡୋଲା ପଞ୍ଚାୟତ କୁଡ଼ାପାଲିର କ୍ଷୁଦ୍ର ଚାଷୀ ସତ୍ୟାନନ୍ଦ ସେଠଙ୍କ ପରେ ମାନେଶ୍ୱର ବ୍ଲକ ସାହାସପୁର ଓ ଧମା ପଞ୍ଚାୟତର କେତେକ ଚାଷୀ ପୁଣି ନିଜ କ୍ଷେତରେ ନିଆଁ ଲଗାଇ ଦେଇଛନ୍ତି। ଅପରପକ୍ଷରେ ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା ଫସଲ ନପୋଡ଼ିବା ପାଇଁ ଚାଷୀମାନଙ୍କୁ ଅନୁରୋଧ କରିଛନ୍ତି। ସରକାରଙ୍କ ନିର୍ଦେଶକ୍ରମେ ଫସଲ କ୍ଷତିର ଆକଳନ କରାଯାଉଥିବା ବୋଲି ସେ କହିଛନ୍ତି।
ଚକଡ଼ା ପୋକର ପ୍ରାଦୁର୍ଭାବ ଯୋଗୁଁ ଫସଲ ନଷ୍ଟ ହେବାରୁ ହତାଶ ହୋଇ ଗୁରୁବାର ହୀରାକୁଦ ସହର ପାଖ ଗଡ଼ମୁଣ୍ଡାର ସୁରଥ ମିରିଗ, ପ୍ରଶାନ୍ତ ମିରିଗ ଏବଂ ବୁଢ଼ାକଟାର ଦେବାର୍ଚ୍ଚନ କିଶାନ ଧାନ କ୍ଷେତରେ ନିଆଁ ଲଗାଇ ଦେଇଛନ୍ତି। ସେହିପରି ମାନେଶ୍ୱର ବ୍ଲକ ସାହାସପୁର ପଞ୍ଚାୟତ ଅର୍ଡା ଗାଁର ସୂର୍ଯ୍ୟ କୁମାର ହୋତା ମଧ୍ୟ ଚକଡ଼ା ପୋକ ଲାଗିଥିବା ତାଙ୍କ ୨୦ ଡେସିମିଲ ଜମିରେ ଚାଷ ହୋଇଥିବା ଧାନ ଫସଲରେ ନିଆଁ ଲଗାଇଛନ୍ତି। ୨୫ ଏକର ଜମି ମଧ୍ୟରୁ ୧୮ ଏକର ଜମିରେ ହୋଇଥିବା ଫସଲ ଚକଡ଼ା ଯୋଗୁଁ ପ୍ରଭାବିତ ହୋଇଛି। ୮/୯ ଥର ଔଷଧ ସିଂଚନ କରିବା ପରେ କିଛି ଲାଭ ହୋଇ ନାହିଁ। ଗୋଟିଏ ଏକରକୁ ଏହି ବାବଦକୁ ୧୦/୧୫ ହଜାର ଟଙ୍କା ଖର୍ଚ ହୋଇଛି। ଧାନ ଚାଷରେ ବହୁ ଅର୍ଥ ଖର୍ଚ ହୋଇଛି।

ଫସଲ ଅମଳ ସମୟରେ ପୁଣି ଚକଡ଼ା ଲାଗିବା ଯୋଗୁଁ ଆର୍ଥିକ ମେରୁଦଣ୍ଡ ଦୋହଳି ଯାଇଛି ବୋଲି ଶ୍ରୀ ହୋତା କହିଛନ୍ତିି। ଧମା ପଞ୍ଚାୟତ ନୂଆଁଗାରେ ଫସଲ ନଷ୍ଟ ହେବାରୁ ଚାଷୀ ବାଲି ରଣବିଡ଼ା ତାଙ୍କ ଅଧା ଏକର ଧାନ ଫସଲରେ ନିଆଁ ଲଗାଇ ଦେଇଛନ୍ତି। ଅର୍ଡାର ସୁରୁବାଳି ବାଗଙ୍କ ୧୦ରୁ ୫ ଏକର, ରମାକାନ୍ତ ପାଣିଗ୍ରାହୀଙ୍କ ୨୫ ଏକରରୁ ୧୦ ଏକର ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। ସେହିପରି ପିପିଲିକାନି ଗାଁର ଜଗଦୀଶ ପାଣ୍ଡେ, ସଦାଶିବ ସେଟ୍‌, ତ୍ରିବିକ୍ରମ ଭୋଇ, ସତ୍ୟ ବାଗଙ୍କ ଧାନ ଫସଲ ମଧ୍ୟ ଚକଡ଼ା ଯୋଗୁଁ ନଷ୍ଟ ହୋଇଯାଇଛି। ନୂଆଁଗାଁର ସୁବାସ ହୋତା, ଭଗବାନ ପୁରୋହିତ, ବଳରାମ ବେହେରା, ସୀତାରାମ ମିଶ୍ର, ଚୌହାନ ରଣବିଡ଼ା, ଦୁଆନ ରଣବିଡ଼ା ପ୍ରମୁଖ ଚାଷୀ ମଧ୍ୟ ଚକଡ଼ା ରୋଗ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି। ବଡ଼ ଚାଷୀ ରମାକାନ୍ତ ପାଣିଗ୍ରାହୀ ୫୦ ହଜାର ଟଙ୍କା ଖର୍ଚ କରି ତାଙ୍କ ୧୦ ଏକର ଜମିରେ ୪ ଥର ଔଷଧ ସିଂଚନ କରିବା ପରେ ଫଳପ୍ରଦ ହୋଇ ନାହିଁ ବୋଲି କହିଛନ୍ତି।

ସୁରୁବାଳି ବାଗ ତାଙ୍କ ୭ଏକର ଜମିର ଧାନ ଫସଲ ଚକଡ଼ା ଖାଇଗଲା ବୋଲି ସହିତ ଔଷଧ ବାବଦକୁ ଦିଆଯାଇଥିବା ୭୦ ହଜାର ଟଙ୍କା ବି ବରବାଦ ହୋଇଗଲା ବୋଲି ଦୁଃଖର ସହ ପ୍ରକାଶ କରିଛନ୍ତି। ମନରଂଜନ ନାଏକ ୩୫ ଏକର ଜମିରେ ଧାନ ଚାଷ କରିଥିବା ବେଳେ ୨୦ ଏକର ଫସଲ କ୍ଷତି ଗ୍ରସ୍ତ ହୋଇଥିବା କହିଛନ୍ତି। ‘ଗୁରୁବାରଠାରୁ ରାଜସ୍ୱ ନିରୀକ୍ଷକ ଓ ଗ୍ରାମ ସେବକଙ୍କ ଦ୍ୱାରା ଯୁଗ୍ମ ଭାବେ ଯୁଦ୍ଧକାଳୀନ ଭିତ୍ତିରେ ଫସଲ କ୍ଷତିର ଆକଳନ କରାଯାଉଛି। ସମ୍ବଲପୁର ମହାନଗରର ଚାଉଁରପୁର, ସେହ୍ନାପାଲି ଅଞ୍ଚଳରେ ଚାଷୀମାନେ ଆଜି ଜିଲ୍ଲାପାଳଙ୍କୁ ଭେଟି ଚକଡ଼ା ପୋକର ପ୍ରାଦୁର୍ଭାବ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି। ୧୦ ଦିନ ତଳେ ଜିଲ୍ଲା କୃଷି ଓ ଉପନିର୍ଦ୍ଦେଶକଙ୍କୁ ଭେଟି ଏ ସଂପର୍କରେ ଜଣାଇବା ପରେ ବି କୌଣସି ଅଧିକାରୀ ପହଞ୍ଚି ନଥିବା ଚାଷୀମାନେ କହିଛନ୍ତି। କାଶୀ ବିଶ୍ୱନାଥ, ଜେ.ଭି.ରାଜୁ, ଘନଶ୍ୟାମ କର, ଦିନେଶ ନନ୍ଦ, ସୁଶାନ୍ତ ପଣ୍ଡା, ରବିନ୍ଦ୍ର ଝାଙ୍କର, ପ୍ରମୋଦ ମେହେର, ପଞ୍ଚାନନ ମେହେରଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଚାଷୀ ଆସି ଦାବିପତ୍ର ଦେଇଥିଲେ।
ଦୁଇ ଦିନ ମଧ୍ୟରେ ଏହା ଶେଷ ହୋଇଯିବ। ଶୀତ ଆସିଯାଇଥିବାରୁ ଏହି ପୋକର ପ୍ରାଦୂର୍ଭାବ କମିଯିବ ବୋଲି କୃଷି ଉପନିର୍ଦେଶକ ପ୍ରଦୋଷ ସାମଲ କହିଛନ୍ତି।

ସମ୍ବନ୍ଧିତ ଖବର