ଚାଷୀଙ୍କ ନିଦ ହଜାଇଛି ଚକଡା ପୋକ

କଲ୍ୟାଣିସଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଚକଡା ଚଡକ ଚାଷୀଙ୍କ ଉପରେ ପଡିଛି। ବ୍ଲକର ଶିକରପାଇ, ସେରିଗୁମା, ବୁଡାଗୁଡା, ମାଝିଗୁଡା, ପୂଜାରୀଗୁଡା, କଲ୍ୟାଣସିଂହପୁର, ଧାମୁଣିପଙ୍ଗା, କରପା, ନାରାୟଣପୁର, ସୁନଖଣ୍ଡି, ପୂଜାରୀଗୁଡା ପଞ୍ଚାୟତରେ ଫସଲ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ ରାଜସ୍ୱ ଓ କୃଷି ବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକରିବା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। ଚଳିତ ବର୍ଷ ପାଣିପାଗ ଅନୁକୂଳ ରହିଥିବାରୁ ଭଲ ଫସଲ ହୋଇଥିଲା। କିନ୍ତୁ କାଟିବା ପୂର୍ବରୁ ପୋକ ଚାଷୀଙ୍କ ଆଶାକୁ ବିଗାଡି ଦେଇଛି। ଶିକରପାଇ ପଞ୍ଚାୟତରେ ବହୁ ଚାଷୀ ଫାଉଣ୍ଡେସନ ବିହନ ଆଣି ଚାଷ କରିଥିଲେ।

ଧାନ ପାଚିବା ସମୟରେ ଫସଲରେ ପୋକ ଲାଗିଗଲା। ଗତ ୫ଦିନ ମଧ୍ୟରେ କୋପର ପ୍ରକୋପ ଚାଷୀଙ୍କୁ ଅକଳିଆ ପରିସ୍ଥିତିରେ ପକାଇ ଦେଇଛି ବୋଲି ଏନ.ନକୁଳ, ଦାମୋଦର ପ୍ରଧାନ, ବିଜୟ ନାୟକ, କେ.ଚେଲା ପ୍ରମୁଖ କହିଛନ୍ତି। ପାଚିଲା ଧାନରେ ଔଷଧ ସିଞ୍ଚନ କଲେ ଧାନକେଣ୍ଡା ଭାଙ୍ଗି ଯାଉଛି। ତେଣୁ ଔଷଧ ପକାଇବାକୁ ବି ଚାଷୀ ଉଚିତ ମଣୁନାହାନ୍ତି। ଗତ ୫ତାରିଖରେ ଉପଜିଲ୍ଲାପାଳ ପ୍ରବୀ ରକୁମାର ନାୟକ, କୃଷି ଅଧିକାରୀ ନାରାୟଣ ସାହୁ କିଛି ବିଶେଷଜ୍ଞ ସହ କ୍ଷେତ୍ର ପରିଦର୍ଶନ କରିଥିଲେ। ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି। ଚାଷୀଙ୍କ ସମସ୍ୟା ପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର