ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ଥାନା ଘେରାଉ

ଜମାରାଶି ଫେରସ୍ତ ଓ ଏଜେଣ୍ଟ ଗିରଫ ଦାବି

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ ପକ୍ଷରୁ ଆବାହକ ଦେବେନ୍ଦ୍ର ନାଏକଙ୍କ ନେତୃତ୍ୱରେ ଶୁକ୍ରବାର ଶତାଧିକ ଜମାକାରୀ ହାଟପଦା ଶିବ ମନ୍ଦିରରୁ ବିଭିନ୍ନ ସ୍ଲୋଗାନ ସହ ଏକ ଶୋଭାଯାତ୍ରାରେ କଣ୍ଟାମାଳ ଥାନା ସମ୍ମୁଖରେ ପହଞ୍ଚିଥିଲେ। ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ଜମାରାଶି ଫେରସ୍ତ ସହ ଏଜେଣ୍ଟଙ୍କୁ ତୁରନ୍ତ ଗିରଫ୍‌ ଦାବିରେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଏକ ଦାବିପତ୍ର କଣ୍ଟାମାଳ ଥାନା ଅଧିକାରୀ ଆଇଆଇସି ଅକ୍ଷୟ କୁମାର ଘଡେଇଙ୍କୁ ପ୍ରଦାନ କରିଥିଲେ। ଏଥିସହ କାଯ୍ୟର୍ାନୁଷ୍ଠାନ ନିମନ୍ତେ ଜିଲ୍ଲାପାଳ ବୌଦ୍ଧଙ୍କ ଉଦ୍ଦେଶ୍ୟରେ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଥିଲେ। ସି-ସୋର ଗ୍ରୁପ୍‌ ଏଜେଣ୍ଟ ଭାବେ କାମ କରି କଣ୍ଟାମାଳ ଅଂଚଳର ବହୁ ଜମାକାରୀଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଏଜେଣ୍ଟକୁ ତୁରନ୍ତ ଗିରଫ କରିବା ପାଇଁ ବିକ୍ଷୋଭକାରୀମାନେ ଦାବି କରିଥିଲେ।

ସେହିପରି ଅନ୍ୟଏକ ଚିଟଫଣ୍ଡ ସଂସ୍ଥା ଏମ୍‌. ଫାଇନାନ୍ସ ଗ୍ରୁପ୍‌ ଅଫ କମ୍ପାନିର ଏଜେଣ୍ଟ ମଧ୍ୟ ଅନୁରୂପ ଭାବେ ଭଲ ଯୋଜନା ଓ କମ ସମୟରେ ଜମାକାରୀଙ୍କୁ ଅଧିକ ଲାଭ ହେବାର ସ୍ୱପ୍ନ ଦେଖାଇ ଅର୍ଥ ହଡପ କରିଥିବା ଏଜେଣ୍ଟକୁ ମଧ୍ୟ ଗିରଫ ଦାବି କରି ଥାନା ଅଧିକାରୀ ଓ ଜିଲ୍ଲାପାଳ ବୌଦ୍ଧଙ୍କୁ ଲିଖିତ ଅଭିଯୋଗ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଚିଟଫଣ୍ଡ ସଂସ୍ଥା ବନ୍ଦ ହୋଇଯିବା ପରେ ଜମାକାରୀମାନେ ଟଙ୍କା ଅସୁଲ କରୁଥିବା ଏଜେଣ୍ଟକୁ ଜମାରାଶି ମାଗିଲେ ଜୀବନରେ ମାରିବା ଭଳି ଧମକ ମିଳୁଥିବା ଅଭିଯୋଗକାରୀମାନେ ଅଭିଯୋଗ କରିଥିଲେ। ଅପରପକ୍ଷେ ସ୍ଥାନୀୟ ଅଂଚଳରୁ କୋଟି କୋଟି ଟଙ୍କା ଲୋକଙ୍କ ଠାରୁ ନେଇଥିବା ଏଜେଣ୍ଟ ସଂପ୍ରତି ବିଳାସପୂର୍ଣ୍ଣ ଓ ଆଲିସାନ କୋଠା ନିର୍ମାଣ କରୁଥିବା ବେଳେ ନାମିଦାମୀ କାର କିଣୁଥିବା ଦେଖିବାକୁ ମିଳିଛି। ଯାହାକି ତଦନ୍ତ ସାପେକ୍ଷ। ଜମା ଅର୍ଥ ଫେରସ୍ତ ପାଇଁ ପ୍ରଶାସନ ପକ୍ଷରୁ କାଯ୍ୟର୍ାନୁଷ୍ଠାନ କରା ନ ଗଲେ ଆଗାମି ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ମିଳିତ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ତରଣୀ ନାଏକ, ଭୀଷ୍ମ ପୁଟେଲ, ବୈକୁଣ୍ଠ କବାଟ, ନିରଞ୍ଜନ କର୍ଣ୍ଣ, ଠାକୁରଚରଣ ନାଏକ ସମେତ ବହୁ ଜମାକାରୀ ବିକ୍ଷୋଭରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର