ପ୍ରମୁଖ ଶାସନ ସଚିବଙ୍କ ବୌଦ୍ଧ ଜିଲ୍ଲା ଗସ୍ତ

ବୌଦ୍ଧ: ରାଜ୍ୟ ସରକାରଙ୍କ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତ କରି ବିଭିନ୍ନ କାମର ସମୀକ୍ଷା କରିଥିବା ବେଳେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ଗୁରୁବାରଠାରୁ ଶ୍ରୀ ଗର୍ଗ ବୌଦ୍ଧ ଜିଲ୍ଲାକୁ ଗସ୍ତ କରିଥିବା ବେଳେ ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଳକର ବିଭିନ୍ନ ବିଭାଗୀୟ କାର୍ଯ୍ୟ ପରିଦର୍ଶନକରି ଶୁକ୍ରବାର ସଂଧ୍ୟାରେ ବୌଦ୍ଧ ଡିଆରଡିଏର ପଞ୍ଚାୟତ ଭବନରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ଶ୍ରୀ ଗର୍ଗ ଜିଲ୍ଲାରେ ନିରାମୟ ଯୋଜନା, ଆବାସ ଯୋଜନା, ଗ୍ରାମୀଣ ପାନୀୟ ଜଳ ଯୋଗଣ ଓ ସହର ପାନୀୟ ଜଳ ଯୋଗାଣ ଉପରେ ବିଶେଷ ଭାବେ ସମୀକ୍ଷା କରିଥିଲେ। ଲୋକଙ୍କ ପାଖରେ ଯେମତି ନିରାମୟ ଯୋଜନାରେ ଔଷଧ ମିଳିବ ସେ ବିଷୟରେ ତାଗିତ୍‌ କରିଥିଲେ। ସେହିପରି ଗ୍ରାମୀଣ ଜଳ ଯୋଗାଣ ବ୍ୟବସ୍ଥା ଜିଲ୍ଲାରେ ଅତି ଦୟନୀୟ ଭାବେ ରହିଥିବା ବେଳେ ଗ୍ରାମୀଣ ଲୋକଙ୍କୁ ପାନୀୟ ଜଳ ଏବେ ଯାଏଁ ସୁବିଧାରେ ମିଳୁନଥିବା ଯୋଗୁଁ ଏବିଷୟରେ ସ୍ୱତ୍‌ନ୍ତ୍ର ଯୋଜନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏବେ ଚକଡ଼ା ପୋକ ସମସ୍ୟା ନେଇ ଚାଷୀମାନେ ଚିନ୍ତାରେ ଥିବା ବେଳେ ଫସଲ ହାନି ଏକ ବଡ ସମସ୍ୟା ହୋଇଛି। ମାତ୍ର ବୌଦ୍ଧ ଜିଲ୍ଲାରେ ଧାନ ଚାଷ ୫୮ ହଜାରରୁ ଅଧିକ ହେକ୍ଟର ଜମିରେ ହୋଇଥିବା ବେଳେ ସରକାରୀ ଭାବେ ୩ଶହରୁ କିଛି ଅଧିକ ହେକ୍ଟର ଜମିରେ ଚକଡା ପୋକ ଲାଗି ଥିବା ସୂଚନା ଦିଆଯାଇଥିଲା। କମ୍‌ ଜମିରେ ଚକଡା ପୋକ ଲାଗି ଥିଲେ ମଧ୍ୟ ଏହାର ପ୍ରତିକାର କରିବା ପାଇଁ ଶ୍ରୀ ଗର୍ଗ ପରାମର୍ଶ ଦେଇଥିଲେ। ସେହିପରି ଆଗମୀ ଦିନରେ ଧାନ ସଂଗ୍ରହ ଯେପରି ସୁରୁଖୁରୁରେ ହେବ ସେଥିପାଇଁ ଏବେଠୁ ଯୋଗାଣ ବିଭାଗ ତା’ର ଖସଡ଼ା ପ୍ରସ୍ତୁତ କରିବାକୁ ସେ ନିର୍ଦେଶ ଦେଇଥିଲେ। ସାଧାରଣ ଲୋକେ ଯେପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ଠିକ୍‌ ଭାବେ ପାଇବେ ଓ ନିର୍ମାଣ ଶ୍ରମିକଙ୍କୁ ମିଳୁଥିବା ସରକାରୀ ସାହଯ୍ୟ ଯେପରି ଠିକ୍‌ରେ ପହଞ୍ଚିବ ପରାମର୍ଶ ଦେଇଥିଲେ। ଆଦିବାସୀ ଆବାସିକ ବିଦ୍ୟାଳୟର ପରିଚଳାନା ଯେପରି ଠିକ୍‌ ଭାବେ ହୁଏ ସେଥିପାଇଁ କଡା ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ କୃଷି ବିଭାଗ ଓ ଉଦ୍ୟାନ ବିଭାଗ ନିଜ ଇଛାରେ କାମ କରୁଥିବା ଯୋଗୁଁ ଗୁଡାଏ ଯୋଜନାର ସଫଳ ରୂପାୟନ ହେଉନଥିବାରୁ ଉଭୟ ବିଭାଗ ମିଳିତ ଭାବେ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସଭାପତିତ୍ୱ କରିଥିବା ବେଳେ ପିଡି ଡିଆରଡିଏ ରାଜେନ୍ଦ୍ର ପଟ୍ଟନାୟକ, ଲାଇନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର