ଚାଇଲ୍‌ଡ ଲାଇନ ଓ ଜିଆରପି ଦ୍ୱାରା ଷ୍ଟେସନରୁ ୧୪ ଦାଦନ ଶ୍ରମିକ ଉଦ୍ଧାର

ରାୟଗଡ଼ା: ଚାଇଲ୍‌ଡ ଲାଇନ ଓ ସରକାରୀ ରେଳବାଇ ପୁଲିସ (ଜିଆରପିଏସ)ର ମିଳିତ ଯାଂଚ ସମୟରେ ରାୟଗଡ଼ା ରେଳ ଷ୍ଟେସନରୁ ୧୪ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସମସ୍ତ ଶ୍ରମିକମାନେ କୋଲନରା ଓ ରାୟଗଡ଼ା ବ୍ଳକର ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୩ ଜଣ ନାବାଳକ ଓ ୨ଜଣ ନାବାଳିକା ମୋଟ ୫ଜଣ ଶିଶୁ ଶ୍ରମିକ ରହିଛନ୍ତି।

ତେବେ ଦଲାଲ ଫେରାର ଥିବା ଜଣାପଡିଛି। ଜିଆରପିଏସ ତରଫରୁ ଉଦ୍ଧାର କରାଯାଇଥିବା ୫ଜଣ ଶିଶୁ ଶ୍ରମିକଙ୍କୁ ଚାଇଲ୍‌ଡ ଲାଇନକୁ ହସ୍ତାନ୍ତର କରାଯାଇଥିବା ବେଳେ ୨ଜଣ ନାବାଳିକାଙ୍କୁ ରାତ୍ରରେ ସ୍ନେହା ଷ୍ଟେ’ହୋମରେ ଏବଂ ୩ଜଣ ନାବାଳକଙ୍କୁ ଚାଇଲ୍‌ଡ ଲାଇନ କେନ୍ଦ୍ରରେ ରଖାଯାଇଛି। ଉଦ୍ଧାର ହୋଇଥିବା ୫ଜଣଙ୍କ ପରିବାରଙ୍କୁ ଖବର ଦିଆଯାଇଥିବା ବେଳେ ଶିଶୁ କଲ୍ୟାଣ ସମିତିରେ କାଉନସେଲିଂ ପରେ ସେମାନଙ୍କୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ଏ ନେଇ ମିଳିଥିବା ସୂଚନା ପ୍ରକାରେ ଚାଇଲ୍‌ଡ ଲାଇନ ତରଫରୁ ରାୟଗଡ଼ା ରେଳ ଷ୍ଟେସନରେ ଶିଶୁ ଶ୍ରମିକ ଉଦ୍ଧାର ପାଇଁ ଚଢାଉ ବେଳେ ଷ୍ଟେସନର ପ୍ରଥମ ପ୍ଳାଟଫର୍ମରେ ୧୪ ଜଣ ଶ୍ରମିକ ତିରୁପତି ଓ ଚିଲିକା ଯିବା ପାଇଁ ଏକ ସ୍ଥାନରେ ବସିଥିଲେ। ଚାଇଲ୍‌ଡ ଲାଇନ ତରଫରୁ ଏମାନଙ୍କୁ ପଚରାଉଚୁରା ପରେ ୫ ଜଣ ଶିଶୁ ଶ୍ରମିକ ରହିଥିବା ଜଣାପଡିଥିଲା।

ଜିଆରପି ପୁଲିସ ସମସ୍ତ ୧୪ ଜଣଙ୍କୁ ଥାନାକୁ ଆଣିଥିବା ବେଳେ ୫ ଜଣ ଶିଶୁ ଶ୍ରମିକଙ୍କୁ ଚାଇଲ୍‌ଡ ଲାଇନକୁ ହସାନ୍ତର କରିଥିଲେ। ଉଦ୍ଧାର ହୋଇଥିବା ୩ଜଣ ନାବାଳକଙ୍କ ମଧ୍ୟରୁ ୨ଜଣଙ୍କ ଘର ରାୟଗଡ଼ା ବ୍ଳକ ଆଲୁବାଡି ଗ୍ରାମ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର କୋଲନରା ବ୍ଳକର ବଡଖିଲାପଦର ଗ୍ରାମ ଏବଂ ୨ଜଣ ନାବାଳିକାଙ୍କ ଘର କୋଲନରା ବ୍ଳକ ଭାତପୁର ଗ୍ରାମ ବୋଲି ଜଣାପଡିଥିବା ବେଳେ ୩ଜଣ ପୁଅ ଚିଲିକା ପାଖେ ଥିବା ଚିଙ୍ଗୁଡି କଳରେ ଏବଂ ୨ଜଣ ନାବାଳିକା ତିରୁପତିରେ ସିଲେଇ କମ୍ପାନିରେ ଶ୍ରମିକ ଭାବେ ନିଯୁକ୍ତ ପାଇଁ ଯାଉଥିବା ଚାଇଲ୍‌ଡ ଲାଇନ କେନ୍ଦ୍ର ସଂଯୋଜିକା କେ. ନିଲିମା ସୂଚନା ଦେଇଛନ୍ତି।

ଏହି ଚଢାଉରେ ଟିମ ମେମ୍ବର ସନ୍ତୋଷ କୁମାର ପଲେଇ, ପି.ଦୁର୍ଗାପ୍ରସାଦ ସେନାପତି ପ୍ରମୁଖ ସାମିଲ ରହିଥିଲେ। ଚଳିତ ବର୍ଷର ଜାନୁଆରି ମାସ ଠାରୁ ଆଜି ପର୍ଯ୍ୟନ୍ତ ୨୦ଟି ଶିଶୁ ଶ୍ରମିକ ଉଦ୍ଧାର କେସ ପଂଜୀକୃତ ହୋଇଥିବା ଚାଇଲ୍‌ଡ ଲାଇନ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର