କଂଗ୍ରେସର ଚିତ୍ରକୋଣ୍ଡା ବନ୍ଦ

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି

ମାଲକାନଗିରି/ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା କଂଗ୍ରେସର ଡାକରାକ୍ରମେ ଆଜି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡାରେ ବନ୍ଦ ପାଳନ କରାଯାଇଥିଲା। ବିଭିନ୍ନ ଦାବି ନେଇ ଗତକାଲି ଠାରୁ କଂଗ୍ରେସ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣା ମଧ୍ୟ ଆଜି ଦ୍ୱିତୀୟ ଦିନରେ ଜାରି ରହିଥିଲା। ଆଜି ସ୍ଥାନୀୟ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। କଂଗ୍ରେସ କର୍ମୀ ସକାଳୁ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ବନ୍ଦ ଯୋଗୁଁ ଜନଜୀବନ ପ୍ରବାଭିତ ହୋଇଥିଲା।
ଗତକାଲି ଠାରୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ନେତୃତ୍ୱରେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ଲକ୍ଷ୍ମୀପୁର ବିଧାୟକ କୈଳାସ କୁଲସିକା, ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର, ସଂପାଦକ ରାମ ପ୍ରସାଦ ପଟନାୟକ, ସରୋଜ ପାତ୍ର, ପେଣ୍ଡ୍ରା ପଣ୍ଡା ସମେତ ବହୁ କଂଗ୍ରେସ ନେତା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଗତକାଲି ବ୍ଲକର ୨ଶହ ଛାତ୍ରଛାତ୍ରୀ ଜାତି ପ୍ରମାଣ ପତ୍ର ପାଇ ନଥିବାରୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ଆଜି ମଧ୍ୟ ବହୁ ଛାତ୍ରଛାତ୍ରୀ ଆସି ଅନୁରୂପ ଅଭିଯୋଗ କରିଥିଲେ। ତୁରନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ଦେବାକୁ ଆଜି ପୁଣି କଂଗ୍ରେସ ଦାବି କରିଥିଲା।

ତହସିଲଦାର ଫାଲଗୁନୀ ମାଝି ସମସ୍ତଙ୍କୁ ତଦନ୍ତ କରି ତୁରନ୍ତ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ପାନୀୟ ଜଳ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସ୍କୁଲ ତଥା କଲେଜରେ ପିଲାଙ୍କୁ ରଖିବା ପାଇଁ ଖାଇବା ବ୍ୟବସ୍ଥା କରିବାକୁ କଂଗ୍ରେସ ଦାବି କରିଛି। ଯଦି ଏହି ଦାବି ଗୁଡିକ ପୂରଣ କରାନଯାଏ ତାହାଲେ ଆନ୍ଦୋଳନକୁ ତୀବ୍ର କରାଯିବ। ଆବଶ୍ୟକ ହେଲେ ମାଲ୍ୟବନ୍ତ ମହୋତ୍ସବକୁ ମଧ୍ୟ ବନ୍ଦ କରିଦିଆଯିବ ବୋଲି ଧମକ ଦିଆଯାଇଛି। ସେହିପରି ଏସଆର କଂପାନି ପାରିପାର୍ଶ୍ୱିକ ଉନ୍ନୟନ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି। ପୁଣି ଜଂଗଲ ଜମି ପଟ୍ଟା ଲୋକେ ପାଇବାରୁ ବଂଚିତ ହେଉଥିବା ବେଳେ ଏହାକୁ ପ୍ରଶାସନ ଅଣଦେଖା କରିବା ନିନ୍ଦନୀୟ ବୋଲି କହିଥିଲେ। ଆଜି ସଂଧ୍ୟା ପର୍ଯ୍ୟନ୍ତ ଧାରଣା ଦିଆଯାଇଥିବା ବେଳେ ଦରକାର ପଡିଲେ ଏହାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି କଂଗ୍ରେସ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର