ପୋଖରୀରେ ବୁଡ଼ି ୨ୟ ଶ୍ରେଣୀ ଛାତ୍ର ମୃତ, ସ୍କୁଲରେ ତାଲା ପକାଇ ୩ ଶିକ୍ଷକ ଫେରାର

ନୀଳଗିରି: ବିଦ୍ୟାଳୟରେ ମଧ୍ୟାହ୍ଣ ଭୋଜନ ପରେ ଅଇଁଠା ଥାଳି ଧୋଉଥିବା ବେଳେ ଶନିବାର ପୂର୍ବାହ୍ଣରେ ଗୋଡ଼ ଖସିଯିବାରୁ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଭୟରେ ପ୍ରଧାନ ଶିକ୍ଷକ ପୀତାମ୍ବର ସିଂହଙ୍କ ସମେତ ୩ ଜଣ ଶିକ୍ଷକ ସ୍କୁଲରେ ତାଲା ପକାଇ ଫେରାର ହୋଇଯିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ହେଉଛି। ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ ନୀଳଗିରି ଥାନା ଅନ୍ତର୍ଗତ ବାଘମରା ଗ୍ରାମର ଶମ୍ଭୁ ସିଂଙ୍କ ପୁଅ ଅଜୟ (୭ ବର୍ଷ) ୨ୟ ଶ୍ରେଣୀରେ ପଢୁଥିଲା। ବିଦ୍ୟାଳୟରେ ମଧ୍ୟାହ୍ଣ ପରେ ସେ ଆଜି ଅନ୍ୟପିଲାମାନଙ୍କ ସହିତ ବିଦ୍ୟାଳୟକୁ ଲାଗିଥିବା ପୋଖରୀକୁ ଥାଳି ଧୋଇବାକୁ ଯାଇଥିଲା। ଏହି ସମୟରେ ଅସାବଧାନତା ଯୋଗୁଁ ଅଜୟ ପାଣିକୁ ଖସି ପଡ଼ିଥିଲା। ଅନ୍ୟ ପିଲାମାନେ ସ୍କୁଲର ଶିକ୍ଷକମାନଙ୍କୁ ସୂଚନା ଦେବା ବେଳକୁ ଅଜୟର ମୃତ୍ୟୁ ହୋଇଯାଇଥିଲା।

ଅଜୟର ପିତା-ମାତା ଗରୀବ ଶ୍ରେଣୀର ହୋଇଥିବାରୁ ସେମାନେ କାମ କରିବା ପାଇଁ ବିଲକୁ ଯାଇଥିଲେ। ଖବର ପାଇ ସେମାନେ ବିଦ୍ୟାଳୟରେ ପହଞ୍ଚିଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଞ୍ଚି ମୃତଦେହ ଜବତ କରିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଅଜୟର ମୃତ୍ୟୁକୁ ନେଇ ନୀଳଗିରି ବ୍ଲକ ଶିକ୍ଷା ଅଧିକାରୀ ଭଗିରଥ ଗିରି କହିଛନ୍ତି, ଶିଶୁର ମୃତ୍ୟୁ ବିଷୟରେ ଜାଣିବା ପରେ ଶିକ୍ଷକମାନେ ସ୍କୁଲରେ ତାଲା ପକାଇ ଫେରାର ହୋଇଛନ୍ତି। ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ଗିରି କହିଛନ୍ତି। ସୂଚନାଯୋଗ୍ୟ ବାଘମରା ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପିଲାମାନେ ପାଠ ପଢ଼ନ୍ତି।

ସମ୍ବନ୍ଧିତ ଖବର