ବୈପାରିଗୁଡ଼ା କଲେଜରେ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

ଜୟପୁର: କୋରାପୁଟ୍‌ ଜଲ୍ଲା ବୈପାରିଗୁଡ଼ା କଲେଜର ଜଣେ ଛାତ୍ରଙ୍କୁ ତାଙ୍କର ଜଣେ ସହପାଠୀ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆହତ ଛାତ୍ରଙ୍କୁ ପ୍ରଥମେ ଜୟପୁର ଓ ପରେ କୋରପୁଟ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଜୟପୁର ବ୍ଲକ୍‌ ଅନ୍ତର୍ଗତ ଆମ୍ଭଗୁଡ଼ା ଗ୍ରାମର ଯୁକ୍ତ ଦୁଇ ଛାତ୍ର ଜୟରାଜ ଢ଼ାଲି ଓ ବିଜୟ ଖୋସ୍‌ଲା ସାଙ୍ଗ ହୋଇ ସାଇକେଲ ଯୋଗେ ବୈପାରିଗୁଡ଼ା କଲେଜକୁ ପଢ଼ିବାକୁ ଯାଇଥିଲେ। ତେବେ କଲେଜ ଗେଟ୍‌ ସମ୍ମୁଖରେ ପହଞ୍ଚିବା ପରେ କୌଣସି କାରଣରୁ ଜୟରାଜ ଓ ବିଜୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିିରେ ଉତ୍ତ୍ୟକ୍ତ ହୋଇ ବିଜୟ ଜୟରାଜଙ୍କ ମୁଣ୍ଡକୁ ଏକ ଖଣ୍ଡା ଦ୍ୱାରା ଆକ୍ରମଣ କରିଥିଲେ। ଏ ଘଟଣା କଲେଜ ପରିସର ବାହାରେ ହୋଇଥିବାରୁ କଲେଜ କର୍ତ୍ତୃପକ୍ଷ ଏ ସମ୍ପର୍କରେ କେବଳ ବୈପାରିଗୁଡ଼ା ଥନାକୁ ଫୋନ ଯୋଗେ ସୂଚନା ଦେଇଛନ୍ତି। ତେବେ ପ୍ରେମଜନିତ କାରଣ ପାଇଁ ଏହି ଗଣ୍ଡଗୋଳ ଘଟିଥିବା କଲେଜରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର