ବାଲିଗୁଡାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ

କନ୍ଧମାଳ: ମଙ୍ଗଳବାର ସକାଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଗାଁ ଘାଟିରେ ଏକ ୪୦୭ ଟ୍ରକ୍‌ ଭାରସାମ୍ୟ ହରାଇ ଘାଟିରୁ ତଳକୁ ଓଲଟି ପଡ଼ିଥିବାରୁ ଘଟଣାସ୍ଥଳରେ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୨୫ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି ।  ମୃତକ ଓ ଆହତଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ମିଳିବା ସହ ଆହତଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।


ସୂଚନାଯୋଗ୍ୟ, ପ୍ରାୟ ୪୦ରୁ ଊର୍ଧ୍ୱ ଜଣ ଏକ ମିନିଟ୍ରକ ଯୋଗେ ବ୍ରାହ୍ମଣୀ ଗାଁ ଗଦାପୁରକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ଘାଟିର ଏକ ବୁଲାଣି ନିକଟରେ ଟ୍ରକ୍‌ ଡ୍ରାଇଭର ଗାଡ଼ିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ଫଳରେ ଟ୍ରକ୍‌ ୧୦ ଫୁଟ  ତଳକୁ ଖସିପଡିଥିଲା। ଆହତମାନଙ୍କୁ ବ୍ରାହ୍ମଣୀଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ଗୁରୁତରମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସମ୍ବନ୍ଧିତ ଖବର