କଟ୍‌ନି ଛଟ୍‌ନି ରୋକିବାକୁ ମନ୍ତ୍ରୀଙ୍କ ନିର୍ଦେଶ

ସୁବର୍ଣ୍ଣପୁର ଜିଲ୍ଲାରେ ୧୩ରୁ ଧାନ ସଂଗ୍ରହ

ସୋନପୁର: ଶୁକ୍ରବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ତଥା ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ଅଧ୍ୟକ୍ଷ ଦାଶରଥି ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ୨୦୧୭-୧୮ ଖରିଫ ଧାନ ସଂଗ୍ରହ ଆସନ୍ତା ୧୩ ତାରିଖରୁ ଜିଲ୍ଲାରେ ଆରମ୍ଭ ହେବା ନେଇ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୯୪ ହଜାର ୧୧୭. ୬୪୭ ମେଟ୍ରିକ୍‌ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ବୈଠକରେ ଶିଳ୍ପ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରୀ ଯୋଗଦେଇ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଯେପରି ସୁଚାରୁରୂପେ ହେବ ଏବଂ ଚାଷୀ ଠିକ ସମୟରେ ଧାନ ବିକ୍ରି ଟଙ୍କା ପାଇପାରିବ ସେନେଇ ଅଧିକାରୀମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଏଥି ସହିତ କଟନି ଛଟନି ରୋକିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି ଧାନ କ୍ରୟ ଆରମ୍ଭ ହୋଇ ଅପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ସାଧାରଣ ଧାନ କ୍ୱିଣ୍ଟାଲ ପିଛା ୧୫୫୦ ଟଙ୍କା ଏବଂ ଗ୍ରେଡ ‘ଏ’ ଧାନ କ୍ୱିଣ୍ଟାଲ ପିଛା ୧୫୯୦ ଟଙ୍କା ପ୍ରଦାନ କରାଯିବ।

ଯେଉଁ ମିଲର୍ସ ୩୧.୧୦.୨୦୧୭ ସୁଧା ଶତପ୍ରତିଶତ କଷ୍ଟମ ମିଲିୁଂ ଚାଉଳ ଦେଇଥିବେ ସେମାନେ ସିକ୍ୟୁରିଟି ଜମା ରାଶିର ୬ ଗୁଣ ଧାନ ଚାଷୀଙ୍କ ଠାରୁ କ୍ରୟ କରିପାରିବେ । ଏହାପରେ ଯେଉଁ ମିଲର୍ସ ଶତ ପ୍ରତିଶତ କଷ୍ଟମ ମିଲିଂ ଚାଉଳ ଦେବେ ସେମାନେ ଯେତିକି ଧାନ କ୍ରୟ କରିବେ ତାର ଶତ ପ୍ରତିଶତ ସିକ୍ୟୁରିଟି ଜମା ରାଶି ଜମା କରିବାକୁ ପଡ଼ିବ। ବାହାର ମିଲର୍ସ ଜମା ରାଶିର ୩ ଗୁଣ ଧାନ କ୍ରୟ କରିପାରିବେ। ବର୍ତ୍ତମାନ ସୁଧା ଜିଲ୍ଲାରେ ୩୩ଟି ମଲର୍ସଙ୍କ ମଧ୍ୟରୁ ୨୯ ଟି ମିଲର୍ସ ଶତପ୍ରତିଶତ କଷ୍ଟମ ମିଲଂ ଚାଉଳ ପ୍ରଦାନ କରିସାରିଛନ୍ତି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୩୮ ହଜାର ୩୮୯ ଜଣ ଚାଷୀଙ୍କର ପଞ୍ଜୀକରଣ ସରିଛି।
ଜିଲ୍ଲାରେ ୬୪ଟି ପ୍ୟାକ୍ସ, ୧୩ଟି ସଂପ୍ରସାରଣ ଧାନ କ୍ରୟ କେନ୍ଦ୍ର, ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟି ଅଧୀନରେ ୪ଟି ମାର୍କେଟ ୟାର୍ଡ ଏବଂ ବୀରମହାରାଜପୁର ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଗୋଟିଏ ମାର୍କେଟ ୟାର୍ଡରେ ଧାନ କ୍ରୟ କରାଯିବ। ଅଣ ଜଳସେଚିତ ଅଂଚଳର ଚାଷୀମାନେ ଏକର ପିଛା ୧୨ କ୍ୱିଣ୍ଟାଲ ଏବଂ ଜଳସେଚିତ ଅଂଚଳର ଚାଷୀମାନେ ଏକର ପିଛା ୧୯ କ୍ୱିଣ୍ଟାଲ ଧାନ ବିକ୍ରି କରିପାରିବେ।

ଚଳିତ ବର୍ଷ ଧାନ କ୍ରୟରେ ଅଧିକ ସ୍ୱଛତା ଅବଲମ୍ବନ କରାଯିବା ସହିତ ଚାଷୀ ଯେମିତି ଠିକ ସମୟରେ ତାଙ୍କର ପ୍ରାପ୍ୟ ପାଇପାରିବେ ସେ ନେଇ ପଦକ୍ଷେପ ନିଆଯାଉଥିବା ସୂଚନା ଦିଆଯାଇଥିଲା। ଡିଜିଟାଲ ସ୍ୱାକ୍ଷର କାର୍ଯ୍ୟକାରୀ ହେବା ସହିତ ଓଡ଼ିଶା ରାଜ୍ୟ କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ସିଧା ସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଧାନ ବିକ୍ରୟ ଟଙ୍କା ଯିବ। ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ମାର୍କେଟ ୟାର୍ଡ ଏବଂ ପ୍ୟାକ୍ସମାନଙ୍କୁ ମଶ୍ଚର ମିଟର, ଆନାଲିସିସ କିଟ, ତାରପୋଲିନ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ପୂର୍ବ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହିମାଂଶୁ ଶେଖର ବିଶ୍ୱାଳ, ପିଡି ଡିଆର୍‌ଡିଏ ବିଶ୍ୱନାଥ ସାହୁ, ସୋନପୁର ଉପ ଜିଲ୍ଲାପାଳ ବଳରାମ ମଲ୍ଲିକ, ବୀରମହାରାଜପୁର ଉପଜିଲ୍ଲାପାଳ ଗୋପୀନାଥ ସାରକା, ଜିଲ୍ଲା ଯୋଗାଣ ଅଧିକାରୀ ବିବେକାନନ୍ଦ କୋରକେରା, କୃଷି ଉପନିର୍ଦ୍ଦେଶକ ପ୍ରଦୀପ ମହାନ୍ତି, ସୋନପୁର ଏଆର୍‌ସିଏସ୍‌ ଭୀମମାନ ସାହୁ, ବୀରମହାରାଜପୁର ଆର୍‌ଏମ୍‌ସି ସମ୍ପାଦକ ବନମାଳି ନାଏକ, ଡୁଙ୍ଗୁରିପାଲି ଆର୍‌ଏମ୍‌ସି ସମ୍ପାଦକ ଉଦିତ ବାବୁ, ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ରାମପ୍ରସାଦ ମାଝୀ, ଡିଆଇପିଆରଓ ଭୂଜଙ୍ଗ ଭୂଷଣ ରାଓ, ଜିଲ୍ଲା ମିଲର୍ସ ଆସୋସିଏସନ ସଭାପତି ମନୋଜ ପ୍ରଧାନ, ସମ୍ପାଦକ ବସନ୍ତ ସୁବୁଦ୍ଧି, କୋଷାଧ୍ୟକ୍ଷ ଆଶିଷ ରଂଜନ ବାବୁ, ଆନନ୍ଦ କୁମାର ବାବୁ, ମନିଷ ଅଗ୍ରଓ୍ଵାଲ, ଚାଷୀ ପ୍ରତିନିଧି ସଜନ ପଣ୍ଡା ଓ ପ୍ରକାଶ ହୋତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର