ଦିଲ୍ଲୀରେ ଦାବି ଜଣାଇବ କଂଗ୍ରେସ

ନବ ଭାରତ-୨୦୨୨ରେ ସାମିଲ ପ୍ରସଙ୍ଗ

ନବରଙ୍ଗପୁର: କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ଦେଶର ୧୧୫ ପଛୁଆ ଜିଲ୍ଲାର ବିକାଶ ପାଇଁ ନବ ଭାରତ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ନବରଙ୍ଗପୁର ଭଳି ପଛୁଆ ଜିଲ୍ଲା ସାମିଲ କରାଯାଇ ନାହିଁ। ଏହି ଯୋଜନାରେ ଜିଲ୍ଲାକୁ ସାମିଲ କରିବାକୁ ଧିରେ ଧିରେ ଜୋର ଧରିଲାଣି ଦାବି। ଗତକାଲି ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମଳିନୀ ମାଧ୍ୟମରେ ଦାବି କରାଯାଇଥିଲା। ଏହାପରେ ଆଜି କଂଗ୍ରେସ ଅନୁରୂପ ଦାବି କରିଛି। ତେବେ ବିଜେପି ଓ ବିଜେଡିକୁ ଆଜି ସାଧାସଳଖ ଟାର୍ଗେଟ କରିଛି କଂଗ୍ରେସ। ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ପୂର୍ବତନ ବିଧାୟକ ସଦନ ନାୟକ କହିଛନ୍ତି ଯେ ୟୁପିଏ ସରକାର ଅମଳରେ ନବରଙ୍ଗପୁର ଭଳି ଅନଗ୍ରସର ଜିଲ୍ଲାର ବିକାଶ ପାଇଁ ଏଲଟିଏପି, କେବିକେ ଯୋଜନା ଆଇଟିଡିଏରେ ସାମିଲ କରାଯାଇଥିଲା।

ସେହିପରି କେନ୍ଦ୍ର ସରକାର ଯେଉଁ ସବୁ ଜିଲ୍ଲାକୁ ଯୋଜନାରେ ସାମିଲ କରିଛନ୍ତି ତାହାସହ ନବରଙ୍ଗପୁର ଜିଲ୍ଲାର ତୁଳନାତ୍ମକ ଚିତ୍ର ମଧ୍ୟ ଦିଆଯାଇଥିଲା। ଜିଲ୍ଲାର ବିକାଶ ପାଇଁ କଂଗ୍ରେସ ଆନ୍ଦୋଳନ କରୁଥିବା ବେଳେ ବିଜେଡି ଜିଲ୍ଲାରେ ବିକାଶ ହୋଇଥିବା ନେଇ ଡିଣ୍ଡିମ ପିଟୁଥିଲା। ଜିଲ୍ଲାପାଳ ମଧ୍ୟ ପୁରସ୍କୃତ ହେଉଥିଲେ। ବିଜେପି ସରକାର କ୍ଷମତାକୁ ଆସିବା ପରେ କେବିକେ ଜିଲ୍ଲାର ବିକାଶ ପାଇଁ କାର୍ଯ୍ୟକାରୀ ହୋଇଥିବା ୩୯ଟି ଯୋଜନାକୁ ବନ୍ଦ କରିଦେଲେ। ବିଜେଡି ଏହି ଜିଲ୍ଲାର ଚିତ୍ରକୁ କେନ୍ଦ୍ର ଆଗରେ ଠିକ ଭାବେ ଉପସ୍ଥାପନା କରିପାରିନଥିବାରୁ ବିଜେଡିର ଏହା ବିଫଳତା ବୋଲି କହିବା ସହ ବିଜେପି ବି ସମାନ ପରିମାଣରେ ଦୋଷୀ ବୋଲି କୁହାଯାଇଥିଲା। ଶେଷରେ ନବରଙ୍ଗପୁର ଜିଲ୍ଲାକୁ ନବ ଭାରତ ଯୋଜନାରେ ସାମିଲ କରିବା ପାଇଁ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ୧୦ ଜଣିଆ ଟିମ ଦିଲ୍ଲୀ ଯାଇ ସଚିବଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପନା କରିବ। ଏହାସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ବି ସାକ୍ଷାତ କରିବ ବୋଲି କୁହାଯାଇଥିଲା। ଏହାସତ୍ୱେ ଯଦି ନବ ଭାରତରେ ସାମିଲ କରାନଯାଏ ତାହାହେଲେ କଂଗ୍ରେସ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଥିଲା। ଏହି ସାମ୍ବାଦିକ ସମ୍ମଳନୀରେ ନଗର ସଭାପତି ଉତ୍ତମ ତ୍ରିପାଠୀ, ଦିଲ୍ଲୀପ କୁମାର ବେହେରା, ପ୍ରଦୀପ ସାହୁ, ଫିରୋଜ ଖାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର