ବ୍ରହ୍ମପୁରରେ କରୋନା ଭୟ: ଶଙ୍କରପୁର ସାହି ସିଲ୍‌, ନିୟନ୍ତ୍ରଣ ଜୋନ୍‌ ଘୋଷଣା

ଘରୁ ବାହାରିବାକୁ ମନା, ବିଏମ୍‌ସି ଯୋଗାଇବ ଅତ୍ୟାବଶ୍ୟକ ସାମଗ୍ରୀ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ୭ନମ୍ବର ୱାର୍ଡ଼ ପୁରୁଣା ବ୍ରହ୍ମପୁର ଶଙ୍କରପୁର ସାହିକୁ ଆଜି ସଂଧ୍ୟାରେ ସିଲ୍‌ କରାଯାଇଛି। କରୋନା ମୁକାବିଲା ପାଇଁ ଏହି ଅଞ୍ଚଳକୁ ସିଲ୍‌ କରାଯାଇଛି। ବିଏମ୍‌ସି ତରଫରୁ ଏହି ସାହିକୁ ନିୟନ୍ତ୍ରଣ ଜୋନ୍‌ ଘୋଷଣା କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅଞ୍ଚଳର କିଛି ଲୋକ କରୋନା ପଜିଟିଭ୍‌ ସଂସ୍ପର୍ଶରେ ଆସିଥିବାରୁ ଏହି ଅଞ୍ଚଳକୁ ସିଲ୍‌ କରାଯାଇଛି। ପୁଲିସ ଓ ବିଏମ୍‌ସି ଅଧିକାରୀଙ୍କ ଉପସ୍ଥିତିରେ ସାହିର ରାସ୍ତା ସିଲ୍‌ କରିବା କାମ ଆରମ୍ଭ ହୋଇଥିବା ନେଇ କମିସନର୍‌ ରାଠୋଡ଼ ସୂଚନା ଦେଇଛନ୍ତି।

ନିୟନ୍ତ୍ରଣ ଜୋନ୍‌ ଘୋଷଣା ପରେ ଶଙ୍କରପୁର ସାହିକୁ ଲୋକଙ୍କ ଯାତାୟାତ ମନା କରାଯାଇଛି। କୌଣସି ସାହି ବାସିନ୍ଦା ବାହାରକୁ ଆସି ପାରିବେ ନାହିଁ କି କେହି ଭିତରକୁ ପ୍ରବେଶ କରି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସାହିରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପ୍ରତ୍ୟେକ ପରିବାରବର୍ଗ ନିଜ ନିଜ ଘରେ ସଙ୍ଗରୋଧରେ ରହିବେ। ଆବଶ୍ୟକ ସାମଗ୍ରୀ ଓ ସ୍ବାସ୍ଥ୍ୟସେବା ସମ୍ପର୍କିତ ସୁବିଧା ଯୋଗାଇ ଦିଆଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

ସେହିପରି ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ଅନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ୪ଜଣ ଅଧିକାରୀଙ୍କୁ ନୋଡାଲ୍‌ ଅଫିସର୍‌ ଭାବେ ଦାୟିତ୍ବ ଦିଆଯାଇଛି। ଗଞ୍ଜାମ ଜିଲ୍ଲାକୁ ଏବେ ସୁରତରୁ ହଜାର ହଜାର ଶ୍ରମିକ ଫେରିଛନ୍ତି। ପୁଣି ବିଭିନ୍ନ ସମୟରେ ଚାଲିଚାଲି ମଧ୍ୟ ଶ୍ରମିକମାନେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଦେଇ ଗଞ୍ଜାମ ଜିଲ୍ଲାରେ ପ୍ରବେଶ କରୁଛନ୍ତି। ସେହିପରି ପୂର୍ବରୁ ମଧ୍ୟ ବହୁ ଲୋକ ବିଭିନ୍ନ ଗଳା ରାସ୍ତା ଦେଇ ସହରକୁ ପ୍ରବେଶ କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ହଜାର ହଜାର ସଂଖ୍ୟାରେ ଗଞ୍ଜାମ ଜିଲ୍ଲାକୁ ଅନ୍ୟ ରାଜ୍ୟରୁ ଶ୍ରମିକ ଆସିଥିବାରୁ ସାଧାରଣ ଲୋକଙ୍କୁ ସଂକ୍ରମଣ ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ବ୍ରହ୍ମପୁର ସହର ବିଭିନ୍ନ ସ୍ଥାନରେ ବିଏମ୍‌ସି ତରଫରୁ ମଧ୍ୟ ସରକାରୀ ସଙ୍ଗରୋଧ କେନ୍ଦ୍ର କରାଯାଇଛି।

ଅଣଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଅପରାହ୍ଣରୁ ସଂଧ୍ୟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ଦୋକାନରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଗ୍ରିନ୍‌ ଜୋନ୍‌ ଥିବା ସମୟରେ ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁର ସହରରେ କଡ଼ାକଡ଼ି କଟକଣା ଜାରି କରାଯାଇଥିଲା। ପୁଲିସ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଗାଡ଼ି ଯାଞ୍ଚ କରୁଥିଲା। କିନ୍ତୁ ଏବେ ଗଞ୍ଜାମ ଜିଲ୍ଲା ରେଡ୍‌ଜୋନ୍‌ ହେବା ପରେ ସବୁ କିଛି ହୁଗୁଳା। ସହରରେ ପ୍ରାୟ ସମସ୍ତ ଦୋକାନ ବଜାର ଖୋଲୁଥିବା ବେଳେ ଲୋକମାନେ ମନଇଚ୍ଛା ଯାତାୟାତ କରୁଥିବା ଦେଖିବାକୁ ମିଳୁଛି। ବଡ଼ବଜାର, ସାନବଜାର, ଅନ୍ନପୂର୍ଣ୍ଣା ମାର୍କେଟ ଭଳି ଅଞ୍ଚଳରେ ସ୍ଥିତି ଅସମ୍ଭାଳ। ଯାହାକି ଅଜାଣତରେ କରୋନାକୁ ଡାକି ଆଣିବା ଭଳି ହୋଇଛି ବୋଲି ବିଭିନ୍ନ ମହଲରେ ପ୍ରକାଶ ପାଇଛି। ପରିମାଣସ୍ବରୂପ ଆଜି ପ୍ରଥମ ପର୍ଯ୍ୟାୟରେ ଶଙ୍କରପୁର ସାହିକୁ ସିଲ୍‌ କରାଯାଇଛି।

ସମ୍ବନ୍ଧିତ ଖବର