କ‌ରୋନା ପ୍ରଭାବ: ପର୍ଯ୍ୟଟନ ଶିଳ୍ପ ଉପରେ ମାଡ, ବନ୍ଦ ହେବାକୁ ବସିଲାଣି ହୋଟେଲ, ରେଷ୍ଟୁରାଣ୍ଟ

ପର୍ଯ୍ୟଟନ ସ୍ଥଳୀ ପାଖରେ ଥିବା ଉଠା ଦୋକାନୀଙ୍କ ମୁଣ୍ଡରେ ଚଡକ

କୋରାପୁଟ: ବିଦେଶୀ ପର୍ଯ୍ୟଟକ ନାହାନ୍ତି। ଦେଶୀ ପର୍ଯ୍ୟଟକ ବି ଆସୁ ନାହାନ୍ତି। ବୁଲାବୁଲି କରିବା ଦୂରର କଥା, ଜରୁରୀ କାମ ନ ଥିଲେ କେହି ଘରୁ ବାହାରୁ ନାହାନ୍ତି। ଫଳରେ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପ ଗଭୀର ଭାବେ ପ୍ରଭାବିତ ‌ହୋଇଛି। ବିଭିନ୍ନ ଟ୍ରାଭେଲ୍ସରେ ଗାଡି ଦିନ ସାରା ଗ୍ରାହକଙ୍କୁ ଅପେକ୍ଷା କରୁଥିଲାବେଳେ ହୋଟେଲ ଗୁଡିକ ଫାଙ୍କା ପଡିଛି। ଏପଟେ ରେଷ୍ଟୁରାଣ୍ଟ ବି ଖାଁ ଖାଁ। ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଦୋକାନ କରିଥିବା ଲୋକେ ତ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମଣ ହେବା ପରେ ସାରା ରାଜ୍ୟରେ ଅଦ୍ଭୁତପୂର୍ବ ସୁରକ୍ଷା କଟକଣା ଜାରି କରାଯାଇଛି। ଏହି ସଂକ୍ରମଣ ଯେମିତି ଅଧିକ ଲୋକଙ୍କୁ ନ ବ୍ୟାପିକ ସେ ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ଆଉ ଏହାର ସିଧାସଳଖ ପ୍ରଭାବ ପଡିଛି ପର୍ଯ୍ୟଟନ ଶିଳ୍ପ ଉପରେ। କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନର ଭରପୁର ବିଭବ ରହିଥିଲା ବେଳେ ଏଠାକୁ ଦେଶୀ ବିଦେଶୀ ପର୍ଯ୍ୟଟକ ନିୟମିତ ଆସନ୍ତି। ଏଠାକାର ଥଣ୍ଡା ଜଳବାୟୁ ପାଇଁ ଖରାଦିନରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ ହୁଏ। ମାର୍ଚ୍ଚ ଶେଷରୁ ଏହି ଭିଡ ଆରମ୍ଭ ହେଉଥିଲାବେଳେ ଏଥର କିନ୍ତୁ ସବୁ କିଛି ବିଗାଡି ଦେଇଛି କରୋନା ଭୟ। ପର୍ଯ୍ୟଟନ ଶିଳ୍ପକୁ ଘାଇଲା କରିବା ସହ ଏହା ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର ଲୋକଙ୍କ ଦାନାପାଣି ଉପରେ ମାଡ କରିଛି।

କରୋନା କଟକଣା ଲାଗୁ ହେବା ପରେ ଆଉ ଆଗଭଳି ପର୍ଯ୍ୟଟକ ଆସୁ ନାହାନ୍ତି। ଫଳ‌ରେ ବିଭିନ୍ନ ଟୁର ଓ ଟ୍ରାଭେଲ୍ସର ଗାଡିର ଚାହିଦା କମି ଯାଇଛି। କାର, ଜିପ, ଟ‌୍ରା‌ଭେଲର ଆଦି ଭଡାରେ ନେବାକୁ ଲୋକେ ନାହାନ୍ତି। ପର୍ଯ୍ୟଟକ ଆସୁ  ନ ଥିଲାବେଳେ ସ୍ଥାନୀୟ ଲୋକେ ବି ବାହାରକୁ ବୁଲାବୁଲି କରିବାକୁ ଉଚିତ ମନେ କରୁ ନାହାନ୍ତି। ଏପରିକି ଜରୁରୀ କାମ ନ ଥିଲେ ଯିବା, ଆସିବା ସବୁ ବନ୍ଦ ରହିଛି। ଏଭଳି ସ୍ଥିତିରେ ଗାଡି ଭଡା ନେବାକୁ ଲୋକ ମିଳୁ ନାହାନ୍ତି। ଗାଡି ସବୁ ଦିନ ସାରା ଠିଆ ହୋଇ ଗ୍ରାହକଙ୍କୁ ଅପେକ୍ଷା କରି ରହୁଛି। ଗାଡି ବ୍ୟବସାୟ କମି ଯିବାରୁ ଗାଡି ମାଲିକ, ଡ୍ରାଇଭର ମାନେ ଗୁରୁତର ପ୍ରଭାବିତ ହୋଇଛନ୍ତି। ଏପରିକି ଋଣ କରି କାର କିଣିଥିବା ଲୋକେ କେମିତି ମାସିକ କିସ୍ତି ଜମା କରିବେ, ତାକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି। ଡ୍ରାଇଭରମାନେ ମଧ୍ୟ ପରିବାର ଚଳାଇବା ନେଇ ସମସ୍ୟାରେ ଅଛନ୍ତି।

ଏପଟେ ହୋଟେଲ ଶିଳ୍ପ ଏକ ପ୍ରକାର ଦେବାଳିଆ ଅବସ୍ଥାକୁ ଚାଲି ଆସିଲାଣି। ଜିଲ୍ଲାରେ ଥିବା ପ୍ରାୟ ସମସ୍ତ ହୋଟେଲ ଫାଙ୍କା। ହୋଟେଲ ରୁମ ପାଇଁ ନୂଆ ବୁକିଂ ବନ୍ଦ ହୋଇ ଯାଇଥିଲାବେଳେ କିଛି ପୁରୁଣା ବୁକିଂ ବାତିଲ ହେବାରେ ଲାଗିଛି। ଏପରିକି କିଛି ହୋଟେଲରେ ୨୦ରୁ ଅଧିକ ରୁମ ରହିଥିଲା ବେଳେ ଦିନକୁ ୨ଟି ୩ଟି ରୁମରେ ଅତିଥି ରହୁଛନ୍ତି। ବାକି ସବୁ ଫାଙ୍କା। ପର୍ଯ୍ୟଟକ ଆସୁ ନ ଥିଲାବେଳେ ଅନ୍ୟ କାମରେ ମଧ୍ୟ କୋରାପୁଟକୁ ବାହାର ଲୋକେ ଆସୁ ନାହାନ୍ତି। ପୁଣି ବିଭିନ୍ନ ଘରୋଇ ଅନୁଷ୍ଠାନ ବନ୍ଦ ଘୋଷଣା ହୋଇ ଯିବା ପରେ ଲୋକେ ସବୁ ଘର ମୁହାଁ। ଏହା ହୋଟେଲ ଶିଳ୍ପ ସହ ବିଭିନ୍ନ ରେଷ୍ଟୁରାଣ୍ଟ ବ୍ୟବସାୟକୁ ମାନ୍ଦା କରି ଦେଇଛି। ଆଗରୁ ଯେଉଁ ରେଷ୍ଟୁରାଣ୍ଟରେ ଦିନକୁ ଶତାଧିକ ‌ଲୋକଙ୍କ ପାଦ ପଡୁଥିଲାବେଳେ ଏବେ ସେଠାରେ ଟେବୁଲ ଖାଲି।

ହାତ ଗଣତି ଲୋକ ଏଠାକୁ ଖାଇବାକୁ ଆସୁଛନ୍ତି। ଶିକ୍ଷାନୁଷ୍ଠାନ ସବୁ ବନ୍ଦ ରହିଥିଲାବେଳେ ସହରରେ ବି ଆଗଭଳି ଗହଳି ନ‌ାହିଁ। ତେଣୁ ଏହାର ପ୍ରଭାବ ଏହି ‌ରେଷ୍ଟୁରାଣ୍ଟ ଉପରେ ପଡିଛି। ଏଥିନେଇ ଏକ ଘରୋଇ ହୋଟେଲର ମ୍ୟାନେଜର କହିଛନ୍ତି ଯେ, ଆଗରୁ ଏହି ଖରାଦିନେ ଭଲ ବ୍ୟବସାୟ ହେଉଥିଲା। ଏଥର ବି ବୁକିଂ ଥିଲା। କିନ୍ତୁ କରୋନା ପ୍ରଭାବ‌ରେ ବୁକିଂ ସବୁ ବାତିଲ ହୋଇଗଲାଣି। ହୋଟେଲ ଓ ରେଷ୍ଟୁରାଣ୍ଟ ଖାଲି ପଡିଛି। ଆଗକୁ ସ୍ଥିତି ଅଧିକ ଖରାପ ହେବାର ଆଶଙ୍କା ଜଳଜଳ ଦିଶିଲାଣି ବୋଲି ସେ କହିଛନ୍ତି।

କେବଳ ହୋଟେଲ କି ରେଷ୍ଟୁରାଣ୍ଟ ନୁହେଁ, ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ରରେ ଦୋକାନ କରିଥିବା ଓ ବିଭିନ୍ନ ବ୍ୟବସାୟ କରୁଥିବା ଶହ ଶହ ଲୋକେ ଏବେ ହାତ ବାନ୍ଧି ବସିଛନ୍ତି। ଶାବର ଶ୍ରୀକ୍ଷେତ୍ରରୁ ଆରମ୍ଭ କରି ଗୁପ୍ତେଶ୍ବର ପର୍ଯ୍ୟନ୍ତ ‌କେଉଁଠି ବି ପର୍ଯ୍ୟଟକଙ୍କ ଦେଖା ନାହିଁ। ଦେଓମାଳି, ଡୁଡୁମା ବି ଖାଁ ଖାଁ। ତେଣୁ ଏହି ଛୋଟ ବ୍ୟବସାୟୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଧର୍ମୀୟ ଅନୁଷ୍ଠାନଗୁଡିକ ଆସନ୍ତାକାଲିଠାରୁ ସମ୍ପୂର୍ଣ୍ଣ ବନ୍ଦ ‌ହେବ ବୋଲି ଆଜି ସରକାର ଘୋଷଣା କରିଥିଲା ବେଳେ ସ୍ଥିତି ଆହୁରି ଖରାପ ‌ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହା ସାଧାରଣ ଲୋକଙ୍କ ଜୀବନ ଜିବିକା ଉପରେ ମାଡ କରିଛି। ପୁଣି ସ୍ଥିତି କେବେ ସ୍ବାଭାବିକ ହେବ ସେଥିନେଇ କିଛି ଜଣା ପଡୁ ନ ଥିବାରୁ ସମସ୍ୟା ଅଧିକ ଜଟିଳ ହେଉଛି। ଏଥିନେଇ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁରେନ୍ଦ୍ର ଲିମା କହିଛନ୍ତି ଯେ, କରୋନା ସଂକ୍ରମଣ ନେଇ କଟକଣା ଜାରି ହେବା ପରେ ପର୍ଯ୍ୟଟକଙ୍କ ସଂଖ୍ୟା କମି ଯାଇଛି। ତେବେ ସ୍ଥିତି ସ୍ବାଭାବିକ ହେଲା ପରେ ପୁଣି ଏଠାକୁ ପର୍ଯ୍ୟଟକଙ୍କ ଆଗମନ ହେବ ବୋଲି ସେ କହିଛନ୍ତି।

 

ସମ୍ବନ୍ଧିତ ଖବର