କରୋନା ମୁକାବିଲା ପାଇଁ ପ୍ରସ୍ତୁତି: ନୟାଗଡ଼ ଜିଲ୍ଲାରେ ପରିସ୍ଥିତି ଦେଖି ଲାଗୁ ହେବ ୧୪୪ ଧାରା, ବନ୍ଦ ରହିବ ମନ୍ଦିର, ପର୍ଯ୍ୟଟନସ୍ଥଳୀ

ପରିବା, ଗ୍ରସୋରି, ମେଡିସନ୍ ଷ୍ଟ‌ୋର, ଆମିଷ ବଜାର ଖୋଲା ରହିବ

ନୟାଗଡ଼: କରୋନା ରୋଗର ମୁକାବିଲା ପାଇଁ ନୟାଗଡ଼ ଜିଲ୍ଲା‌ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ‌ହୋଇଛି। ଆଜି ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ‌ରେ ଜିଲ୍ଲାପାଳ ଡ. ପୋମା ଟୁଡୁ ସୂଚନା ପ୍ରଦାନ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟ‌ରେ ନୟାଗଡ଼ ଜିଲ୍ଲାରେ  ଆଜି କିଛି ସପିଂ ମଲ୍, ଗ୍ୟାରେଜ ଆଦି ବନ୍ଦ ଥିବା ଦେଖିବାକୁ ମିଳିଥିବା ବେଳେ, ରାସ୍ତା ପାର୍ଶ୍ବ ଖାଦ୍ୟ ଦୋକାନ, ‌ହୋଟେଲ ପ୍ରମୁଖ ଖୋଲା ରହିଥିବା ଦେଖିବାକୁ ମିଳିଥିଲା। ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଏଗୁଡ଼ିକୁ ବନ୍ଦ କରାଇବାକୁ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତାକାଲି ଠାରୁ ଏହାକୁ କଡ଼ାକଡ଼ି ପାଳନ କରାଯିବ ବୋଲି ଜିଲ୍ଲାପାଳ ସମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି। କଣ୍ଟିଲୋ ନୀଳମାଧବ, ଓଡ଼ଗାଁ ରଘୁନାଥ ଜୀଉ ମନ୍ଦିର ଠାରୁ ଆରମ୍ଭ କରି ସମସ୍ତ ଛୋଟ, ବଡ଼ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। କେବଳ ମନ୍ଦିରର ନୀତିକାନ୍ତି ପାଇଁ ପୂଜକ ମାନେ ମନ୍ଦିରକୁ ଆସିପାରିବେ। ଗହଳି ହେଲେ ଏହି ସଂକ୍ରାମକ ରୋଗ ତା’ର କାୟା ବିସ୍ତାର କରିବାର ଆଶଙ୍କା ଥିବାରୁ ଗହଳିକୁ ବାରଣ କରାଯାଇଛି। ଅନାବଶ୍ୟକ ଯାତ୍ରା, କ୍ରିକେଟ୍, ଫୁଟ୍‌ ବଲ୍, ତାସ୍  ଖେଳ,  ଦୋକାନ ବଜାରରେ ଏକତ୍ରିତ ହେବାକୁ ବାରଣ କରାଯାଇଛି।  ଅଧିକାଂଶ ସମୟ‌ରେ ଘରେ ରହିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଏଥିନେଇ ମାଇକ୍ ଯୋଗେ ପ୍ରଚାର, ପ୍ରଚାରପତ୍ର ଆଦି ବିଭିନ୍ନ ସ୍ଥାନରେ ଲଗାଯାଇ ସଚେତନତା କରାଯିବ। ଲୋ‌କମାନେ ଭୟଭୀତ ନହେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

ଅନ୍ୟ ରାଜ୍ୟ ତଥା ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ତୁରନ୍ତ ସୂଚନା ପ୍ରଦାନ କରିବାକୁ  ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ଦାୟିତ୍ବ ଦିଆଯାଇଛି।  ପରିବା ଦୋକାନ, ଗ୍ରସୋରି ଦୋକାନ, ମେଡିସିନ୍‌ ଷ୍ଟ‌ୋର, ମାଂସ, ମାଛ ଦୋକାନ ଆଦି ବନ୍ଦ କରାଯିବ ନାହିଁ ବୋଲି ଜିଲ୍ଲାପାଳ କହ‌ିଛନ୍ତି। ତେଣୁ ଆଗୁଆ କୌଣସି ସାମଗ୍ରୀ କିଣି ରଖିବା ଠାରୁ ଲୋକମାନେ ଦୂରେଇ ରହିବାକୁ ଜିଲ୍ଲାପାଳ କହିଛନ୍ତି। ଆସନ୍ତା‌ ତିନି ସପ୍ତାହ ଆମ ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେ‌ଳେ, ସଭିଏଁ ସଚେତନ ରହି କରୋନା ମୁକାବିଲା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।  ଏହି  ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ପ୍ରତ୍ୟୁଷ ଦିବାକର,   ଅତିରିକ୍ତ ଜିଲ୍ଲାପାଳ ବିଧାନଚନ୍ଦ୍ର ରାୟ, ସିଡିଏମ୍‌ଓ ଶ୍ବେତ କୁମାର ମହାପାତ୍ର, ପିଡି ସୁବାଷଚନ୍ଦ୍ର ରାୟ, ଉପଜିଲ୍ଲପାଳ ଲଗ୍ନଜିତ୍‌ ରାଉତ, ଅତିରିକ୍ତ ଏସ୍‌ପି ଦିଲ୍ଲୀପ କୁମାର ସାହାଣୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରତି ପଞ୍ଚାୟତରେ ୧୦୦ ଲୋକଙ୍କୁ  ଆଇସୋଲୋସନରେ ରଖାଯାଇପାରିବ

କୌଣସି ବି ପରିସ୍ଥିତିରେ ଯଦି ଏହି ରୋଗର ଲକ୍ଷଣ ପ୍ରକାଶ ପାଏ, ତେବେ ପ୍ରତ୍ୟେକ ପଞ୍ଚାୟତ‌ରେ ଅତିକମ୍‌ରେ ୧୦୦ ଲୋକଙ୍କୁ ଆଇସୋଲୋସନରେ ରଖାଯିବ ନିମନ୍ତେ ଭିତ୍ତିଭୂମି ଆସନ୍ତାକାଲି ସୁଦ୍ଧା ପ୍ରସ୍ତୁତି ଶେଷ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ବିଭିନ୍ନ ସରକାରୀ କୋଠାରେ ଏମାନଙ୍କ ପାଇଁ କ୍ବାରେଣ୍ଟାଇନ୍ ସେଣ୍ଟର(ସଙ୍ଗରୋଧ କେନ୍ଦ୍ର) ମଧ୍ୟ ଖୋଲାଯିବା ପାଇଁ ସ୍ଥାନ ସ୍ଥିର କରାଯାଇଛି। ବିଡିଓ, ତହସିଲଦାର ପ୍ରମୁଖ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦ କରୋନା ରୋଗୀଙ୍କୁ ରଖାଯାଇପାରିବ

କରୋନା ରୋଗୀଙ୍କୁ ମୁକାବିଲା ପାଇଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଥିବା ସିଡିଏମ୍‌ଓ ଶ୍ବେତ କୁମାର ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। ୨୦ ଜଣ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ବେଡ୍ ତଥା ୱାର୍ଡର ବ୍ୟବସ୍ଥା କରାଯାଇଛି।  କରୋନା ୱାର୍ଡର ପ୍ରସ୍ତୁତି ଆସନ୍ତାକାଲି ଶେଷ ହେବ ବୋଲି ଡ. ମହାପାତ୍ର କହିଛନ୍ତି।

ପ୍ରତିଦିନ ୫ ଟାରେ ଗଣମାଧ୍ୟକୁ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯିବ

କରୋନା ସମ୍ପର୍କିତ କୌଣସି ଅତିରଞ୍ଜିତ ତଥା ତ୍ରୁଟିପୂର୍ଣ୍ଣ ଖବର ପ୍ରକାଶନ, ପ୍ରସାରଣ ପାଇଁ  କଟକଣା ଜାରି ରହିଛି। ଏସମ୍ପର୍କିତ ସମସ୍ତ ଖବର ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଝିବାକୁ ଜିଲ୍ଲାପାଳ କହିଛନ୍ତି। ଏପରିକି ଗଣମାଧ୍ୟମ ମଧ୍ୟ କରୋନା ସମ୍ପର୍କିତ ଖବର ପାଇଲେ ଜିଲ୍ଲା ପ୍ରଶାସନକୁ ଜଣାଇବାକୁ ଜିଲ୍ଲାପାଳ କହିଛନ୍ତି। ପ୍ର‌ତ୍ୟେକ ଦିନ ସନ୍ଧ୍ୟା ୫ ଟାରେ ଜିଲ୍ଲାରେ କରୋନା ସମ୍ପର୍କିତ ସ୍ଥିତି ନେଇ ଜିଲ୍ଲା ପ୍ରଶାସନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବ ବୋଲି ଜିଲ୍ଲାପାଳ କହିଛନ୍ତି।

ରାଜ୍ୟ ବାହାର ଓ ବିଦେଶରୁ ଆସିଥିବା ୨୨ ବ୍ୟକ୍ତି ‌ହୋମ୍‌ ଆଇସୋଲୋସନରେ

ନୟାଗଡ଼ ଜିଲ୍ଲାର  ଯେଉଁ ଲୋକମାନେ ଅନ୍ୟ ରାଜ୍ୟ , ବିଦେଶରେ ବୃତ୍ତିନିର୍ବାହ କରୁଥିଲେ ସେମାନେ ବର୍ତ୍ତମାନ ଘରକୁ ଫେରିବା ଆରମ୍ଭ କରିଛନ୍ତି। ଗତ ସୋମବାର ଓ ମଙ୍ଗଳବାର ଦୁଇ ଦିନ ମଧ୍ୟ‌ରେ ୨୨ ଜଣ ବ୍ୟକ୍ତି ଜିଲ୍ଲାକୁ ଆସିଛନ୍ତି। ସେମାନଙ୍କ ମଧ୍ୟରେ ୧୯ ଜଣ ଅନ୍ୟ ରାଜ୍ୟରେ କାମ କରୁଥିବା ବ୍ୟକ୍ତି ଥିବା ବେଳେ, ୨ ଜଣ ଦୁବାଇ ଓ ଜଣେ ନେପାଳରେ କାମ କରୁଥି‌ଲେ। ଏସମସ୍ତଙ୍କୁ  ନିଜ ଘରେ ହୋମ ଆଇସୋଲେସନରେ ୧୪ ଦିନ ପର୍ଯ୍ୟନ୍ତ ରଖାଯାଇଥିବା ଏବଂ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କର୍ତ୍ତୃପକ୍ଷ ସେମାନଙ୍କ ସହ ନିରନ୍ତର ଯୋଗାଯୋଗର ଥିବା ସିଡିଏମ୍‌ଓ କହିଛନ୍ତି। ଏମାନଙ୍କ ଠାରେ ଥାଣ୍ଡା ,କାଶ ଭଳି କୌଣସି ଲକ୍ଷଣ ନଥିବା ସିଡିଏମଓ କହିଛନ୍ତି।

ସମ୍ବନ୍ଧିତ ଖବର