କୋରାପୁଟରେ ଦିନକୁ ୬ କରୋନା ପରୀକ୍ଷା, ସପ୍ତାହକ ଭିତରେ ଏହା ୭୨କୁ ବଢିବ

ପ୍ରବାସୀ ଓଡ଼ିଆଙ୍କ ପରୀକ୍ଷାକୁ ଦିଆଯିବ ଗୁରୁତ୍ବ

କୋରାପୁଟ: ଶେଷରେ ସ୍ବପ୍ନ ପୂରଣ ହୋଇଛି। କୋରାପୁଟରେ ଆରମ୍ଭ ହୋଇଛି କରୋନା ପରୀକ୍ଷା। ଜଣଙ୍କର ସ୍ବାବ ସଂଗ୍ରହ ସହ ବିଧିବଦ୍ଧ ଭାବେ ଆଜିଠାରୁ ଏହି ପରୀକ୍ଷା ଆରମ୍ଭ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏବେ ଦିନକୁ ୬ ଟି ନମୁନା ପରୀକ୍ଷା କରାଯାଇପାରିବ। ତେବେ ସପ୍ତାହକ ଭିତରେ ଏହାକୁ ବଢାଇ ଦୈନିକ ୭୨ଟି ନମୁନା ପରୀକ୍ଷା କରାଯିବ ବୋଲି ଜଣାପଡିଛି।

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଏକ ସ୍ବତନ୍ତ୍ର କକ୍ଷରେ କରୋନା ପରୀକ୍ଷା କେନ୍ଦ୍ର କରାଯାଇଛି। ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ଏହି ପରୀକ୍ଷା କେନ୍ଦ୍ରକୁ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଆଜି ଉଦ୍ଘାଟନ କରିଛନ୍ତି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମେଡିକାଲ କଲେଜର ଡିନ ପ୍ରଫେସର କୃଷ୍ଣଚନ୍ଦ୍ର ବିଶ୍ବାଳ, ଅତିରିକ୍ତ ଜିଲ୍ଳାପାଳ ଦେବେନ କୁମାର ପ୍ରଧାନ, ଡିଆରଡିଏ ପିଡି ପ୍ରବୀର କୁମାର ନାୟକ, ପ୍ରଫେସର ସୀତାରାମ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହା ପରେ ଜିଲ୍ଲାପାଳ ଗଣମାଧ୍ୟମକୁ କହିଛନ୍ତି ଯେ, ଆଜିଠାରୁ ଏହି ମେଡିକାଲ କଲେଜରେ କରୋନା ପରୀକ୍ଷା ଆରମ୍ଭ ହେବ। ଏବେ ବାହାରୁ ଫେରୁଥିବା ଲୋକଙ୍କ କରୋନା ପରୀକ୍ଷାକୁ ଗୁରୁତ୍ବ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ମେଡିକାଲ କଲେଜର ଡିନ୍ ପ୍ରଫେସର କୃଷ୍ଣଚନ୍ଦ୍ର ବିଶ୍ବାଳ କହିଛନ୍ତି ଯେ, ଆଜିଠାରୁ ଆରମ୍ଭ ହୋଇଥିବା କରୋନା ପରୀକ୍ଷାରେ ଦିନକୁ ୬ ଜଣଙ୍କର ନମୁନା ପରୀକ୍ଷା କରାଯାଇ ପାରିବ। ଦୁଇଦିନ ପରେ ଆଉ କିଛି ମେସିନ ଆସି ପହଞ୍ଚିବାର ଅଛି। ଏହା ପରେ ଦିନକୁ ପାଖାପାଖି ୭୨ଟି ନମୁନା ପରୀକ୍ଷା ହୋଇ ପାରିବ। ଏଠାରେ ପରୀକ୍ଷା କରାଯିବା ପରେ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ। ସରକାର ହିଁ ଏହି ରିପୋର୍ଟ ପ୍ରକାଶ କରିବେ।

ମେଡିକାଲ କଲେଜରେ ହୋଇଥିବା କରୋନା ପରୀକ୍ଷା କେନ୍ଦ୍ର ପାଇଁ ୬ ଜଣ ଡାକ୍ତର ଓ ପାରା ମେଡିକାଲ କର୍ମଚାରୀ ଅଛନ୍ତି। ଏଠାକାର କର୍ମଚାରୀ ଏ ଭିତରେ କରୋନା ପରୀକ୍ଷା ନେଇ ତାଲିମ ନେଇ ଫେରିଛନ୍ତି। ତେଣୁ ଏହି ପରୀକ୍ଷା କେନ୍ଦ୍ରରେ ନିୟମିତ ସ୍ବାବ ପରୀକ୍ଷା କରାଯିବ। ଏଥିପାଇଁ ଏହି ପରୀକ୍ଷା କେନ୍ଦ୍ର ହୋଇ ରହିଛି। ଏଠାରେ କରୋନା ପରୀକ୍ଷା ପାଇଁ ଚେନ୍ନାଇରୁ ଏକ ବିଶେଷଜ୍ଞ ଦଳ ଆସି କରୋନା ପରୀକ୍ଷ‌ା ପାଇଁ ଆବଶ୍ୟକ ଯନ୍ତ୍ରପାତି ସ୍ଥାପନ କରିଥିଲେ। ଯନ୍ତ୍ରପାତି ପାଇଁ ରାଜ୍ୟ ସରକାର ସହଯୋଗ କରିବା ସହ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ପ୍ରାୟ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସପ୍ତାହକ ଭିତରେ ଏହି ପରୀକ୍ଷା କେନ୍ଦ୍ର ସ୍ବଂୟସମ୍ପୂର୍ଣ୍ଣ ହେବା ସହ କରୋନା ପରୀକ୍ଷା ଠିକଠାକ ହୋଇ ପାରିବ ବୋଲି ଆଶା କରାଯାଉଛି। ଅପରପକ୍ଷରେ ଏଠାରେ କରୋନା ପରୀକ୍ଷା କେନ୍ଦ୍ର ହେବା ପରେ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ବର ପାଣିଗ୍ରାହୀ ଏହାକୁ ସ୍ବାଗତ କରିବା ସହ କରୋନ‌ା ମୁକାବିଲା ପାଇଁ ଏହା ସହାୟକ ହେବ ବୋଲି କହିଛନ୍ତି। କୋରାପୁଟ ଜିଲ୍ଲାରୁ ମାତ୍ର ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ମଧ୍ୟ ପ୍ରବାସୀ ଓଡ଼ିଆ ଫେରୁଥିବାରୁ ଆଶଙ୍କା ରହିଛି। ଏଭଳି ସ୍ଥିତିରେ ବାହାରୁ ଆସୁଥିବା ଲୋକଙ୍କର ଠିକ ସମୟରେ କରୋନା ପରୀକ୍ଷା କରାଗଲେ ଏହି ମହାମାରୀକୁ ରୋକି ହେବ ବୋଲି ମତ ପ୍ରକାଶ ପାଉଥିଲା। କାରଣ ଏଠାରୁ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ବର ପରୀକ୍ଷା ପାଇଁ ପଠାଯାଉଥିବାରୁ ରିପୋର୍ଟ ମିଳିବାରେ ବିଳମ୍ବ ହେଉଥିଲା। ତେଣୁ କୋରାପୁଟରେ କରୋନା ପରୀକ୍ଷା ପାଇଁ ବିଭିନ୍ନ ମହଲରେ ଦାବି ହେବା ପରେ କୋରାପୁଟ ଏସଏସଏଲନ ମେଡିକାଲ କଲେଜରେ ଏହି କରୋନା ପରୀକ୍ଷା କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର