କରୋନା ଆଣିଦେଲା ଖୁସି ! ନିଖୋଜ ପୁଅ ଘରକୁ ନ ଫେରିବାରୁ ମୃତ ଭାବି ଶୁଦ୍ଧି ହୋଇଥିଲେ ବାପା-ମା’, ଏବେ ପ୍ରବାସୀଙ୍କ ଘରବାହୁଡ଼ା ପ୍ରକ୍ରିୟାରେ ଘରକୁ ଫେରିବ ପୁଅ

ଚନ୍ଦାହାଣ୍ଡି: ୧୫ ବର୍ଷ ପୂର୍ବେ ନିଖୋଜ ଥିବା ପୁଅକୁ ଫେରାଇ ଆଣିବ କରୋନା ସଂକ୍ରମଣ!  ଓଡ଼ିଶା ସରକାର ବାହାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ନିଜ ଘରକୁ ଫେରେଇ ଆଣୁଛନ୍ତି। ତେବେ କିଏ ଜାଣିଥିଲା ଯେ କରୋନା ମହାମାରୀର ମୁକବିଲା ପାଇଁ ହୋଇଥିବା ଲକ୍ ଡାଉନ୍ କାହା ପାଇଁ ଖୁସିର ତାଲା ଖୋଲି ଦେବ, କିଏ ଜାଣିଥିଲା କରୋନା ମହାମାରୀର ମୋହୋଷଧି ପାଲଟିଥିବା ସାମାଜିକ ଦୂରତ୍ଵ ଦୀର୍ଘ ୧୫ ବର୍ଷ ହେବ ନିଜ ନିଖୋଜ ପୁଅକୁ ନିକଟତର କରେଇଦେବ।

ଏହିଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆଜକୁ ପ୍ରାୟ ୧୫ ବର୍ଷରୁ ଅଧିକ ହେବ ନିଜ ଘରୁ ଚାଲିଯାଇ ଗୁଜରାଟର ଅହମଦାବାଦରେ ପରିବାରର ଅଜାଣତରେ କାର୍ଯ୍ୟରେ ନିୟୋଜିତ ଜଣେ ଯୁବକର ଫୋନ୍ କଲ୍ ପାଇବା ପରେ ଘରେ ଖୁସିର ଲହରୀ ଖେଳିଯାଇଛି । ଏହିଭଳି ଏକ ସୁଖଦ ଘଟଣା ଦେଖିବାକୁ ମିଳୁଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଦଳବେଡ଼ା ଗ୍ରାମରେ । ବିବରଣୀରୁ ପ୍ରକାଶ ଯେ ଦଳବେଡା ଗ୍ରାମର ଅମୃତ ମାଝୀ ଓ ଧନବାଲି ମାଝୀଙ୍କ ପୁଅ ଭୁବନ ମାଝୀ କର୍ମ ସଂସ୍ଥାନ ଲକ୍ଷରେ ଆଜକୁ ପ୍ରାୟ ୧୫ ବର୍ଷ ତଳେ ବାହାର ରାଜ୍ୟକୁ ଚାଲିଯାଇଥିଲା ଯେ ତାର କୌଣସି ଖୋଜ ଖବର ନଥିଲା।

ଦିନ ପରେ ଦିନ ଗଣି ଗଣି ବୃଦ୍ଧ ବାପା ମାଆ ପୁଅର ଫେରିବା ବାଟକୁ ଚାହିଁ ରହିଥିଲେ ହେଁ ଫଳ କିଛି ମିଳିଲା ନାହିଁ । ଦୀର୍ଘ ବର୍ଷର ଅପେକ୍ଷା ପରେ ତାଙ୍କ ପୁଅ ଆଉ ଘରକୁ ଫେରିଲା ନାହି । ଶେଷରେ ତାଙ୍କ ମନକୁ ପାପ ଛୁଇଁଲା, ପୁଅର ଖୋଜଖବର ନମିଳିବାରୁ ସମୟର ଅପରାହ୍ନରେ ଏହି ବୃଦ୍ଧ ପିତା ମାତା ଆଉ ପୁତ୍ରର ଫେରିବା ଆଶା ପରିତ୍ୟାଗ କରି କାଳେ ସେ ଏହି ଦୁନିଆରେ ଆଉ ନଥିବ ଭାବି ସାମାଜିକ ରୀତି ପ୍ରକାରେ ତାର ଦଶାହ କାର୍ଯ୍ୟ ମଧ୍ୟ ସମାପନ କରିଦେଇଥିଲେ। ହେଲେ ସମୟର ଖେଳ କିନ୍ତୁ କିଛି ଅଲଗା ଥିଲା। କୋଭିଡ ୧୯ ପାଇଁ ସାରା ବିଶ୍ବ ଜୀବନ ବିକଳରେ ଚିତ୍କାର କରୁଥିବା ବେଳେ ଯେଉଁ ପୁଅକୁ ମୃତ ଭାବି ପରିବାର ଲୋକେ ତାର ଶେଷ ସଂସ୍କାର କରିସାରିଥିଲେ ତାର ଜୀବିତ ଥିବା ଖବର ପାଇ ଖୁସିରେ ଭାବାବିହ୍ୱଳ ହୋଇଉଠୁଛନ୍ତି।

ଓଡ଼ିଶା ସରକାର ନିଜ ରାଜ୍ୟର ପ୍ରବାସୀଙ୍କୁ ନିଜ ଘରକୁ ଫେରେଇ ଆଣିବା ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଯୋଗ ଯୋଗ କରିବା ଦ୍ୱାରା ଗୁଜରାଟର କାମଷ୍ଟୋର ନାମକ ଏକ ଘରୋଇ କମ୍ପାନିରେ ଏହି ନିଖୋଜ ଯୁବକ ଭୁବନ ମାଝୀ କାର୍ଯ୍ୟ କରୁଥିବା ନଜରକୁ ଆସିଥିଲା ।ଏହାପରେ ଏହି ଯୁବକ ଜଣକ କୌଣସି ପ୍ରକାରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝିଙ୍କୁ ଯୋଗାଯୋଗ କରିବା ପରେ ସାଂସଦ ଶ୍ରୀ ମାଝୀ ଚନ୍ଦାହାଣ୍ଡି ବ୍ଲକର ପୁର୍ବତନ ଅଧକ୍ଷ ନୃସିଂହ ମାଝୀ ତଥା ତାଙ୍କ ପତ୍ନୀ ଦଳବେଡା ସରପଞ୍ଚ ସସ୍ମିତା ମାଝୀ ଓ ସମ୍ବାଦ ପ୍ରତନିଧିଙ୍କୁ ଏ ସଂପର୍କରେ ଅବଗତ କରାଇଥିଲେ ଓ ଏହି ଯୁବକ ଜଣକ ସରପଞ୍ଚ ସସ୍ମିତା ମାଝିଙ୍କ ସହାୟତାରେ ତାଙ୍କ ପିତାମାତାଙ୍କ ସହ ଭିଡିଓ କଲ୍ ମାଧ୍ୟମରେ କଥାବାର୍ତ୍ତା ହେଲା ପରେ ପରିବାର ଲୋକେ ଖୁସିରେ ଆତ୍ମବିଭୋର ହୋଇପାଇଥିଲେ ।

କହିବାକୁ ଗଲେ କରୋନା ଏହି ପରିବାର ପ୍ରତି ଏକ ନୂଆ ଜୀବନ ଆଣିଦେଇଛି ଯେମିତି କି ଗଲା ପୁତ୍ର ବାହୁଡ଼ି ଆସିଛି। ହେଲେ ବର୍ତ୍ତମାନ ଗୁଜରାଟର ଅହମଦାବାଦରେ ଫସି ରହିଥିବା ଭୁବନ ମାଝୀ ପାଖରେ ଓଡ଼ିଶାର ଆଧାର କାର୍ଡ କିମ୍ବା କୌଣସି ଆବଶ୍ୟକୀୟ କାଗଜପତ୍ର ନଥିବାରୁ ସେ ଏଠାକୁ ଆସିବାକୁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ସମ୍ବାଦ ପ୍ରତିନିଧିକୁ ଫୋନ୍ ଯୋଗେ ପ୍ରକାଶ କରିଛନ୍ତି। ଏ ନେଇ ସରକାର ତଥା ପ୍ରଶାସନ ଉଚିତ୍ ପଦକ୍ଷେପ ଗ୍ରହଣ କରି ନିଜ ପୁଅକୁ ସୁରକ୍ଷିତ ଭାବରେ ଫେରେଇ ଆଣିବାକୁ ପରିବାର ବର୍ଗ ଆକୁଳ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର