ନବରଙ୍ଗପୁରରେ ୩ କୋଟି ୩୮ ଲକ୍ଷ ଟଙ୍କାର ଟିଡିଆର ଘୋଟାଲା

ନବରଙ୍ଗପୁର :  ଠିକା କାମ ପାଇଁ ଜାଲ୍‌ ଟିଡିଆର ଦାଖଲ କରିଥିବା ଅଭିଯୋଗରେ ଆଜି ନବରଂଗପୁର ଥାନାରେ ଠିକାଦାର ବଣ୍ଟି ଅଗ୍ରଓ୍ଵାଲଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ନବରଂଗପୁର ଜିଲ୍ଲାର ୨ଟି ରାସ୍ତା କାମ ପାଇଁ ସେ ଦାଖଲ କରିଥିବା ୨୧ଟି ଟିଡିଆର (ଟର୍ମ ଡିପୋଜିଟ୍‌ ରିସିପ୍ଟ) ମଧ୍ୟରୁ ୨ଟି ନକଲି ବୋଲି ଜଣାପଡିଛି। ଏଥିସହ ଅସଲି ଟିଡିଆର ବାବଦ ଅର୍ଥକୁ ଠିକାଦାର ବ୍ୟାଙ୍କରୁ ଉଠାଇ ନେଇଥିବା ଜଣାପଡିଛି। ଫଳରେ  ନବରଂଗପୁର ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏତଲା ଦିଆଯାଇଛି।ଠିକାଦାର ବଣ୍ଟି ଅଗ୍ରଓ୍ଵାଲଙ୍କ ଭବାନୀପାଟଣାରେ ଟିଡିଆର ଘୋଟଲା ଧରାପଡିବା ପରେ ନବରଙ୍ଗପୁର ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ପକ୍ଷରୁୁ ଭବାନୀପାଟଣା  ଷ୍ଟେଟ୍‌ବ୍ୟାଙ୍କକୁ ଟିଡିଆର ଯାଞ୍ଚ ପାଇଁ ପଠା ଯାଇଥିଲା।

ସୂଚନାଯୋଗ୍ୟ ଯେ ଭବାନୀପାଟଣାର ସୁପର କ୍ଳାସ ଠିକାଦାର ବଣ୍ଟି ଅଗ୍ରଓ୍ଵାଲ ଉମରକୋଟ-ମାଲଗାଁ ୫ କିମି ରାସ୍ତା ପାଇଁ ୫ କୋଟି ୩୪ ଲକ୍ଷ ୬୬ ହଜାର ଟଙ୍କାର ଚୁକ୍ତି କରିଥିଲେ। ଅନ୍ୟଟି ନାବାର୍ଡ ଅର୍ଥରେ ୧୨ କିମି ରାସ୍ତା ପାଇଁ ୧୩ କୋଟି ୪୩ ଲକ୍ଷ ୯୫ ହଜାର ଟଙ୍କାର ଚୁକ୍ତି ରହିଥିଲା। ଉଭୟ କାମ ପାଇଁ ୩ କୋଟି ୩୮ ଲକ୍ଷ ଟଙ୍କାର ଟିଡିଆର ଦାଖଲ କରିଥିଲେ। ତେବେ ଟିଡିଆର ଘୋଟାଲା ପଦାରେ ପଡିବାରୁ ନବରଙ୍ଗପୁର ପୂର୍ତ୍ତ  ବିଭାଗ ପକ୍ଷରୁ ଗତ ୨୬-୦୯-୨୦୧୭ ରେ ଚିଠି ନଂ ୩୧୯୭ରେ  ବଣ୍ଟି ଅଗ୍ରଓ୍ଵାଲ ଦେଇଥିବା ଟିିଡିଆର ଗୁଡିକର ବର୍ତ୍ତମାନର ସ୍ଥିତି ସଂକ୍ରାନ୍ତରେ ଯାଞ୍ଚ କରିବା ପାଇଁ ଭବାନୀପାଟଣା ଷ୍ଟେଟ ବ୍ୟାଙ୍କ କୁ ଚିଠି କରାଯାଇଥିଲା। ସେଥିରୁ ୨ଟି ନକଲି ହୋଇଥିବା ବେଳେ ଅନ୍ୟ ୧୯ଟି ଅସଲି ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା।

ତେବେ ୧୯ ଗୋଟି ଟିଡିଆର ବାବଦକୁ ଗତ ୨୦୧୬ ମସିହାରେ ଅର୍ଥ ଉଠାଇ ନିଆଯାଇଥିବା ଦର୍ଶାଇଥିଲେ। ବିଭାଗର ବିନା ଅନୁମତି ରେ ସେ ସେହି ଅର୍ଥ ଉଠାଇବା କଥା ନୁହେଁ ବୋଲି ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାମଲ କହିଛନ୍ତି। ଫଳରେ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନବରଙ୍ଗପୁର ଥାନାରେ ଏତଲା ପ୍ରଦାନ କରାଯାଇଛି।  ପ୍ରକାଶ ଥାଉକି ବଣ୍ଟି ଅଗ୍ରଓ୍ଵାଲ ଉଭୟ କାମ ଲାଗି ଏବେ ସୁଦ୍ଧା ପ୍ରାୟ ୮ କୋଟି ଟଙ୍କାର ବିଲ୍‌ ହୋଇ ସାରିଛି। ପ୍ରାୟ ମାସେ ହେଲା ଏହି କାମ ବନ୍ଦ ହୋଇ ରହିଛି।

ସମ୍ବନ୍ଧିତ ଖବର