କଟକ: ବିଦ୍ୟୁତ ଆଘାତରେ ଦମ୍ପତ୍ତି ମୃତ

 

କଟକ: ଆଜି ପରିବା ଜମିକୁ ପାଣି ପମ୍ପ ଯୋଗେ ପାଣି ମଡ଼ାଉଥିବା ବେଳେ  କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅନ୍ତର୍ଗତ ବାଉଁଶ ଟାଙ୍ଗର ଗ୍ରାମର  ନିରଞ୍ଜନ ଭୂଜବଳ ବିଦ୍ୟୁତ ଆଘାତ ପାଇଥିଲେ। ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ପତ୍ନୀ ନର୍ମଦା ଭୁଜବଳ ମଧ୍ୟ ବିଦ୍ୟୁତ ଆଘାତ ପାଇଥିଲେ। ଉଭୟକୁ ଗୁରୁତର ଅବସ୍ଥାରେ ଆଠଗଡ଼ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ବାଟରେ ଏହି ଦମ୍ପତ୍ତିଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ,  ବାଉଁଶ ଟାଙ୍ଗର ଗ୍ରାମର ନିରଞ୍ଜନ ଭୂଜବଳ(୪୩ ବର୍ଷ) ପରିବା ଚାଷ କରିଛନ୍ତି ।ଆଜି ପୂର୍ବାହ୍ନରେ ସେ ତାଙ୍କ ପରିବା ଜମିକୁ ପାଣି ମଡ଼ାଉଥିବା ବେଳେ ପାଣି ପମ୍ପଟି ଅଚଳ ହୋଇ ଯାଇଥିଲା। ତେଣୁ ନିରଞ୍ଜନ ଏହି ପାଣିପମ୍ପକୁ ସଜାଡ଼ୁଥିବା ବେଳେ ବିଦ୍ୟୁତ କରେଣ୍ଟ ଖାଇ ପଡ଼ି ଯାଇଥିିଲେ। ନିରଞ୍ଜନ ତଳେ ପଡ଼ିଯିବା ଦେଖି ପାଖରେ ଥିବା ତାଙ୍କ ପତ୍ନୀ ନର୍ମଦା ଭୂଜବଳ( ୩୬ ବର୍ଷ)ସେହି ପାଣି ପମ୍ପକୁ ସେଠାରୁ ଉଠାଇବାକୁ ଚେଷ୍ଟା କରିବା ବେଳେ ସେ ମଧ୍ୟ ବିଦ୍ୟୁତ ଆଘାତ ପାଇ  ସେଠାରେ ଅଚେତ ହୋଇ ପଡ଼ିଥିଲେ। ଖବର ପାଇ ପରିବାର ଲୋକେ ସେଠାରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଉଥିବା ବେଳ ବାଟରେ ଉଭୟଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକ ଖେଳିଯାଇଛି।

ସମ୍ବନ୍ଧିତ ଖବର