ବିବାହ ପୂର୍ବରୁ ଜେଲ ଗଲେ ସିଆରପିଏଫ ଯବାନ

ଘରେ ପ୍ରେମିକା କାଟିଲା ହାତ, ମଙ୍ଗଳା କନିଆଁ ରହିଗଲା

ବାଙ୍ଗିରିପୋଷି: ଆଉ ଗୋଟିଏ ଦିନ ଗଡି ଯାଇଥିଲେ ବାଜିଥାନ୍ତା ବାଜା, ଫୁଟିଥାନ୍ତା ରୋଷଣୀ। ବାହାଘର ପାଇଁ ଉଭୟ ପରିବାର ଘରକୁ ଆସି ସାରିଥିଲେ କୁଣିଆ। ଟେଣ୍ଟ ଦିଆ ସରିଥିଲା। ହେଲେ ବିଧିର ବିଧାନ ଅଲଗା ଥିଲା। ପ୍ରେମିକାକୁ ପ୍ରତାରଣା କରି ବିବାହ ଗୋଟିଏ ଦିନ ପୂର୍ବରୁ ଜେଲ ଯାଇଛନ୍ତି ସିଆରପିଏଫ ଯବାନ। ଏଭଳି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମରେ ଘଟିଛି।

ବସନ୍ତପୁର ଗ୍ରାମର ବନବିହାରୀ ମଣ୍ଡଳଙ୍କ ସାନ ପୁଅ ଅଶୋକ କୁମାର ମଣ୍ଡଳ (୨୩)ଙ୍କ ବିବାହ ୧୧ ତାରିଖ ବୁଧବାର ଉଦଳା ଠାରେ ସ୍ଥିରୀକୃତ ହୋଇଥିଲା। ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ହଠାତ୍‌ କାଞିଆଶୋଳ ଗ୍ରାମର ମମତାଜ ପରବିନ୍‌ (୨୫) ନାମକ ଜଣେ ଯୁବତୀ ଶ୍ରୀ ମଣ୍ଡଳଙ୍କ ଘରକୁ ଆସି ତାଙ୍କୁ ପ୍ରେମ କରିବା ସହିତ ପ୍ରତାରଣା କରି ଅନ୍ୟ ଝିଅକୁ ବିବାହ କିପରି କରୁଛ କହି ନିଜ ହାତ କାଟି ଦେଇଥିଲେ।

Photo Credit: Representative Image

ଯୁବତୀ ଜଣକ କାଳ ବିଳମ୍ବ ନକରି ଜିଲ୍ଲା ଏସପିଙ୍କୁ ମଧ୍ୟ ଅବଗତ କରିଥିଲେ। ମୁସଲିମ ଓ ହିନ୍ଦୁ ଗଣ୍ଡଗୋଳକୁ ଆଶଙ୍କା କରି ଏସପି ଜଣେ ଡିଏସପି ଯଦୁନାଥ ଜେନାଙ୍କୁ ତୁରନ୍ତ ଘଟଣାସ୍ଥଳକୁ ପଠାଇଥିଲେ। କୌଣସି ସମାଧାନର ବାଟ ନବାହାରିବାରୁ ବାଙ୍ଗିରିପୋଷି ଥାନାରେ ମାମଲା ରୁଜୁ କରି ଯବାନକୁ କୋର୍ଟ ଚାଲାଣ କରାଯାଇଛି।

ଯୁବତୀଙ୍କ ଚିକିତ୍ସା ପରେ ଡାକ୍ତରୀ ମାଇନା କରାଯାଇଛି। ଏଥି ସହ ଯୁବତୀଙ୍କ ୧୬୪ ବୟାନ ରେକର୍ଡ କରାଯାଇଛି। ଏପଟେ ଉଦଳାରୁ କନିଆଁ ପରିବାର ବାଙ୍ଗିରିପୋଷି ଥାନାକୁ ଆସି ସତ୍ୟାସତ ଅନୁସନ୍ଧାନ କରିଯାଇଛନ୍ତି। ଆପାତତଃ ବାହାଘର ସ୍ଥଗିତ କରାଯାଇଛି। ମଙ୍ଗୁଳା କନ୍ୟା ବାହାଘର ପାଇଁ ପରିବାର ଚିନ୍ତାରେ ଅଛନ୍ତି ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର