ଚାକରାଣୀଙ୍କୁ ହତ୍ୟାକାରୀ ବାଲିରେ ପୋତିଦେଲେ : ହତ୍ୟାକାରୀ ବାପ ଗିରଫ, ପୁଅ ଫେରାର

ଚୌଦ୍ବାର-ମଙ୍ଗୁଳି : ଚୌଦ୍ବାର ଛତିଶାପାଟସ୍ଥିତ ୫୫ନମ୍ବର ଜାତୀୟ ରାଜପଥ କଡ଼ରୁ ବାଲିଗଦା ଭିତରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ ହୋଇଛି। ଠିକ୍‌ ମାସକ ପରେ ମୃତ ମହିଳାଙ୍କ ପରିଚୟ ମିଳିଥିବାବେଳେ ମୃତ୍ୟୁର ପ୍ରକୃତ କାରଣ ହତ୍ୟା ବୋଲି ସ୍ପଷ୍ଟ ହୋଇଛି। ମୃତକ ହେଉଛନ୍ତି ବାଲେଶ୍ବର ବାଲିଆପାଳର ଜଲି ଓରଫ ର˚ଜିତା ନାୟକ (୨୨)। ଏହି ଘଟଣାରେ ଚୌଦ୍ବାର ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ କୁନା ଓରଫ ପ୍ରଭାତ କୁମାର ମହାରଣା (୫୦)ଙ୍କୁ ଗିରଫ କରିଛି। ଶବ ନଷ୍ଟ କରିବାରେ ପ୍ରଭାତଙ୍କୁ ସହଯୋଗ କରିଥିବା ତାଙ୍କ ବଡ଼ ପୁଅ କେକୁ ଓରଫ ରାହୁଲ ମହାରଣା (୧୯) ଫେରାର‌୍‌ ହୋଇଯାଇଛି। ଗିରଫ କୁନା ଜଣେ ଠିକାଦାର ହୋଇଥିବା ବେଳେ କେକୁ ହେଉଛି ଜଣେ ବିଟେକ ଛାତ୍ର।

ମିଳିଥିବା ସୂଚନା ଅନୁଯାୟୀ, ୨୦୧୮, ଡିସେମ୍ବର ୩୧ ତାରିଖ ଅପରାହ୍ନ ପ୍ରାୟ ୪ଟା ୧୫ ମିନିଟ୍‌ରେ ଛତିଶାପାଟ ଜାତୀୟ ରାଜପଥ କଡ଼ରେ କାମ ଚାଲୁଥିଲା। ଜେସିବିରେ ବାଲି ଉଠାଯାଉଥିବାବେଳେ ବାଲିଗଦା ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଶବ ନଷ୍ଟ ହୋଇଯାଇଥିଲାବେଳେ ପୋଡ଼ା ଦାଗ ରହିଥିବା ଦେଖାଯାଇଥିଲା। ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ମହିଳାଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟ ଆସିବା ପରେ ପୁଲିସ୍‌ ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ କରିଥିଲା।

ପୁଲିସ୍‌ ତଦନ୍ତରୁ ଜଣାପଡ଼ିଛି ଯେ, ମୃତ ମହିଳା ହେଲେ କୁନାଙ୍କ ଘରର ଚାକାରାଣୀ ଜଲି। ଜଲିଙ୍କ ଘର ବାଲେଶ୍ବରର ବାଲିଆପାଳ ଅଞ୍ଚଳରେ। ୨୦୧୫ ମସିହାଠାରୁ ସେ କୁନାଙ୍କର ଜଣେ ମାନସିକ ବିକାରଗ୍ରସ୍ତ ଭଉଣୀର ଦେଖାଚାହାଁ ପାଇଁ ତାଙ୍କ ଘରେ ରହି ଆସୁଥିଲେ। ସେବେଠାରୁ କୁନା ଓ ଜଲି ମଧ୍ୟରେ ଅନୈତିକ ସମ୍ପର୍କ ଗଢି ଉଠିଥିଲା। ଅନେକ ସମୟରେ ଜଲି, କୁନା ଘରୁ ବହୁ ଦାମୀ ଜିନିଷପତ୍ର ଓ ସୁନା ଅଳଙ୍କାର ଲୁଚାଇ ନେଇଯାଉଥିଲେ। କିଛି ଦିନ ଗାଏବ ରହିବା ପରେ ପୁଣି କାମ କରିବାକୁ ଆସୁଥିଲା। କିଛି ଦିନ ଅନୁପସ୍ଥିତ ରହିବା ପରେ ଡିସେମ୍ବର ୨୭ ତାରିଖରେ ଜଲି କାମ କରିବାକୁ ଆସିଥିଲେ।

ସେହିଦିନ ଦିନ ୩ଟାରେ କୁନା ଓ ଜଲି ମଧ୍ୟରେ ବିଭିନ୍ନ ଘଟଣାକୁ ନେଇ ଜୋର‌୍‌ରେ ପାଟିତୁଣ୍ତ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କୁନା ଏକ ପଥରରେ ଜଲିଙ୍କ ମୁଣ୍ତକୁ ପ୍ରହାର କରିଥିଲା। ପ୍ରଚୁର ରକ୍ତସ୍ରାବ ହେବା ସହ ଜଲି ଚେତାଶୂନ୍ୟ ହୋଇପଡ଼ିଥିଲେ। ଜଲିଙ୍କ ମୃତ୍ୟୁ ହୋଇଯାଇଥିବା ଭାବି କୁନା ତାକୁ ଗାଧୁଆଘରକୁ ନେଇ ପୋଡ଼ି ମାରିବାକୁ ଉଦ୍ୟମ କରିବାରୁ ସେଠାରେ ହିଁ ତାଙ୍କର ପ୍ରାଣ ଚାଲିଯାଇଥିଲା। ପରେ ବ୍ୟତିବ୍ୟସ୍ତ ହୋଇ କୁନା ତାଙ୍କ ବଡ଼ ପୁଅ କେକୁକୁ ଖବର ଦେଇଥିଲା। ଉଭୟ ବାପ-ପୁଅ ମଳିିତ ଭାବେ ଜଲିର ଶବକୁ କାର‌୍‌ରେ ଚୌଦ୍ବାର ଆଡ଼କୁ ନେଇଯାଇଥିଲେ। ଛତିଶାପାଟ ଜାତୀୟ ରାଜପଥ ପାଖରେ ଗଦା ହୋଇଥିବା ବାଲି ଭିତରେ ଜଲିଙ୍କ ଶବକୁ ପୋତି ଦେଇଥିଲେ। ତେବେ ଶୁକ୍ରବାର ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ କୁନାକୁ ଗିରଫ କରିବାରେ ପରେ ସମସ୍ତ ଘଟଣା ଉପରୁ ପରଦା ହଟାଇବାରେ ସଫଳ ହୋଇଛି। କିନ୍ତୁ କେକୁ ଏବେ ବି ଫେରାର ଅଛି।

ସମ୍ବନ୍ଧିତ ଖବର