ସହକାରୀ ଶିକ୍ଷକଙ୍କୁ ୫ବର୍ଷ ଜେଲ୍‌, ୬ଲକ୍ଷ ଟଙ୍କା ଜରିମାନା

କଟକ : ଅର୍ଥ ହେରଫେର ମାମଲାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ର ଲଣ୍ଡାଗାଁ ଅପଗ୍ରେଡେଡ୍‌ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ରାଜେନ୍ଦ୍ର କୁମାର ରଂଜିତଙ୍କୁ ଭିଜିଲାନ୍ସ କୋର୍ଟ ୫ବର୍ଷ ଜେଲ୍‌ ଓ ୬ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ପରମପଙ୍ଗା ଗ୍ରାମପଞ୍ଚାତର ବୁଢାପେଦେରି ନୂଆ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ୨୦୧୫ ମସିହାରେ କାର୍ଯ୍ୟ କରୁଥିବାବେଳେ ରାଜେନ୍ଦ୍ରଙ୍କ ବିରୋଧରେ ୬ଲକ୍ଷ ୬୦୩୩୮ ଟଙ୍କାର ଅର୍ଥ ହେରଫେର ନେଇ ଅଭିଯୋଗ ଆସିଥିଲା। ବିଦ୍ୟାଳୟର ନୂଆ କୋଠା ନିର୍ମାଣ ପାଇଁ ସ୍କୁଲ୍‌ ଆକାଉଣ୍ଟରେ ଜମା ଟଙ୍କା ରହିଥିଲା। ହେଲେ କୋଠା କାମ ଆରମ୍ଭ ହୋଇନଥିଲେ ବି ସେ ଆକାଉଣ୍ଟରୁ ଟଙ୍କା ଉଠାଇଥିବାରୁ ତାଙ୍କ ବିରୋଧରେ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ଏସଂକ୍ରାରେ ବ୍ରହ୍ମପୁର ଭିଜିଲାନ୍ସରେ ମାମଲା ରୁଜୁ ହେବା ସହ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା। ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ ମାମଲାର ଶୁଣାଣି କରି ରାଜେନ୍ଦ୍ରଙ୍କୁ ଦୋଷୀ କରାଇଥିଲାବେଳେ ଆଇପିସି ଦଫା ୪୦୯ ଅନୁଯାୟୀ ୫ବର୍ଷ ଜେଲ୍‌ ଓ ଲକ୍ଷେ ଟଙ୍କା ଜରିମାନା ଏବଂ ଦୁର୍ନୀତି ନିବାରଣ ଆଇନ୍‌ ଧାରା ୧୩ (୨), ୧୩(୧)(ସି)(ଡି) ଅନୁଯାୟୀ ୩ବର୍ଷ ଜେଲ୍‌ ଓ ୫ଲକ୍ଷ ଟଙ୍କା ଜରିମାନା ଲଗାଯାଇଥିଲା। ଏହି ମାମଲାକୁ ବ୍ରହ୍ମପୁର ଡିଭିଜନ୍‌ର ପୂର୍ବତନ ଇନ୍ସପେକ୍ଟର କ୍ରୀଷ୍ଣା କୁମାରୀ ପ୍ରଧାନ ତଦନ୍ତ କରିଥିଲାବେଳେ ସ୍ୱତନ୍ତ୍ର ପିପି ସୁରେଶ କୁମାର ମହାପାତ୍ର ମାମଲାର ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର