ବୈଜୟନ୍ତ ପଣ୍ଡାଙ୍କ ମିଥ୍ୟା ସତ୍ୟପାଠ ମାମଲା : ଜୁଲାଇ ୩ରେ ପରବର୍ତ୍ତୀ ଶୁଣାଣି, ଅନ୍ତରୀଣ ରହିତାଦେଶ ବଳବତ୍ତର

କଟକ : କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମାମଲାରେ ଜବାବ ରଖିବା ପାଇଁ ପ୍ରତିପକ୍ଷ ଦିଲ୍ଲୀପ କୁମାର ଦାସ ଆଜି ମହଲତ ଲୋଡିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଏଥି ସହିତ ପୂର୍ବରୁ ଜାରି କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ଏସ୍‌.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ପଣ୍ଡାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର, ଆଇନଜୀବୀ ଡି.ପି.ଧଳ, ତରଣୀକାନ୍ତ ବିଶ୍ୱାଳ ଓ ପୁଷ୍ପରାଜ ଭରଦ୍ୱାଜ ମାମଲା ପରିଚାଳନା କରୁଛନ୍ତି।

୨୦୧୪ ନିର୍ବାଚନରେ ଶ୍ରୀ ପଣ୍ଡା ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଦର୍ଶାଇ ଅଭିଯୋଗକାରୀ ଦିଲ୍ଲୀପ କୁମାର ଦାସ କେନ୍ଦ୍ରାପଡା ଏସଡିଜେଏମ୍‌ ଅଦାଲତରେ କଂପ୍ଲୋନ୍‌ କେସ୍‌ ରୁଜୁ କରିଥିଲେ। ଅଭିଯୋଗକାରୀଙ୍କ ଅଭିଯୋଗକୁ ଏତଲା ଭାବେ ଗ୍ରହଣ କରି ତଦନ୍ତ କରିବା ପାଇଁ ସିଆରପିସିର ଧାରା ୧୫୬(୩)ରେ ଏସଡିଜେଏମ୍‌ ଅଦାଲତ ସ୍ଥାନୀୟ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଏ ନେଇ ଟାଉନ ଥାନାରେ ଏତଲା ରୁଜୁ ହୋଇଥିଲା। କେନ୍ଦ୍ରାପଡା ଏସଡିଜେଏମ୍‌ ଅଦାଲତରେ ବିଚାରାଧୀନ ମାମଲାକୁ ଚଲେଞ୍ଜ କରି ଶ୍ରୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ଶ୍ରୀ ପଣ୍ଡାଙ୍କ ବିରୋଧରେ ମିଛ ସତ୍ୟପାଠ ଅଭିଯୋଗକୁ ନେଇ ରଜୁ ମାମଲାର ତଦନ୍ତ ଉପରେ ଅଙ୍କୁଶ ଜାରି କରିଥିଲେ।

ସମ୍ବନ୍ଧିତ ଖବର