ସମୀର-ବୈଜୟନ୍ତ ଗୁପ୍ତ ଆଲୋଚନା : ରାଜନୈତିକ ମହଲରେ କଳ୍ପନାଜଳ୍ପନା ଜାରି

କଟକ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଆଜି ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ନିଜର ସିଡିଏସ୍ଥିତ ବାସଭବନରେ ସମ୍ବର୍ଧିତ କରିଛନ୍ତି। କେବଳ ସେତିକି ନୁହେଁ, ଉଭୟଙ୍କ ମଧ୍ୟରେ ୧୫ମିନିଟ୍‌ କାଳ ରୁଦ୍ଧଦ୍ୱାର ଆଲୋଚନା ମଧ୍ୟ ହୋଇଛି।

ସମୀରଙ୍କ ଘରେ ବୈଜୟନ୍ତଙ୍କ ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ ଓ କବାଟ କିଳା ଆଲୋଚନାକୁ ନେଇ ରାଜନୈତିକ ମହଲରେ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି। କେନ୍ଦ୍ରାପଡାକୁ ପ୍ରତିନିଧିତ୍ୱ କରୁଥିବା ବୈଜୟନ୍ତଙ୍କୁ ହଠାତ୍‌ କଟକରେ କାହିଁକି ସମ୍ବର୍ଧିତ କରାଗଲା? ବୈଜୟନ୍ତ କେନ୍ଦ୍ରାପଡା ଛାଡି କଟକକୁ ଆଖେଇଛନ୍ତି କି? ବିଜେପିର ସବୁ ତୁଙ୍ଗ ନେତାଙ୍କ ସହିତ ତାଙ୍କ ସଂପର୍କ ଥିବା ନେଇ ଦାବି କରୁଥିବା ବୈଜୟନ୍ତ ହଠାତ୍‌ ସମୀରଙ୍କ ସହିତ ବୈଠକ କରି ଗେରୁଆ ସଂପର୍କକୁ ପଦାକୁ କାହିଁକି ଆଣିବାକୁ ଚାହିଁଲେ? ସମୀରଙ୍କ ନେତୃତ୍ୱରେ ବିଜେପିରେ ଏକ ନୂଆ ଗୋଷ୍ଠୀ ତିଆରି ହେଉଛି କି? ଏମିତି ଅନେକ ପ୍ରଶ୍ନ ଚର୍ଚ୍ଚାକୁ ଆସିଲାଣି।

ଆଜି ସଂଧ୍ୟା ୬ଟାରେ ବୈଜୟନ୍ତ ଶ୍ରୀ ଦେ’ଙ୍କ ବାସଭବନରେ ପହଞ୍ଚି ଥିଲେ। ସେଠାରେ ତାଙ୍କୁ ସ୍ୱାଗତ କରିବା ପାଇଁ ସମୀରଙ୍କ ଅନୁଗତ ତଥା ବିଜେପିର ଶତାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ। ପ୍ରଥମେ ପାଖାପାଖି ୧୫ ମିନିଟ୍‌ କାଳ ଶ୍ରୀ ଦେ’ ଓ ଶ୍ରୀ ପଣ୍ଡା ନିଭୃତରେ ଆଲୋଚନା କରିବା ପରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଜେପି ନଗର ସଭାପତି ଲକ୍ଷ୍ମୀଧର ପ୍ରଧାନ, ପୂର୍ବତନ ମେୟର ନିବେଦିତା ପ୍ରଧାନ, ବରିଷ୍ଠ ନେତା ରାଜେନ୍ଦ୍ର ସାମଲ, ଦେବାଶିଷ ଘୋଷ, ଶାନ୍ତି କମିଟିର ସଂପାଦକ ଭିକାରୀ ଦାସ, ବିଜେପିର ବିଭିନ୍ନ ମଣ୍ଡଳର କାର୍ଯ୍ୟକର୍ତ୍ତା, ବିଭିନ୍ନ କୀର୍ତ୍ତନ ମଣ୍ଡଳିର କର୍ମକର୍ତ୍ତା ଉପସ୍ଥିତ ରହି ବୈଜୟନ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ପୂର୍ବତନ ମନ୍ତ୍ରୀ ସମୀର ଦେ’ ସମ୍ବର୍ଦ୍ଧନା ପର୍ବ ଆରମ୍ଭରେ ବୈଜୟନ୍ତ ମିସନ୍‌-୨୦୧୯ର ମଙ୍ଗ ଧରିବେ ବୋଲି କହିଥିଲେ। ବିଜେପି ନଗର ସଭାପତି ଲକ୍ଷ୍ମୀଧର ପ୍ରଧାନ ବୈଜୟନ୍ତଙ୍କୁ କଟକ ପୁଅ ଭାବେ ବର୍ଣ୍ଣନା କରିଥିଲେ। ବୈଜୟନ୍ତ କଟକର ଲୋକଙ୍କ ପାଇଁ କାମ କରିବା ସହ ଏଠାରୁ ପ୍ରତିନିଧିତ୍ୱ କରନ୍ତୁ ବୋଲି ଅନୁରୋଧ କରିିଥିଲେ। କଟକ ଲୋକସଭା ଆସନରୁ ବୈଜୟନ୍ତ ବିଜେପିରୁ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ ବୋଲି ଅନ୍ୟ ବକ୍ତାମାନେ ବି ଖୋଲା ମତ ଦେଇଥିଲେ।

ସମ୍ବର୍ଦ୍ଧନାର ଉତ୍ତରରେ ବୈଜୟନ୍ତ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସୁଯୋଗ ମିଳିଲେ ସେ କଟକ ପାଇଁ କାମ କରିବାକୁ ପଛାଇବେ ନାହିଁ ବୋଲି କହିଥିଲେ। ସେ ପୁଣି କଟକ ଆସିବେ ଏବଂ ଲୋକଙ୍କୁ ଭେଟିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ ବିଜେପି ଶିବିରରେ ବି ଆଲୋଚନାର ଖୋରାକ ଯୋଗାଇଛି। ବିଜେପିର ଏକ ପ୍ରଭାବଶାଳୀ ଗୋଷ୍ଠୀ ଏହି କାର୍ଯ୍ୟକ୍ରମ ଉପରେ ନଜର ରଖିଥିଲେ।
ଅନ୍ୟପକ୍ଷରେ ରାଜନୈତିକ ମହଲର କହିବା କଥା ହେଉଛି, ସମ୍ଭବତଃ ବୈଜୟନ୍ତ ବିଜେପିକୁ ଆଖେଇଛନ୍ତି। ଏହା ଯଦି ସତ ହୁଏ, ତେବେ ବିଜେଡି ଅଭିଯୋଗ ଅମୂଳକ ନ ଥିଲା ବୋଲି ସିଦ୍ଧ ହେବ।

ଆଜିର ଏହି ଭେଟଘାଟ ଓ ଆଲୋଚନା କଟକ ରାଜନୀତିକୁ ସରଗରମ କରିଛି।

ସମ୍ବନ୍ଧିତ ଖବର