ପୁରୀରେ ଆଇନଜୀବୀଙ୍କ ହତ୍ୟାର ପ୍ରତିବାଦ, ଆଜି ହାଇକୋର୍ଟ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ

କଟକ: ପୁରୀରେ ଆଇନଜୀବୀ ଲକ୍ଷ୍ମୀଧର ମହାପାତ୍ରଙ୍କ ହତ୍ୟାକାଣ୍ଡ ଘଟଣାର ପ୍ରତିବାଦରେ ହାଇକୋର୍ଟ ଆଇନଜୀବୀମାନେ ମଙ୍ଗଳବାର ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ସାଧାରଣ ପରିଷଦ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ଅନୁଷ୍ଠିତ ବୈଠକରେ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସଦସ୍ୟମାନେ ଦାବି କରିଥିଲେ। ଆଇନଜୀବୀଙ୍କ ଉପରେ କୌଣସି ପ୍ରକାର ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ ବୋଲି ମତ ପ୍ରକାଶ ପାଇଥିଲା। ଏପରି ଘଟଣାକୁ ବାର୍‌ ଆସୋସିଏସନ୍‌ ପକ୍ଷରୁ ନିନ୍ଦା କରାଯାଇଛି। ଏଥି ସହିତ ପୁରୀର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଇନଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି। ଏପରି ବର୍ବର ଘଟଣାର ପ୍ରତିବାଦରେ ମଙ୍ଗଳବାର ଦିନକ ପାଇଁ କୋର୍ଟ କାର୍ଯ୍ୟ ବର୍ଜନ କରିବା ଲାଗି ବୈଠକରେ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଗତ ୧୮ ତାରିଖ ଦିନ ହତ୍ୟାକାଣ୍ଡର ଶିକାର ହୋଇଥିବା ସ୍ୱର୍ଗତ ଲକ୍ଷ୍ମୀଧର ମହାପାତ୍ର ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ସଦସ୍ୟ ହୋଇଥିବା ବେଳେ ତାଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯାଇ ସଭା ଅନୁଷ୍ଠିତ ହୋଇଥିଲା। ଆସୋସିଏସନ ହଲ୍‌ଠାରେ ଶୋକସଭା ପରେ ହାଇକୋର୍ଟରେ ଫୁଲକୋର୍ଟ ରେଫରେନ୍ସ ହୋଇଥିଲା। ଉପସଭାପତି କାଳୀ ପ୍ରସନ୍ନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂପାଦକ ଉମେଶ ଚନ୍ଦ୍ର ବେଉରା, ପୂର୍ବତନ ସଂପାଦକ ବିଜୟ କୁମାର ରଗଡ, ବରଦା ପ୍ରସନ୍ନ ପଟ୍ଟନାୟକ, କୈଳାଶ ଚନ୍ଦ୍ର କର, ବିଭୂ ପ୍ରସନ୍ନ ମହାପାତ୍ର, ମିଲନ ବଡୁ, ତାପସ କୁମାର ଦିବେଦୀ, ସଂଜୟ ଦାସଙ୍କ ସହିତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ। ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ଏପରି ନିଷ୍ପତ୍ତି ସଂପର୍କରେ କଟକର ଅନ୍ୟ ଆଇନଜୀବୀ ସଂଘ ଗୁଡିକୁ ମଧ୍ୟ ଅବଗତ କରାଯାଇଛି ବୋଲି ସଂପାଦକ ଶ୍ରୀ ବେଉରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର