ବାରବାଟୀ ଟିକେଟ୍‌ କେଳେଙ୍କାରୀ : ଘରୋଇ ସଂସ୍ଥାର ମୁଖ୍ୟ କାର୍ପଟଦାର ଗିରଫ

କଟକ : ବାରବାଟୀ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ କ୍ରିକେଟ୍‌ ମ୍ୟାଚ୍‌ ପାଇଁ ଅନ୍‌ଲାଇନ ଟିକେଟ୍‌ ବିକ୍ରିରେ ଲକ୍ଷାଧିକ ଟଙ୍କାର କେଳେଙ୍କାରୀ ହୋଇଥିବା ଅଭିଯୋଗ ହୋଇଛି । ଟିକେଟ୍‌ ବିକ୍ରି ଦାୟିତ୍ୱ ନେଇଥିବା ହାଇଦ୍ରାବାଦ୍‌ର ‘ଗେଟ୍‌ ୨ ଦି ଗେମ୍‌ସ’ ଏଜେନ୍ସିର ପ୍ରୋପ୍ରାଇଟର୍‌ ବିନୟ କର୍ମଚେଟିକୁ କ୍ୟାଣ୍ଟନ୍‌ମେଣ୍ଟ ଥାନା ପୁଲିସ ଆଜି ଗିରଫ କରିଛି। ଅଭିଯୁକ୍ତର ଘର କର୍ଣ୍ଣାଟକର ବାଙ୍ଗାଲୁର ଅଞ୍ଚଳରେ। ତା’ ବିରୋଧରେ ପୁଲିସ ଦଫା ୪୨୦, ୪୬୭, ୪୬୮ରେ ଏକ ମାମଲା(କେସ୍‌ ନଂ ୧୦୯) ରୁୁଜୁ କରିଥିବା ସୂଚନା ମିଳିଛି । ବିନୟ ଲକ୍ଷାଧିକ ଟଙ୍କା ଟିକେଟ୍‌ କେଳେଙ୍କାରୀ କରି ହେର୍‌ଫେର୍‌ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି ।

ସୂଚନା ଅନୁଯାୟୀ, ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ରେ ଅନ୍‌ଲାଇନ୍‌ ଟିକେଟ୍‌ ବିକ୍ରି ଦାୟିତ୍ୱ ‘ଗେଟ୍‌ ୨ ଦି ଗେମ୍‌ସ’କୁ ଦିଆଯାଇଥିଲା । କ୍ରିକେଟ୍‌ ପ୍ରେମୀ ଅନ୍‌ଲାଇନ୍‌ରେ ଟିକେଟ୍‌ କିଣିବା ପରେ ଏକ ପ୍ରିଣ୍ଟ ଅନ୍‌ଲାଇନ୍‌ରେ ହସ୍ତଗତ ହୋଇଥିଲା। ଷ୍ଟାଡିୟମ୍‌ ନିକଟରେ ଥିବା ଏକ ଘରୋଇ ସ୍କୁଲ୍‌ ପରିସରରେ ଖୋଲାଯାଇଥିବା ଅସ୍ଥାୟୀ କାଉଣ୍ଟରେ ଉକ୍ତ ପ୍ରିଣ୍ଟ ଦାଖଲ ପରେ ଓରିଜିନାଲ୍‌ ଟିକେଟ୍‌ ଦିଆଯିବାର ବ୍ୟବସ୍ଥା ହୋଇଥିଲା। କାଉଣ୍ଟରରେ ସେମାନଙ୍କୁ ଯେଉଁ ଟିକେଟ୍‌ ପ୍ରଦାନ କରାଯାଇଥିଲା। କିନ୍ତୁ ସେଥିରେ ସିଟ୍‌ ନମ୍ବର, କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ସ୍ୱାକ୍ଷର, ଷ୍ଟାମ୍ପ ଏବଂ ସିକ୍ୟୁରିଟି କୋଡ୍‌ ନଥିବାରୁ ଗେଟ୍‌ରେ ଶହ ଶହ କ୍ରିକେଟ୍‌ ପ୍ରେମୀଙ୍କୁ ଚେକିଂ ବେଳେ ଭିତରକୁ ଛଡ଼ାଯାଇ ନଥିଲା। ଯଦ୍ୱାରା ଷ୍ଟାଡିୟମ୍‌ ବାହାରେ ଚାପା ଅସନ୍ତୋଷ ସୃଷ୍ଟି ହୋଇଥିଲା ।

ଶତାଧିକ କ୍ରୀଡ଼ା ପ୍ରେମୀ ଉତ୍ତ୍ୟକ୍ତ ହୋଇ ସମ୍ପୃକ୍ତ ସଂସ୍ଥାର ପ୍ରୋପ୍ରାଇଟର୍‌ ବିିନୟକୁ ମାଡ଼ି ବସିଥିଲେ। ଷ୍ଟାଡିୟମ୍‌ ବାହାରେ ନିର୍ଦ୍ଦୁମ୍‌ ପିଟିବା ସହିତ ଦୁଇ ଘଣ୍ଟା କାଳ ଶହ ଶହ ଲୋକଙ୍କ ଗହଣରେ ବୁଲାଇଥିଲେ । ଶେଷରେ ପୁଲିସ ପହଞ୍ଚି ବିନୟକୁ ଉଦ୍ଧାର କରିବା ପରେ ଥାନାରେ ଅଟକ ରଖି ଟିକେଟ୍‌ କେଳେଙ୍କାରୀ ସମ୍ପର୍କରେ ଜେରା କରିଥିଲା । ଲକ୍ଷାଧିକ ଟଙ୍କା ଖେଳ ପ୍ରେମୀଙ୍କ ନିକଟରୁ ବିନୟ ଠକିଥିବା ପୁଲିସ ହାତରେ ପ୍ରମାଣ ମିଳିବା ପରେ ଆଜି ତା’ ବିରୋଧରେ ଠକେଇ ମାମଲା ରୁଜୁ କରି ଗିରଫ କରାଯାଇଥିବା ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି ।

ସମ୍ବନ୍ଧିତ ଖବର