କଣ୍ଟାପଡ଼ାରେ ବୋମାମାଡ଼, ଜଳିଗଲା ଜେସିବି

କଟକ/କଣ୍ଟାପଡ଼ା : ନିଆଳି ପରେ ଏବେ କଣ୍ଟାପଡା ବ୍ଲକ୍‌କୁ ଲେଉଟିଛି ବୋମାମାଡ ଆତଙ୍କ। ବାଲିଘାଟରେ ଥିବା ଜେସିବି ଉପରକୁ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ବୋମାମାଡରେ ଜେସିବି ମେସିନଟି ସମ୍ପୂର୍ଣ୍ଣ ଜଳିଯାଇଛି। ଦାଦା ବଟିକୁ କେନ୍ଦ୍ରକରି ଏଭଳି ବୋମାମାଡ ହୋଇଥିବା ଚର୍ଚ୍ଚା ହେଉଛି। ଗତ ୧୦ ମାସ ମଧ୍ୟରେ ନିଆଳି ବ୍ଲକ୍‌ରେ ୧୦ରୁ ଅଧିକ ବୋମାମାଡ ଘଟଣା ଘଟିଛି। ପୁଲିସ ଅପରାଧୀଙ୍କୁ ଧରିପାରୁ ନଥିବା ବେଳେ ଆଜି ପୁଣି ପୁଲିସକୁ ଚକ୍‌ମା ଦେଖାଇ କଣ୍ଟାପଡା ବ୍ଲକ୍‌ରେ ବୋମାମାଡ କରି ଖସିଯାଇଛନ୍ତି ଦୁର୍ବୃତ୍ତ।

ସୂଚନା ଅନୁସାରେ, ଗୋବିନ୍ଦପୁର ଥାନା ଅନ୍ତର୍ଗତ ବଡ଼ଖରମଙ୍ଗା ଦେବୀନଦୀ ବାଲିଘାଟରେ ବ୍ୟବହୃତ ଜେସିବି ମେସିନ ଉପରକୁ କେହି ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ କରିଥିଲା। ବୋମାମାଡ଼ ପରେ ଉକ୍ତ ମେସିନଟି ଜଳିଯାଇଥିଲା। ଏ ନେଇ ଘାଟରେ କାମକରୁଥିବା କର୍ମଚାରୀ ଚନ୍ଦନକୁମାର ଦାସ ଗୋବିନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରଛି। କିନ୍ତୁ କିଏ ଓ କାହିଁକି ଏଭଳି ବୋମାମାଡ କରିଛି ସେ ସଂପର୍କରେ ଜଣାପଡିନାହିଁ। ପୂର୍ବରୁ ଦାଦା ବଟି ପାଇଁ କଣ୍ଟାପଡ଼ା ଓ ନିଆଳି ଅଂଚଳର ଏକାଧିକ ସ୍ଥାନରେ ବୋମାମାଡ଼ ହୋଇଥିବା ବେଳେ ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି। ଆଜିର ଏହି ଘଟଣା ପରେ ଅଂଚଳରେ ଆତଙ୍କ ଖେଳିଯାଇଛି।

ସମ୍ବନ୍ଧିତ ଖବର