ନିଆଳିରେ ଦାଦା ବଟି ପାଇଁ ବୋମା ମାଡ଼

ନିଆଳି : ଦାଦା ବଟିକୁ କେନ୍ଦ୍ରକରି ନିଆଳିରେ ପୁଣି ବୋମା ମାଡ଼ ହୋଇଛି। ଦୁର୍ବୃତ୍ତମାନେ ଜଣେ ଠିକାଦାରଙ୍କ ଘର ଉପରକୁ ଲଗାତର ୨ଟି ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି। ବୋମାମାଡ଼ରେ କାହାର କ୍ଷୟକ୍ଷତି ହୋଇନଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଆଜି ରାତି ସାଢେ ୮ଟାରେ ଏଭଳି ଘଟଣା ଘଟିଛି। ଏକ ବାଇକରେ ୨ଜଣ ଯୁବକ ମୁହଁରେ କପଡ଼ା ବାନ୍ଧି ଠିକାଦାର ରାଜୁ ରାଉତଙ୍କ ବାସଭବନ ଉପରକୁ ବୋମା ମାଡ଼ କରିଥିଲେ। ପ୍ରଚଣ୍ଡ ଶବ୍ଦରେ ବୋମା ବିସ୍ଫୋରଣ ହେବା ସହ ସ୍ଥାନୀୟ ଅଞ୍ଚଳ ଧୂଅାଁମୟ ହୋଇଯାଇଥିଲା। ତେବେ ଏଥିରେ ଠିକାଦାର ଓ ତାଙ୍କ ପରିବାରର କିଛି କ୍ଷତି ହୋଇନଥିବା ଜଣାଯାଇଛି। ଦାଦାବଟିକୁ ନେଇ ନିଆଳିରେ ପୁଣି ବୋମାମାଡ଼ ଘଟଣା ପୁଲିସ ପ୍ରଶାସନ ପ୍ରତି ଚାଲେଞ୍ଜ୍‌ ସୃଷ୍ଟି କରିଛି। ଖବର ପାଇ ନିଆଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋମାର ଟୁକୁରା ଅଂଶ ସୁତୁଲି ଓ ଗୋଡ଼ିକୁ ଜବତ କରି ତଦନ୍ତ ଚଳାଇଥିବା ଜଣାଯାଇଛି। ପଞ୍ଚାୟତ ନିର୍ବାଚନ ଓ ପରବର୍ତ୍ତୀ ସମୟରେ ନିଆଳି ଅଞ୍ଚଳରେ ହତ୍ୟାକାଣ୍ଡ, ଗୃହଦାହ, ଗୋଷ୍ଠୀ ସଂଘର୍ଷ ଭଳି ଘଟଣା ଅଞ୍ଚଳର ପରିବେଶକୁ ଅଶାନ୍ତ କରିଥିବା ବେଳେ ଏବେ ପୁଣି ଏଭଳି ବୋମା ମାଡ଼ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର