ଠିକାଦାରଙ୍କ ଘର ଉପରକୁ ବୋମାମାଡ଼

୧୦ ଦିନରେ ୩ଥର ଫୁଟିଲାଣି ବୋମା

ନିଆଳି : ଅଶାନ୍ତ ହୋଇପଡୁଛି କଟକ ଜିଲ୍ଲାର ନିଆଳି ଥାନା ଅଂଚଳ। ୧୦ ଦିନରେ ଫୁଟିଲାଣି ୩ଥର ବୋମା। ଚାରି ମାସରେ ଦ୍ୱିତୀୟ ଥର ପାଇଁ ନିଆଳିର ଠିକାଦାର ରାଜକିଶୋର ରାଉତ୍‌ଙ୍କ ଘର ଉପରକୁ ବୋମାମାଡ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ବୋମାମାଡ଼ରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି। ଭୟର ବାତାବରଣ।

ସୂଚନା ଅନୁସାରେ, ଆଜି ରାତି ପ୍ରାୟ ସାଢେ ୮ଟାରେ ୨ଜଣ ଅଜଣା ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ବାଇକ୍‌ରେ ଆସି ରାଜକିଶୋରଙ୍କ ଘର ଉପରକୁ ୨ଟି ବୋମା ମାଡକରି ଫେରାର ହୋଇଯାଇଥିଲେ। ବୋମା ମାଡ଼ରେ କାହାର କିଛି କ୍ଷତି ହୋଇ ନଥିଲେ ମଧ୍ୟ ରାଜକିଶୋରଙ୍କ ଦାଣ୍ଡଘର କାନ୍ଥରେ କଣା ହୋଇଯାଇଛି। ଦାଦାବଟିକୁ କେନ୍ଦ୍ରକରି ଏହି ବୋମାମାଡ଼ ହୋଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଘଟଣାସ୍ଥଳରେ ନିଆଳି ପୁଲିସ ପହଞ୍ଚି ବୋମାର ଟୁକୁରା ଅଂଶ, ସୁତୁଲି ଓ ଗୋଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ ଗତ ୨୦୧୭ ଅକ୍ଟୋବର ୧୪ତାରିଖରେ ଠିକାଦାର ଶ୍ରୀ ରାଉତଙ୍କ ନିଆଳି ସ୍ଥିତ ବାସଭବନ ଉପରକୁ ମଧ୍ୟ ବୋମାମାଡ଼ ହୋଇଥିଲା। ଠିକାଦାରଙ୍କ ବାସଭବନ ଉପରକୁ ୪ମାସ ଭିତରେ ୨ଥର ବୋମାମାଡ଼ ହେଲାଣି। ପୂର୍ବ ବୋମାମାଡ ଘଟଣାରେ ପୁଲିସ କାହାରିକୁ ବର୍ତ୍ତମାନ ସୁଦ୍ଧା ଗିରଫ କରିପାରି ନଥିବା ବେଳେ ଏବେ ପୁଣି ବୋମାମାଡ ଘଟଣା ଆତଙ୍କ ସୃଷ୍ଟି କରିଛି। ଡିସେମ୍ବର ୩୧ ତାରିଖ ବିଳମ୍ବତି ରାତିରେ ପୋଖରୀଗାଁ ଗ୍ରାମରେ ବୋମାମାଡ ଓ ଫାଙ୍କା ଗୁଳିଚାଳନା ଘଟଣା ଘଟିଥିବା ବେଳେ ୭ତାରିଖ ରାତିରେ ପୋଲସରାରେ ଘଟିଛି ପୁଣି ବୋମାମାଡ।

ନିଆଳି ଥାନା ଅଞ୍ଚଳରେ ବାରମ୍ବାର ବୋମାମାଡ ଘଟଣା ଘଟୁଥିବା ବେଳେ ଅନେକ ସମୟରେ ଅପରାଧୀଙ୍କୁ ଧରିପାରୁନି ପୁଲିସ। ଏ ସଂପର୍କରେ ଏସ୍‌ଡିପିଓ ଜିତେନ୍ଦ୍ର ଦଳେଇଙ୍କୁ ଯୋଗାଯୋଗ କରିବାରୁ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର