ପିଚୁ ଫ୍ୟାକ୍ଟ୍ରିରେ ବୋମାମାଡ଼

ଖୁଣ୍ଟୁଣୀ : ଖୁଣ୍ଟୁଣୀ ଥାନା ଘଣ୍ଟିଖାଲ ପଞ୍ଚାୟତ ଚେପେଟି(ଦ୍ୱାରାବତୀପୁର) ଗ୍ରାମରେ ଥିବା ଏକ ପିଚୁ ଫ୍ୟାକ୍ଟି୍ର ଉପରକୁ ଆଜି ବୋମାମାଡ଼ ହୋଇଛି। ଚାରିରୁ ପାଞ୍ଚ ଜଣ ଦୁର୍ବୃତ୍ତ ଆଜି ଦିନ ପ୍ରାୟ ୩ଟା ୧୦ରେ ଫ୍ୟାକ୍ଟି୍ର ଭିତରକୁ ବଳପୂର୍ବକ ପଶି ଲଗାତାର ଭାବେ ୪ଟି ବୋମା ଫିଙ୍ଗି ଫେରାର୍‌ ହୋଇଯାଇଛନ୍ତି। ବୋମାମାଡ଼ରେ ଅଫିସ୍‌ ରୁମ୍‌, ଡ୍ରାଇଭର୍‌ଙ୍କ ବିଶ୍ରାମ ଘର ଏବଂ ଏକ ଟ୍ରକ୍‌ କ୍ଷତିଗ୍ରସ୍ତ ହୋଇଛି। ବୋମାମାଡ଼ର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଦାଦାବଟି ଓ ଟେଣ୍ଡର୍‌ କାରବାରକୁ ନେଇ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଖୁଣ୍ଟୁଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଗତ ଏପ୍ରିଲ୍‌ ୧ତାରିଖରେ ପ୍ରମୋଦ ବେହେରା କନଷ୍ଟ୍ରକ୍ସନର ଥିବା ଏହି ପିଚୁ ଫ୍ୟାକ୍ଟ୍ରିରେ କେତକେ ଦୁର୍ବୃତ୍ତ ପଶି ଜଣେ କର୍ମଚାରୀଙ୍କ ମୁଣ୍ଡରେ ବଂଧୁକ ଲଗାଇ ଦାଦାବଟି ମାଗିଥିଲେ। ଏହି ଘଟଣାରେ ପୁଲିସ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ତେବେ ଏ ଘଟଣାକୁ ତିନି ମାସ ନପୂରୁଣୁ ଆଜି ଫ୍ୟାକ୍ଟି୍ରରେ ବୋମାମାଡ଼ ଘଟଣା ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର