କଟକ ସଦର ଥାନା ଅନ୍ତର୍ଗତ ରାୟପୁର ଗ୍ରାମରେ ବୋମା ଓ ଗୁଳି ମାଡ଼

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା କାଳ ହେଲା!

ଫୁଲନଖରା : କଟକ ସଦର ଥାନା ଅନ୍ତର୍ଗତ ରାୟପୁର ଗ୍ରାମର ଜଗଦୀଶ ମହାନ୍ତିଙ୍କ ପୁଅ ପିନାକ ମହାନ୍ତିଙ୍କ ଘର ଉପରକୁ ଗତକାଲି ବିଳମ୍ବିତ ରାତିରେ ବୋମା ଓ ଗୁଳି ମାଡ଼ ହୋଇଛି। ଏଥିରେ ଘରର ଗେଟ୍‌ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଘର ଭିତରେ ଲୋକେ ଶୋଇଥିବା ବେଳେ ଏଭଳି ଘଟଣା ଘଟିଛି। ପ୍ରଚଣ୍ଡ ଶବ୍ଦ କରି ବୋମା ଓ ଗୁଳି ଫୁଟିବା ଫଳରେ ପରିବାର ଲୋକେ ଆତଙ୍କିତ ହୋଇ ପଡିଥିଲେ। ଗାଁରେ ବି ଭୟର ବାତାବରଣ ଖେଳି ଯାଇଥିଲା। ଏ ନେଇ ପିନାକ ଆଜି ସକାଳେ ଥାନାରେ ଲିଖିତ ଏତଲା ଦେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ଅଫୁଟା ବୋମା ଓ ଗୋଟିଏ ଜୀବନ୍ତ ଗୁଳି ଉଦ୍ଧାର କରିଛି। ଘଟଣାରେ କିଏ ସଂପୃକ୍ତ ତାହା ଏଯାଏ ସୂଚନା ମିଳି ନଥିଲେ ବି ଖୁବଶୀଘ୍ର ଦୁର୍ବୃତ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ଅଧିକାରୀ ଦେବଦତ୍ତ କର ସୂଚନା ଦେଇଛନ୍ତି।

ଅନ୍ୟପଟେ ପିନାକ ଏହି ଘଟଣାକୁ ନେଇ ବିଜେପି ନେତୃବୃନ୍ଦଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସେ କହିବା ଅନୁଯାୟୀ ରାଜ୍ୟ ପ୍ରତି ଅବହେଳା ପ୍ରତିବାଦରେ ସେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପତ୍ର ପଠାଇଥିଲେ। ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓଡ଼ିଶାକୁ ବରବାଦ କରିଦେବେ ଏବଂ ସେମାନେ ନେତା, ମନ୍ତ୍ରୀ ପାଇଁ ଅନୁପଯୁକ୍ତ ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ପଠାଇଥିବା ଚିଠିରେ ଉଲ୍ଲେଖ କରିଥିଲେ। ଏହାର କିଛି ଦିନ ମଧ୍ୟରେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଫୋନରେ ଧମକ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଚିଠି ଲେଖିଲେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ଆଜି ଏଭଳି ଢଙ୍ଗରେ ବୋମା ଓ ଗୁଳି ମାଡ଼ ପଛରେ ତାହା ହୁଏତ କାରଣ ହୋଇଥାଏ ପାରେ ବୋଲି ପିନାକ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟ ଭିତରେ ୨୦୧୭, ନଭେମ୍ବର ୨୧ ତାରିଖରେ ସଭାପତି ବସନ୍ତ ପଣ୍ଡାଙ୍କୁ ଆକ୍ରମଣ ଉଦ୍ୟମ ଅଭିଯୋଗରେ ପିନାକଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର