ଶାଶୂ ଘର ଲୋକଙ୍କ ଭୟରେ କ୍ରାଇମ୍‌ବ୍ରାଞ୍ଚରେ ବୋହୂ

କଟକ: ଭିନ୍ନ ଜାତିରେ ବିବାହ କରିବାରୁ ଶାଶୂ ଘର ଲୋକେ ପୁଅକୁ ବିଷ ଦେଇ ମାରିଦେଲେ। ବୋହୂ ନିଜ ତିନି ପିଲାଙ୍କୁ ଧରି ଏବେ ଭୟରେ ଘରୁ ବାହାରି ଯାଇ ଅଲଗା ଦିନ କାଟୁଛନ୍ତି। ଏବେ ତାଙ୍କୁ ସୁରକ୍ଷା ଯୋଗାଇବା ସହିତ ନ୍ୟାୟ ଦେବାକୁ ଭବାନୀପାଟଣାର ସାହିଦା ବେଗମ୍‌ ନାମକ ମହିଳା ରାଜ୍ୟ କ୍ରାଇମ୍‌ବ୍ରାଞ୍ଚରେ ଫେରାଦ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଞ୍ଚଳର ସାହିଦା ବେଗମ୍‌ ସ୍ଥାନୀୟ ବଜାରପଡ଼ାର ଅବଦୁଲ୍‌ ହବିବ୍‌ଙ୍କ ସହିତ ୧୯୯୮ ମସିହାରେ ବିବାହ କରିଥିଲେ। ଉଭୟ ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ବିବାହ ପରେ ଶାଶୂ ଘରକୁ ଯାଇଥିଲେ ସୁଦ୍ଧା ପରିବାର ଲୋକେ ସେମାନଙ୍କୁ ଘରେ ପୂରାଇ ନଥିଲେ। ଘରୁ ତଡ଼ି ଦେବାରୁ ନବ ଦମ୍ପତ୍ତି ବାହାରେ ଘର କରି ରହିଥିଲେ।

ସେଠାରେ ସାହିଦାଙ୍କ ତିନିଟି ପିଲା ଜନ୍ମ ହୋଇଥିଲା। ଅବ୍‌ଦୁଲ୍‌ଙ୍କୁ ମଝିରେ କୁକୁର କାମୁଡ଼ିବାରୁ ପରିବାର ଲୋକେ ଔଷଧ ଖୁଆଇବା ଆଳ ଦେଖାଇ ବିଷ ଦେଇ ମାରି ଦେଇଥିଲେ। ତାଙ୍କ ଶବ ହସ୍‌ପିଟାଲ୍‌ରେ ବ୍ୟବଚ୍ଛେଦ କରାଯାଇଥିଲେ ସୁଦ୍ଧା ଶାଶୂ ଘର ଲୋକେ ବ୍ୟବଚ୍ଛେଦ ରିପୋର୍ଟ ହେର୍‌ଫେର୍‌ କରିଦେଇଥିବା ସାହିଦା ଅଭିଯୋଗ କରିଛନ୍ତି। ସ୍ୱାମୀଙ୍କୁ ହରାଇବା ପରେ ଏକୁଟିଆ ହୋଇ ପଡ଼ିଥିବା ସାହିଦା ଏବେ ଭବାନୀପାଟଣା ଟିଭି ସେଣ୍ଟରପଡ଼ା ନିକଟରେ ଏକ କୁଡ଼ିଆ କରି ତିନି ଛୁଆଙ୍କୁ ଧରି ଭୟରେ ଦିନ କାଟୁଛନ୍ତି । ତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ସେ କ୍ରାଇମ୍‌ବ୍ରାଞ୍ଚରେ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର