ମହାନଦୀ ପୋଲ ଉପରୁ ବସ ଖସିବା ଘଟଣା: ୧୨ ଯାତ୍ରୀ ମୃତ ଘୋଷଣା ହେବା ପରେ ଏସସିବିରେ ପ୍ରବଳ ଭିଡ, ହେଲପ୍‌ଲାଇନ ନମ୍ବର ଜାରି

କଟକ: ମହାଦନୀ ପୋଲ ଉପରୁ ମଙ୍ଗଳବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସିପଡ଼ିବା ଫଳରେ  ୧୨ ଜଣ ବସ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ଉଦ୍ଧାର କାର୍ଯ୍ୟ ପରେ  ଅାହତଙ୍କୁ ଚିକିତ୍ସା ଲାଗି କଟକ ବଡ଼ ମେଡିକାଲକୁ ଅଣାଯିବା ପରେ ସେଠାରେ  ପ୍ରବଳ ଭିଡ ହୋଇଛି। ବସରେ ଯେଉଁ ଯାତ୍ରୀମାନେ ଥିଲେ ସେମାନଙ୍କର ସଂପର୍କୀୟମାନେ ଏସସିବିର ଟ୍ରାମା କେୟାର ୟୁନିଟରେ ଭିଡ ଲଗାଇଛନ୍ତି। ଅନ୍ୟପକ୍ଷରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ୪୦ଟି ବେଡର ବ୍ୟବସ୍ଥା କରାଯାଇଛି। ଇତି ମଧ୍ୟରେ ହେଲପ୍‌ଲାଇନ ନମ୍ବର ଜାରି କରାଯାଇଛି। ଆବଶ୍ୟକ ପରିମାଣରେ ରକ୍ତ ରଖାଯାଇଥିବା ବେଳେ ଅଧିକ ଆହତଙ୍କର ମୁଣ୍ଡରେ ଆଘାତ ଲାଗିଥିବାରୁ ସିଟିସ୍କାନର ବ୍ୟବସ୍ଥା କରାଯାଇଛି। ଦୁର୍ଘଟଣାସ୍ଥଳରୁ ଆମ୍ବୁଲାନ୍ସଯୋଗେ ଆହତମାନଙ୍କୁ ଏସସିବି ଅଣାଯାଉଥିବା ବେଳେ କଟକ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଦେଖାଯାଇଛି।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ତରଫରୁ ଆହତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦୁର୍ଘଟଣାର ସମ୍ମୁଖୀନ ହୋଇ ଯେଉଁମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ସେମାନଙ୍କୁ ଚିକିତ୍ସା ମିଳିବାରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ବହୁ ସଂଖ୍ୟାରେ ଡାକ୍ତର ଏବଂ ହସ୍ପିଟାଲର କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି।

ବସ୍‌ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳକୁ ପହଞ୍ଚିବା ପାଇଁ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯାତ୍ରୀବାହୀ ବସ ‘ଜଗନ୍ନାଥ’ ଜଗତପୁର ଅାଡ଼ୁ  କଟକକୁ ଅାସୁଥିବା ବେଳେ ଏକ ମଇଁଷିକୁ ଧକ୍କା ଦେଇ ପୋଲ ବାଡ଼ ଡେଇଁ ମହାନଦୀକୁ ଖସିପଡ଼ିଛି। ସୂଚନା ଅନୁସାରେ ଚାଳକ ପୋଲ ଉପରେ  ଯାଉଥିବା ବେଳେ ଏକ ମଇଁଷିକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା। ଅଗ୍ନିଶମ ବିଭାଗ ଦ୍ୱାରା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଟୁଇଟ ଜରିଆରେ ସୂଚନା ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ବସ୍‌ଟି ଅନୁଗୁଳ ଜିଲ୍ଲାର ତାଳଚେର ଠାରୁ କଟକ ଆସୁଥିଲା। ଜଗତପୁରରୁ ଶିଖରପୁର ଅଭିମୁଖେ ପ୍ରବେଶ କରୁଥିବା ବେଳେ ପୋଲ ଉପରେ ଥିବା ସୁରକ୍ଷା ବାଡ଼କୁ ଶକ୍ତ ଧକ୍କା ଦେଇ ମହାନଦୀକୁ ଖସିପଡ଼ିଥିଲା। ପ୍ରାଥମିକ ଖବରରୁ ଜଣାପଡ଼ିଛି ଯେ, ବସ୍‌ଟି ୩୦ ଫୁଟ୍‌ ତଳକୁ ଖସିପଡ଼ିଥିଲା। ଅଗ୍ନିଶମ ବିଭାଗର ମୁଖ୍ୟ ଅଧିକାରୀ ସୁଶାନ୍ତ ସେଠୀଙ୍କ ସୂଚନା ଅନୁସାରେ ବସ୍‌ରେ ୫୪ ଜଣ ଯାତ୍ରୀ ଥିଲେ। ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ଓ ସ୍ଥାନୀୟ ଲୋକେ ନିୟୋଜିତ ଥିଲେ।

ସୂଚନା: ଅଧିକ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର